ମାତିଲେ ଗଜରାଜ ! ସୁନ୍ଦରଗଡ଼ରେ ହାତୀ ଆତଙ୍କ, ଭାଙ୍ଗୁଛନ୍ତି ଘରଦ୍ୱାର, ନଷ୍ଟକରୁଛନ୍ତି ଏକର ଏକର ଧାନ ଫସଲ

15

କନକ ବ୍ୟୁରୋ: ହାତୀ ଆତଙ୍କରେ ଆତଙ୍କିତ ସୁନ୍ଦରଗଡ଼ । ନୟାନ୍ତ ହୋଇପଡିଲେଣି ଅଚଂଳ ବାସୀ । ସୁନ୍ଦରଗଡ଼ ଜିଲ୍ଲାର ଚାରିପଟେ ଉତ୍ପାତ ମଚାଉଛନ୍ତି ବଣୁଆ ହାତୀ । ଦିନ ବେଳେ ଯାହା ଯେମିତି କଟି ଯାଉଛି, ହେଲେ ସଞ୍ଜ ନଇଁଲେ କଥା ସରିଲା । ଅନ୍ଧାର ହେଲେ ଆରମ୍ଭ ହୋଇଯାଉଛି ମଣିଷ ଆଉ ହାତୀର ସଂଘର୍ଷ । ଚାଷ ଜମିରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ଅନେକ ଘର ଭାଙ୍ଗି ସାରିଲେଣି । ବନବିଭାଗ ମଧ୍ୟ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଛି କିନ୍ତୁ ଏପର୍ଯ୍ୟନ୍ତ ସଫଳ ହୋଇପାରିନି ।

ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଂଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଯେଉଁଠାରେ ମାତିଛନ୍ତି ବଣୁଆ ହାତୀ ପଲ । କେତେବେଳେ ଗାଁ ଭିତରେ ପଶି ଘରଦ୍ୱାର ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଧାନ ଫସଲରେ ପଶି ନଷ୍ଟ କରୁଛନ୍ତି । ଆଉ ଏହାକୁ ରୋକିବା ପାଇଁ ଆରମ୍ଭ ହୋଇଯାଇଛି ଏକପ୍ରକାର ହାତୀ ଆଉ ମଣିଷର ଲଢ଼େଇ । ସଦର ବ୍ଲକ ଅଂଚଳରେ ୧୧ଟି ହାତୀ ପଲ ଉତ୍ପାତ ଚଳାଇଥିବାବେଳେ ହେମଗିରି ଫରେଷ୍ଟ ରେଞ୍ଜ ଅଂଚଳରେ ୨୭ଟି ହାତୀ ପଲ ଉପଦ୍ରବ ଜାରି ରଖିଛନ୍ତି । ଏହାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ଅଂଚଳବାସୀ ।

ତେବେ ନିଆଁ ,ବାଣ, ଲାଇଟ୍ ସହ ଅନ୍ୟାନ୍ୟ ଯନ୍ତ୍ର ବ୍ୟବହାର କରି ହାତୀ ପଲଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ । ହେଲେ ବର୍ତ୍ତମାନ ସୁଧା ଘଉଡାଇବାରେ ସଫଳ ହୋଇପାରିନି । କିନ୍ତୁ ଅତିଶୀଘ୍ର ଏହି ହାତୀ ପଲଙ୍କୁ ଘଉଡାଯିବ ବୋଲି ସୁନ୍ଦରଗଡ ଡିଏଫଓ କହିଛନ୍ତି ।