କନକ ବ୍ୟୁରୋ : ଦିନେ ହାତୀଙ୍କ ପାଇଁ ଚଳଚଂଚଳ ଥିବା ଚନ୍ଦକା ଅଭୟାରଣ୍ୟ ଏବେ ହାତୀଶୂନ୍ୟ ହେବାର ଆଶଙ୍କା ଉପୁଜିଛି । ୨୦୧୦ ପର ଠାରୁ ଅଭୟାରଣ୍ୟରେ କ୍ରମାଗତ ଭାବେ ହାତୀ ସଂଖ୍ୟା ହ୍ରାସ ପାଉଥିବା ଜଣାପଡିଛି । ୱାଇଲ୍ଡ ଲାଇଫ ଓଡିଶା-୨୦୧୬ର ତଥ୍ୟ କହୁଛି ହାତୀ ସଂଖ୍ୟା ହ୍ରାସ ପାଇଛି । ତେବେ ଜାଣନ୍ତୁ ହାତୀ କମିବା ପଛରେ କଣ ରହିଛି ପ୍ରକୃତ କାରଣ । ଏବେ ଚନ୍ଦକାରେ ୫-୬ଟି ହାତୀ ଅଛନ୍ତି, ୧୮ଟି ହାତୀ ଚନ୍ଦକାରୁ ଆଠଗଡ ଓ ଆଠଗଡରୁ ଚନ୍ଦକା ଯିବା ଆସିବା କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦିନେ ଗଜରାଜଙ୍କୁ ନେଇ ଗର୍ବ କରୁଥିବା ଚନ୍ଦକା ଅଭୟାରଣ୍ୟ ଆଜି ଗଜଶୂନ୍ୟ ହେବାକୁ ବସିଛି । ଏଭଳି ତଥ୍ୟ ଦେଇଛି ଚନ୍ଦକା-ଡମପଡା ୱାଇଲ୍ଡ ଲାଇଫ ଡିଭିଜନ । ତଥ୍ୟ ଅନୁସାରେ ୧୯୩.୯ କିଲୋମିଟର ପରିମିତ ଚନ୍ଦକାରେ ୧୯୯୯ ମସିହା ପର ଠାରୁ ଧିରେ ଧିରେ ହାତୀଙ୍କ ସଂଖ୍ୟା କମିଛି । ଯାହା ପରିବେଶ ପ୍ରେମୀଙ୍କୁ ମର୍ମାହତ କରିଛି ।
ଚନ୍ଦକା-ଡମପଡା ୱାଇଲ୍ଡ ଲାଇଫ ତଥ୍ୟ ଅନୁସାରେ :
୧. ୧୯୯୯ ମେ’ ମାସ ସୁଦ୍ଧା ଚନ୍ଦକାରେ ପ୍ରାୟ ୮୩ ହାତୀ ଥିଲେ ।
୨. ୨୦୦୨ ମେ’ ମାସ ସୁଦ୍ଧା ଚନ୍ଦକା ଅଭୟାରଣ୍ୟରେ ପ୍ରାୟ ୬୨ଟି ହାତୀ ରହୁଥିଲେ ।
୩. ୨୦୦୭ ମେ’ ମାସ ସୁଦ୍ଧା ପ୍ରାୟ ୬୭ଟି ହାତୀ ଚନ୍ଦକାରେ ବିଚରଣ କରୁଥିଲେ ।
୪. ୨୦୧୦ ଏପ୍ରିଲ ମାସ ସୁଦ୍ଧା ହାତୀଙ୍କ ସଂଖ୍ୟା ପ୍ରାୟ ୨୩କୁ ଖସିଆସିଥିଲା ।
୫. ୨୦୧୨ ଜୁନ୍ ମାସ ସୁଦ୍ଧା ପ୍ରାୟ ୨୪ଟି ହାତୀ ଚନ୍ଦକା ଅଭୟାରଣ୍ୟରେ ବୁଲାବୁଲି କରୁଥିଲେ ।
୬. ସେହିଭଳି ୨୦୧୫ ମେ’ ମାସ ସୁଦ୍ଧା ଚନ୍ଦକାରେ ହାତୀଙ୍କ ସଂଖ୍ୟା ମାତ୍ର ୮ରେ ପହଂଚିଛି ।
ଚନ୍ଦକା ଅଭୟାରଣ୍ୟରେ ହାତୀ କମିବାର କାରଣ କଣ ? ଆଠଗଡ ସଂରକ୍ଷିତ ଜଙ୍ଗଲରୁ ଚନ୍ଦକାକୁ ହାତୀ ଆସିବା ବାଟରେ ନିର୍ମାଣ ଚାଲିଛି ବଡବଡ କୋଠା । ଖାଲି ଏତିକି ନୁହେଁ, ଅଭୟାରଣ୍ୟ ନିକଟରେ ବେଆଇନ୍ ଇଟାଭାଟି ଗଢି ଉଠିଥିବା ବେଳେ ଅବାଧରେ ଚାଲିଛି ଗଛ କଟା । ଯାହା ହାତୀଙ୍କ ସଂଖ୍ୟା କମିବାର ପ୍ରମୁଖ କାରଣ ବୋଲି କୁହାଯାଉଛି । ସେପଟେ ଖାଦ୍ୟ ଅଭାବର ଆଳ ଦେଖାଇ ଖସିଯିବାକୁ ବସିଛି ବନ ବିଭାଗ ।