କେନ୍ଦୁଝର ଚମ୍ପୁଆ ରେଂଜରେ ଜାରି ରହିଛି ହାତୀ ଉପଦ୍ରବ ! ବର୍ଦ୍ଧନା, ବାମେବାରୀ ଓ ବାଲିବନ୍ଧରେ ଆତକଙ୍କ ସୃଷ୍ଟି କରିଛନ୍ତି ୪୧ ହାତୀ

36

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଂଜରେ ଜାରି ରହିଛି ହାତୀ ଉପଦ୍ରବ । ଏହି ରେଂଜ ଅଧିନରେ ଥିବା ବିଭିନ୍ନ ଅଂଚଳରେ ପ୍ରାୟ ୪୦ରୁ ଅଧିକ ହାତୀ ଗତ କିଛି ଦିନ ହେବ ଉତ୍ପାତ କରୁଛନ୍ତି । ବିଶେଷ କରି ହାତୀପଲ ବର୍ଦ୍ଧନା, ବାମେବାରୀ ଓ ବାଲିବନ୍ଧରେ ଆତକଙ୍କ ସୃଷ୍ଟି କରିଛନ୍ତି ।

ହାତୀଗୁଡିକ ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ଆସିଥିବା କହିଛି ବନ ଅଧିକାରୀ । ତେବେ ହାତୀପଲ ଏସବୁ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ହାତୀପଲ ଫସଲ କମ୍ ଖାଉଥିବା ବେଳେ ଅଧିକ ଦଳି ଚକଟି ନଷ୍ଟ କରୁଛନ୍ତି । ହାତୀପଲଙ୍କୁ ଘଉଡେଇବା ପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି ।

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଗତ କିଛିଦିନ ହେଲା ୬୧ରୁ ଅଧିକ ହାତୀ ଚମ୍ପୁଆ ଅଞ୍ଚଳକୁ ପଶିଆସିଛନ୍ତି । ଏହି ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଥିବାବେଳେ ଘରଗୁଡ଼ିକୁ ଭାଙ୍ଗି ପକାଉଛନ୍ତି ଓ ଲୋକମାନଙ୍କ ଉପରକୁ ଆକ୍ରମଣ ମଧ୍ୟ କରୁଛନ୍ତି । ହାତୀଙ୍କ ଆକ୍ରମଣ ଭୟରେ ଲୋକମାନେ ଘର ବାହାରକୁ ବାହାରି ପାରୁ ନାହାନ୍ତି ।

ତେବେ ହାତୀ ପଲ ମଧ୍ୟରେ ୨ଟି ଦନ୍ତାହାତୀ ଥିବାବେଳେ ୩ଟି ଛୁଆ ହାତୀ ରହିଛନ୍ତି । ବୁଧବାର ହାତୀ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ବେଳେ ଗୁରୁବାର ଜଣକର ମୃତ୍ୟୁ ହୋଇଛି । ଅନ୍ୟପଟେ ସ୍ଥାନୀୟ ଲୋକେ ଓ ବନ ବିଭାଗର କର୍ମଚାରୀ ମିଶି ବାଣ ଫୁଟାଇ ହାତୀ ଘଉଡାଇବାକୁ ଚେଷ୍ଟା କରୁଥଲେ ହେଁ ହାତୀପଲ ଚମ୍ପୁଆ ଅଞ୍ଚଳ ଛାଡ଼ି ଯାଉ ନାହାନ୍ତି ।