ଜାତୀୟ ରାଜପଥରେ ଗଜରାଜ: ଦୀର୍ଘ ସମୟ ଧରି ଗାଡି ଚଳାଚଳ ପ୍ରଭାବିତ

27

କନକ ବ୍ୟୁରୋ : ରାଜପଥରେ ଗଜରାଜ । ଆଠଗଡ ପରେ ଏବେ ଢେଙ୍କାନାଳରେ ହାତୀ ଆତଙ୍କ । ଢେଙ୍କାନାଳ ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ନିମବାହାଳି ଏବଂ କାଉଁରିଆପାଳଠାରେ ରାଜରାସ୍ତା ଅତିକ୍ରମ କରୁଛନ୍ତି ହାତୀପଲ । ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜଙ୍ଗଲ ଛାଡି ଜନବସତି ମୁହାଁ ହୋଇଛନ୍ତି ।

କାଉଁରିଆପାଳଠାରେ ପ୍ରତିଦିନ ଅପରାହ୍ନରେ ହାତୀପଲ ଜାତୀୟ ରାଜପଥକୁ ଅତିକ୍ରମ କରୁଛନ୍ତି । ଫଳରେ ଘଂଟା ଘଂଟା ଧରି ରାସ୍ତାରେ ଯାନବାହାନ ଅଟକି ରହୁଛି । ହାତୀ ଚଲାପଥ ଦେଇ କେନାଲ ଖୋଳାଯାଉଥିବା ସହ ଶିଳ୍ପ ଉଦ୍ୟୋଗ ଲାଗି ବ୍ୟାପକ ଜଂଗଲ ନଷ୍ଟ ହେଉଥିବା ଯୋଗୁଁ ହାତୀ ସହରମୁହାଁ ହେଉଥିବା ପରିବେଶବିତ କହିଛନ୍ତି । ଢେଙ୍କାନାଳ ଜିଲ୍ଲାର ୭ଟି ବନାଂଚଳରେ ୨ ଶହରୁ ଅଧିକ ହାତୀ ରହୁଛନ୍ତି । ଏବଂ ଏମାନେ ଅନେକ ସମୟରେ ଜନବସତି ମୁହାଁ ହେଉଛନ୍ତି ।

ସେପଟେ କଟକ-ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥ ୪ ଲେନ ବିଶିଷ୍ଟ ହେବାକୁ ଯାଉଛି । ତେଣୁ ହାତୀ ଯିବା ଆସିବା କରୁଥିବା ସ୍ଥାନରେ ଫ୍ଲାଇଓଭର ଅଣ୍ଡରପାସ କରିବାକୁ ପରିବେଶବିତମାନେ ମତ ରଖିଛନ୍ତି । ଅପରପକ୍ଷରେ ହାତୀ ଘଉଡାଇବା ସହିତ ସେମାନଙ୍କ ଗତିବିଧୀ ଉପରେ ନଜର ରଖିଥିବା ସହ ବନ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ କହିଛନ୍ତି ।