କଡା ସୁରକ୍ଷାରେ ଶିମିଳିପାଳରୁ ସାତକୋଶିଆ ପହଂଚିଲେ ମହେନ୍ଦ୍ର ଓ ରାଜକୁମାର : ଏନକ୍ଲୋଜରରୁ ବାହାରିବା ପରେ ସୁନ୍ଦରୀକୁ ଜଗିବେ ୨ ହାତୀ

111

କନକ ବ୍ୟୁରୋ : ସାତକୋଶିଆରେ ପହଂଚିଲେ ୨ ହାତୀ । ବାଘୁଣୀ ସୁନ୍ଦରୀକୁ ଜଗିବା ପାଇଁ ଶିମିଳିପାଳରୁ ବାହାରିଥିବା ଦୁଇ ହାତୀ ମହେନ୍ଦ୍ର ଓ ରାଜକୁମାର ସାତକୋଶିଆରେ ପହଂଚିଛନ୍ତି । କଡା ସୁରକ୍ଷାରେ ୨ ହାତୀଙ୍କୁ ଟ୍ରକ ଯୋଗେ ଅଣାଯାଇଛି । ବିଳମ୍ବିତ ରାତିରେ ୨ ହାତୀ ସାତକୋଶିଆ ପହଂଚିବା ପରେ ତାଙ୍କୁ ପୁରୁଣାକୋର୍ଟ ରେଂଜ ଅଫିସରରେ ରଖାଯାଇଛି । ହାତୀ ଶିମିଳିପାଳରୁ ୨୩ ଜଣିଆ ବିଶେଷଜ୍ଞ ଦଳ ମଧ୍ୟ ଆସିଛନ୍ତି ।

ସେପଟେ ରାଇଗୁଡା ଏନକ୍ଲୋଜରରେ ବାଘୁଣୀ ସୁନ୍ଦରୀକୁ ରଖାଯାଇଛି । ବହୁଦିନ ଧରି ବାଘୁଣୀ ଏନକ୍ଲୋଜରରେ ରଖିବା ନିୟମ ନଥିବାରୁ ଏବେ ତାକୁ ମୁକ୍ତ କରାଯିବ । ହେଲେ ପୂର୍ବରୁ ସୁନ୍ଦରୀ ଜଙ୍ଗଲରେ ମୁକ୍ତ ବିଚରଣ କଲାବେଳେ ବନ୍ୟଜନ୍ତୁ ଓ ମଣିଷ ଶିକାର କରିଥିବା ଅଭିଯୋଗ ରହିଛି । ବହୁ କଷ୍ଟରେ ସୁନ୍ଦରୀକୁ କାବୁ କରି ବନବିଭାଗ ରାଇଗୁଡା ଏନକ୍ଲୋଜରରେ ରଖିଛି । ଏବେ ପୁଣି ଏନକ୍ଲୋଜରରୁ ସୁନ୍ଦରୀ ବାହାରି ଜଙ୍ଗଲରେ ବୁଲାବୁଲି କଲାବେଳେ ଅଘଟଣ ଏଡାଇବାକୁ ୨ ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ସାତକୋଶିଆକୁ ଅଣାଯାଇଛି ।

ତେବେ ଶିମିଳିପାଳର ପ୍ରମୁଖ ଅ˚ଶ ପାଲଟିଥିବା ମହେନ୍ଦ୍ର ଓ ରାଜକୁମାରଙ୍କ ସ୍ଥାନାନ୍ତରଣକୁ ପୂର୍ବରୁ ବିରୋଧ ହୋଇ ଆସୁଥିଲା। ହେଲେ ବନବିଭାଗ ଓ ପ୍ରଶାସନ ପକ୍ଷରୁ ଏନେଇ ଆଲୋଚନା ମାଧ୍ୟମରେ ସହମତି ଆଣିବା ପରେ ହି ହାତୀ ଦୁହିଁଙ୍କୁ ସାତକୋଶିଆକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ବନ ବିଭାଗ ପକ୍ଷରୁ ଦୀର୍ଘ ଦିନ ହେବ ଉଦ୍ୟମ ହୋଇଆସୁଥିଲା। ଏହି ଦୁଇ ପୋଷା ହାତୀଙ୍କ ସହିତ ୪ ଜଣ ଦକ୍ଷ ତାଲିମ ପ୍ରାପ୍ତ ମାହୁନ୍ତ ଏବ˚ ୨ ଜଣ ଡ଼ାକ୍ତର ମଧ୍ୟ ଯାଇଥିବା ଜଣାପଡ଼ିଛି। ହାତୀ ଦୁଇଟି ସାତକୋଶିଆ ଅଭୟାରଣ୍ୟରେ ୧ ମାସ ରହି ସୁନ୍ଦରୀ ଉପରେ ଲକ୍ଷ୍ୟ ରଖିବା ପରେ ପୁଣି ଶିମିଳିପାଳକୁ ଫେରି ଆସିବେ ବୋଲି କୁହାଯାଉଛି। ମାତ୍ର ଏହାର ସଠିକ୍ ସମୟ ସୀମା ଜଣାପଡ଼ିନି।