ହାତୀପଲଙ୍କ କବଜାରେ ଜାତୀୟ ରାଜପଥ ! ଯାନବାହନ ଚଳାଚଳ ବାଧାପ୍ରାପ୍ତ

83

କନକ ବ୍ୟୁରୋ :  ଖୁଣ୍ଟୁଣୀ ବନାଞ୍ଚଳରେ ବିଚରଣ କରୁଥିବା ୧୩ଟି ହାତୀ ଆଜି ସକାଳେ ଓରନ୍ଦା ଗ୍ରାମ ନିକଟ ୫୫ନମ୍ବର ଜାତୀୟ ରାଜପଥ ପାର ହୋଇ ସୁନିଆଁମୁହଁ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ଏହି ହାତୀ ପଲ ରାଜପଥ ପାର ହେବା ସମୟରେ ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ସୂଚନାଯୋଗ୍ୟ ଏହି ହାତୀ ପଲରେ ଥିବା କିଛି ହାତୀ ଦୁଇ ସପ୍ତାହ ତଳେ ଚୌଦ୍ୱାର ନିକଟ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିଲେ । ସେଠାରେ କିଛିଦିନ ରହିବା ପରେ ୧୭ ତାରିଖ ରାତିରେ ହାତୀପଲ ପୁନର୍ବାର ଖୁଣ୍ଟୁଣୀ ବନାଞ୍ଚଳକୁ ମୁହାଁଇଥିଲେ । ଏହି ସମୟରେ ହାତୀମାନେ କୁମାରପୁର, ଗୋବରା, ଗୁରୁଡ଼ିଝଟିଆ, ଓରନ୍ଦ ଆଦି ପଞ୍ଚାୟତର ବିଭିନ୍ନ ଗହିରରେ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି ।

ଗତକାଲି ଭୋର୍‌ ସାଢ଼େ ୫ଟାରେ ହାତୀପଲ ସଂରକ୍ଷିତ ଜଙ୍ଗଲକୁ ଯିବା ପାଇଁ ଓରନ୍ଦା ଶମ୍ବେଶ୍ୱର ମନ୍ଦିର ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ୱକୁ ଚାଲିଆସିଥିଲେ । ହାତୀ ପଲର ଗତିବିଧି ନିରୀକ୍ଷଣ କରି ସେମାନଙ୍କୁ ଜଙ୍ଗଲମୁହାଁ କରାଉଥିବା ଖୁଣ୍ଟୁଣୀ ବନବିଭାଗ କର୍ମଚାରୀ ଓ ହାତୀ ଘଉଡାଳି ଦଳ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନକୁ ଅଟକାଇ ୧୩ଟି ହାତୀଙ୍କୁ ଗୋଟିଗୋଟି କରି ରାସ୍ତା ପାର କରାଇଥିଲେ ।