ହାତୀକୁ ସମ୍ମୋହିତ କରିବା ମହଙ୍ଗା ହେଲା ! ଯୁବକକୁ ଦଳି ମାରିଦେଲା ଉତ୍ୟକ୍ତ ଜଙ୍ଗଲି ହାତୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।

209

କନକ ବ୍ୟୁରୋ : ହାତୀକୁ ସମ୍ମୋହନ ଉଦ୍ୟମରୁ ଜୀବନ ଗଲା । ଉତ୍ୟକ୍ତ ହାତୀ ଯୁବକକୁ ଶୁଣ୍ଡରେ ଉଠାଇ କଚାଡି ଦେବା ପରେ ଗୋଡରେ ଦଳି ମାରିଦେଇଛି । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା ଘଟିଛି ଦକ୍ଷିଣ ଶ୍ରୀଲଙ୍କାର ୟାଲା ନ୍ୟାସନାଲ ପାର୍କ ନିକଟ କାଟରାଗାମାରେ ।

ମିଳିଥିବା ସୂଚନା ଅନୁସାରେ ପାର୍କରେ ଗୋଟିଏ ହାତୀ ବୁଲୁଥିଲା । ଏହି ସମୟରେ ଜଣେ ଯୁବକ ନିଜ ସାଙ୍ଗମାନଙ୍କୁ ଦେଖ ମୁଁ କିପରି ହାତୀକୁ ସମ୍ମୋହିତ କରୁଛି କହି ହାତୀ ଆଗକୁ ଏକା ଚାଲିଆସିଥିଲା । ଯୁବକକୁ ଦେଖିବା ପରେ ହାତୀ ରାଗିଯାଇ ମାଡି ଆସିଥିଲା । ହାତୀ ମାଡିଆସୁଥିବା ଦେଖି ଯୁବକ ଖସିଯିବାକୁ ଉଦ୍ୟମ କଲା ବେଳେ ହାତୀ ଶୁଣ୍ଡରେ ଉଠାଇ କଚାଡି ଦେବା ସହ ଗୋଡରେ ଦଳି ଦେଇଛି । କୌଣସି ମତେ ବନବିଭାଗ ହାତୀକୁ ଘଉଡାଇଦେବା ସହ ଗୁରୁତର ଯୁବକକୁ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।