କେନ୍ଦୁଝରରେ ମାତିଲେ ଗଜରାଜ ! ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

36

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଂଚଳରେ ମାତିଛନ୍ତି ହାତୀ । ଚମ୍ପୁଆ ରେଞ୍ଜରେ ୨୧ଟି, ବାମେବାରୀରେର ୧୩ଟି ଓ ବାଲିବନ୍ଧରେ ୮ଟି ହାତୀ ମାତିଛନ୍ତି । ହାତୀ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହାତୀପଲ ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଏହି ରେଂଜ ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ହେବ ଗଜରାଜ ଉତ୍ପାତ କରୁଛନ୍ତି । ବନବିଭାଗ ହାତୀ ଘଉଡବାକୁ ଉଦ୍ୟମ ଜାରି ରଖିଛି ।

ହାତୀଗୁଡିକ ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ଆସିଥିବା କହିଛି ବନ ଅଧିକାରୀ । ତେବେ ହାତୀପଲ ଏସବୁ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ହାତୀପଲ ଫସଲ କମ୍ ଖାଉଥିବା ବେଳେ ଅଧିକ ଦଳି ଚକଟି ନଷ୍ଟ କରୁଛନ୍ତି । ହାତୀପଲଙ୍କୁ ଘଉଡେଇବା ପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି ।

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଗତ କିଛିଦିନ ହେଲା ୬୧ରୁ ଅଧିକ ହାତୀ ଚମ୍ପୁଆ ଅଞ୍ଚଳକୁ ପଶିଆସିଛନ୍ତି । ଏହି ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଥିବାବେଳେ ଘରଗୁଡ଼ିକୁ ଭାଙ୍ଗି ପକାଉଛନ୍ତି ଓ ଲୋକମାନଙ୍କ ଉପରକୁ ଆକ୍ରମଣ ମଧ୍ୟ କରୁଛନ୍ତି । ହାତୀଙ୍କ ଆକ୍ରମଣ ଭୟରେ ଲୋକମାନେ ଘର ବାହାରକୁ ବାହାରି ପାରୁ ନାହାନ୍ତି ।
ତେବେ ହାତୀ ପଲ ମଧ୍ୟରେ ୨ଟି ଦନ୍ତାହାତୀ ଥିବାବେଳେ ୩ଟି ଛୁଆ ହାତୀ ରହିଛନ୍ତି । ବୁଧବାର ହାତୀ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ବେଳେ ଗୁରୁବାର ଜଣକର ମୃତ୍ୟୁ ହୋଇଛି । ଅନ୍ୟପଟେ ସ୍ଥାନୀୟ ଲୋକେ ଓ ବନ ବିଭାଗର କର୍ମଚାରୀ ମିଶି ବାଣ ଫୁଟାଇ ହାତୀ ଘଉଡାଇବାକୁ ଚେଷ୍ଟା କରୁଥଲେ ହେଁ ହାତୀପଲ ଚମ୍ପୁଆ ଅଞ୍ଚଳ ଛାଡ଼ି ଯାଉ ନାହାନ୍ତି ।