ରାଜଧାନୀ ଛାଡ଼ିଲା ଦନ୍ତା : ଲୋକେ ଆଶ୍ୱସ୍ତ, ଆଜି ଖୋଲାରହିବ ଜୟଦେବ ବାଟିକା

38

କନକ ବ୍ୟୁରୋ : ୩ ଦିନ ହେଲା ରାଜଧାନୀବାସୀଙ୍କୁ ହନ୍ତସନ୍ତ କରିଥିବା ଜଙ୍ଗଲୀ ଦନ୍ତା ଗତକାଲି ରାତି ୧୨ଟା ୩୦ ପରେ ସହର ସୀମା ଡେଇଁଛି । ରାଜଧାନୀର ଜନଗହଳିପୂର୍ଣ ଅଞ୍ଚଳରେ ବଡ଼ ବିପଜ୍ଜନକଭାବେ ବୁଲୁଥିବା ଉକ୍ତ ହାତୀକୁ ସହର ବାହାରକୁ ତଡ଼ିବାରେ ବନ ବିଭାଗ ଶେଷରେ ସଫଳ ହୋଇଛି । ଭରତପୁର, ନାକାଗେଟ୍‌, ତପୋବନ ବସ୍ତି, ଖଣ୍ଡଗିରିବାରୀ, ସତ୍ୟସାଇ ଏନ୍‍କ୍ଲେଭ୍‌ ଆଦି ଅଞ୍ଚଳରେ କୋକୁଆ ଭୟ ଖେଳି ଦେଇଥିଲା ହାତୀଟି । ବନବିଭାଗ କର୍ମଚାରୀଙ୍କ ସହିତ ସ୍ଥାନୀୟ ଲୋକେ ମଧ୍ୟରାତ୍ରି ପର୍ଯ୍ୟନ୍ତ ଶୋଇ ପାରି ନଥିଲେ । ହାତୀ ତଡ଼ିବା ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଥିଲା । ତୁରନ୍ତ ତାକୁ ନିଶ୍ଚେତକ ଦେଇ ଜଙ୍ଗଲରେ ଛାଡ଼ିଦେବାକୁ ଦାବି ହୋଇଥିଲା ।

elephantଶୁକ୍ରବାର ରାତିରେ ଦନ୍ତାଟି ହର୍ଟିକଲ୍‌ଚର ଫାର୍ମରୁ ବାହାରି ଆଜି ଭୋର୍‌ ସମୟରେ ଜୟଦେବ ବାଟିକାରେ ପଶିଥିଲା । ଭୋର୍‌ ପ୍ରାୟ ୪ଟାବେଳେ ଦନ୍ତା ଖଣ୍ଡଗିରି ଜୟଦେବ ବାଟିକା ରାସ୍ତାରେ ଯାଉ ଯାଉ ଆମ୍ରି ହସ୍ପିଟାଲ ନିକଟରେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲା । ତେଣୁ ତରବରରେ ଜୟଦେବ ବାଟିକା ପାଚେରି ଭାଙ୍ଗି ଭିତରକୁ ପଶି ଯାଇଥିଲା । ଆଜି ଦିନ ତମାମ୍‌ ବାଟିକା ଭିତରେ ହିଁ ଡେରା ପକାଇଥିଲା । ତେଣୁ ପର୍ଯ୍ୟଟକଙ୍କ ପାଇଁ ଜୟଦେବ ବାଟିକା ଓ ଖଣ୍ଡଗିରି ପାହାଡ଼କୁ ବନ୍ଦ କରି ଦିଆଯାଇଥିଲା । ଖଣ୍ଡଗିରି ଥାନା ପୁଲିସ ଓ ବନ ବିଭାଗର କର୍ମଚାରୀମାନେ ଜଗି ରହି ପର୍ଯ୍ୟଟକଙ୍କୁ ବାରଣ କରିଥିଲେ । ଫଳରେ ଆଜି ଖଣ୍ଡଗିରି ବୁଲିବାକୁ ଆସିଥିବା ବହୁ ପର୍ଯ୍ୟଟକ ହତାଶ ହୋଇଥିଲେ । ତେବେ ଶେଷ ସୂଚନା ଅନୁଯାୟୀ ରବିବାର ଜୟଦେବ ବାଟିକ ଖୋଲା ରହିବ ବୋଲି ଜଣାପଡ଼ିଛି । ଦିନବେଳା ଜୟଦେବ ବାଟିକା କୋଳଥିଆ ରାସ୍ତା ଖାଁ ଖାଁ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଥିଲେ । ପିଲାଛୁଆ ଓ ମହିଳାମାନେ ଘରୁ ବାହାରି ନଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜରୁରି କାମରେ ପୁରୁଷମାନେ ପଦାକୁ ବାହାରିଥିଲେ ସିନା ହାତୀ ଭୟରେ ଅନ୍ୟମାନେ ଘରେ ରହିବାକୁ ବାଧ୍ୟ ହୋଇଥିଲେ ।

ହାତୀକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଚାପା ଉତ୍ତେଜନା ସୃଷ୍ଟି ହେବା ଲକ୍ଷ୍ୟ କରି ଆଜି ବନ ବିଭାଗ ଅଧିକ ତତ୍ପର ହୋଇ ଉଠିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀ ଘଉଡ଼ାଇବା କାର୍ଯ୍ୟକ୍ରମ ଜାରି ରହିଥିଲା । ସାଧାରଣତଃ ହାତୀମାନେ ସୂର୍ଯ୍ୟାସ୍ତ ହେବା ପରେ ଜଙ୍ଗଲରୁ ବାହାରିବାକୁ ଚାହାନ୍ତି । ତେଣୁ ସେହି ସମୟକୁ ଲକ୍ଷ୍ୟ କରି ବନ ବିଭାଗ ଓ ଖଣ୍ଡଗିରି ପୁଲିସ ସଜାଗ ହୋଇଥିଲା । ଆମ୍ରି ହସ୍ପିଟାଲରୁ ଜୟଦେବ ବାଟିକା ଚାରିଛକ ପର୍ଯ୍ୟନ୍ତ ରାସ୍ତା ସିଲ୍‌ କରି ଦିଆଗଲା । ଷ୍ଟ୍ରିଟ୍‌ ଲାଇଟ୍‌ ବନ୍ଦ କରି ଦିଆଗଲା । ଏମିତିକି ରାସ୍ତା କଡ଼ରେ ଥିବା ଘରମାନଙ୍କୁ ବାହାର ଲାଇଟ୍‌ ବନ୍ଦ କରିବାକୁ କୁହାଯାଇଥିଲା । ତେଣୁ ପୂରା ରାସ୍ତାକୁ ଅନ୍ଧାର କିଟ୍‌କିଟ୍‌ କରାଯାଇଥିଲା । ହାତୀ ବାହାରିଲେ, ତାକୁ ଖଣ୍ଡଗିରିବାରୀ ଓ ଘାଟିକିଆ ଦେଇ ଜଙ୍ଗଲକୁ ତଡ଼ିଦେବାକୁ ଯୋଜନା କରାଯାଇଥିଲା । ହାତୀର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ତୀକ୍ଷ୍‌ଣ ନଜର ରଖିଥିଲେ । ଠିକ୍‌ ୧୧ଟା ୩୦ ବେଳେ ହାତୀ ପୁଣି ଜୟଦେବ ବାଟିକାରୁ ବାହାରିଥିଲା । ଏଥର ସେ ଏକାମୁହାଁ ହୋଇ ଖଣ୍ଡଗିରିବାରୀ ଭିତର ଦେଇ ଘଟିକିଆ ଗହୀର ଓ ପରେ ଶ୍ୟାମପୁର ନୂଆଗାଁ ଦେଇ ସହର ସୀମା ଡେଇଁଥିଲା ବୋଲି ଏସିଏଫ୍‌ ଶରତ ଚନ୍ଦ୍ର ସୂଚନା ଦେଇଛନ୍ତି ।

ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୧୦ଟା ଭିତରେ ଦନ୍ତାଟି ପ୍ରାୟ ୬ଥର ବାଟିକା ଭିତରୁ ବାହାରିବାକୁ ଉଦ୍ୟମ କରିଥିଲା । ଅନ୍ଧାର ହେଲେ ୬ ଟି ସ୍ଥାନରେ ପାଚେରି ଭାଙ୍ଗି ବାହାରୁଥାଏ ଓ ପୁଣି ଲୋକଙ୍କୁ ଦେଖି ଭିତରକୁ ପଳାଉଥାଏ । ମୁଣ୍ଡରେ ପାଚେରିକୁ ଧୀରେ କରି ଠେଲି ଦେଉଥିଲେ ବି ମଡ଼ମଡ଼୍‍ ହୋଇ ପାଚେରି ତଳେ ପଡ଼ୁଥିଲା । ସେହିଭଳି ପାଚେରିରେ ଲାଗିଥିବା ଗ୍ରିଲ୍‌କୁ ଆଗଗୋଡ଼ରେ ଚାପି ଦେଉଥିଲା । ବାଟିକା ଭିତରେ ଗୁଆଗଛକୁ ଶୁଣ୍ଡରେ ମୋଡ଼ି ପକାଉଥିଲା । ରାତି ପ୍ରାୟ ୮ଟାବେଳେ ସେ ବାଟିକା ଭିତରୁ ବାହାରି ନିକଟସ୍ଥ ବସ୍ତି ଭିତରକୁ ପଶି ଯାଇଥିଲା । ବନ ବିଭାଗ ହାତୀ ପଛେ ପଛେ ଗୋଡ଼ାଇ ଗୋଡ଼ାଇ ତାକୁ ପିଛା କରିବା ସହ ତଡ଼ିବାକୁ ଉଦ୍ୟମ କରିଥିଲା । ଲୋକେ ବି ହାତୀ ଆସୁଥିବା ଭୟରେ କବାଟତାଟି ବନ୍ଦ କରି ଦେଇଥିଲେ। ମାତ୍ର ହାତୀଟି ଘାଟିକିଆ ଆଡ଼କୁ ମୁହାଁଇବା କ’ଣ ପୁଣି ପଛକୁ ଫେରିଲା । ଆଗରେ ଲୋକଙ୍କ ହୋ-ହଲ୍ଲା ପାଟି ତୁଣ୍ଡ ଶୁଣି ସେ ପଛକୁ ଫେରି ଆସି ଜୟଦେବ ବାଟିକା ଭିତରକୁ ପଶିଗଲା । ସେତେବେଳକୁ ରାସ୍ତାକୁ ଖୋଲି ଦିଆଯାଇଥିଲା। ଫଳରେ ଲୋକ ଚଳପ୍ରଚଳ ଚାଲୁ ହୋଇଯାଇଥିଲା । କିନ୍ତୁ ସୌଭାଗ୍ୟକୁ ଦନ୍ତା କାହାର କିଛି କ୍ଷତି ନକରି ସିଧା ବାଟିକା ଭିତରକୁ ପଳାଇଥିଲା । ଏହା ପରେ ପୁଣି ଥରେ ଷ୍ଟ୍ରିଟ୍‌ ଲାଇଟ୍‌ ବନ୍ଦ କରି ରାସ୍ତାକୁ ଅନ୍ଧାର କରାଗଲା । ମାତ୍ର ଲୋକେ ପୁଲିସକୁ ନ ମାନି ହାତୀ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ହାତୀଟି ପାଚେରି କଡ଼ରେ ବୁଲିବା ସହ ବାରମ୍ବାର ପାଚେରି ଭାଙ୍ଗୁଥିବାରୁ ଲୋକେ ମଜା ନେଉଥିଲେ । ଲୋକଙ୍କ ଏଭଳି ଆଚରଣ ବନ ବିଭାଗ ଓ ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଥିଲା ।

କଳିଙ୍ଗ ଷ୍ଟୁଡିଓରୁ ସନ୍ଧ୍ୟାରେ ବାହାରି ଗତରାତି ସାରା ଦନ୍ତା ହର୍ଟିକଲ୍‌ଚର ଫାର୍ମରେ ରହିଥିଲା । ସେଠାରୁ ପ୍ରଚୁର କଦଳୀ ଖାଇଥିଲା । ପ୍ରଚୁର ଗଛ ନଷ୍ଟ କରିବା ସହ ୪/୫ କଦଳୀ କାନ୍ଧି ଖାଇଥିବା ଜଣାପଡ଼ିଛି । ତେଣୁ ହାତୀଟି ତିନି ଦିନ ହେଲା ଉପାସ ରହିବା କଥାକୁ ବନ କର୍ମଚାରୀମାନେ ଅସ୍ୱୀକାର କରିଛନ୍ତି । ସେହିଭଳି ଦିନବେଳା ଛପି ରହୁଥିବା ବଣରେ(କଳିଙ୍ଗଷ୍ଟୁଡିଓ ହେଉ କି ଜୟଦେବ ବାଟିକା ହେଉ) ବିଭିନ୍ନ ଗଛର ଡାଳପତ୍ର ଭାଙ୍ଗି ଖାଉଛି ବୋଲି ବନ କର୍ମଚାରୀମାନେ କହୁଛନ୍ତି ।