ଢେଙ୍କାନାଳ ରାଜପଥ ଉପରେ ଗଜରାଜ ! ଜଙ୍ଗଲ ପାଖ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ

37

କନକ ବ୍ୟୁରୋ : ଢେଙ୍କାନାଳରେ ଗଜରାଜ ଆତଙ୍କ । ଜଙ୍ଗଲ ଛାଡି ଜନବସତି ମୁହାଁ ହାତୀପଲ । ଖାଦ୍ୟ ଓ ପାନୀୟ ଆଶାରେ ଗାଁରେ ପଶି ବ୍ୟାପକ ଭଙ୍ଗାରୁଜା କରୁଛନ୍ତି ହାତୀପଲ । କେବଳ ଫସଲ ନଷ୍ଟ କି ଘରଦ୍ୱାର ଭାଙ୍ଗୁଛନ୍ତି ତା ନୁହେଁ, ଟ୍ରେନ ଲାଇନ ଓ ଜାତୀୟ ରାଜପଥରେ ଘଂଟାଘଂଟା ଧରି ହାତୀପଲ ଠିଆ ହୋଇ ରହୁଛନ୍ତି । ଆଉ ଏସବୁର କାରଣ ହେଉଛି, ଜଙ୍ଗଲ କ୍ଷେୟ ।

ସେ ରାସ୍ତା ନିର୍ମାଣ ହେଉ ବା ବଡ ବଡ ଶିଳ୍ପ ପ୍ରତିଷ୍ଠାନ, ଏଥିପାଇଁ ଏକର ଏକର ଜଙ୍ଗଲକୁ କାଟି ପଦା କରିଦିଆଯାଉଛି । ଫଳରେ ହାତୀପଲ ଜନବସତି ମୁହାଁ ହୋଇଛନ୍ତି । ଜିଲ୍ଲାରେ ଅନେକ ସମୟରେ ହାତୀ ମଣିଷ ଲଢେଇ ଦେଖିବାକୁ ମିଳିଛି । କେତେବେଳେ ହାତୀ ଆକ୍ରମଣରେ ମଣିଷର କ୍ଷତି ହୋଇଛି ତ ଆଉ କେତେବେଳେ ମୃତ୍ୟୁ ମୁଖରେ ପଡିଛି ହାତୀ ।

ସରକାରୀ ଭାବେ ୨୦୧୩ରୁ ୧୬ ଭିତରେ ଜିଲ୍ଲାରେ ମୋଟ ୩୬ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ରେନ ଲାଇନରେ କଟି ଗୋଟିଏ ହାତୀର ମୃତ୍ୟୁ ହୋଇଛି । ହେଲେ ଏହି ସଂଖ୍ୟା ବେସରକାରୀ ଭାବେ ୪କୁ ଛୁଇଁଛି । ସେପଟେ ଏନଏଚ-୫୫ରେ ହାତୀ ଯିବା ପାଇଁ କଲଭର୍ଟ ତିଆରି ହେବା ସହ ରେଳ ଲାଇନରେ ବନ କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏଫଓ ।

ଶିମିଳିପାଳ ହାତୀ ସଂଖ୍ୟାରେ ପ୍ରଥମ ହୋଇଥିବା ବେଳେ ଢେଙ୍କନାଳ ଦ୍ୱିତୀୟ ସ୍ଥାନରେ ରହିଛି । ସରକାରୀ ଭାବେ ଜିଲ୍ଲାରେ ମୋଟ ୧୬୭ଟି ହାତୀ ଥିବା ନେଇ ଦର୍ଶାଯାଇଥିବା ବେଳେ ବେସରକାରୀ ଭାବେ ଏହା ୪ଶହ ଛୁଇଁଛି ।