ସହରାଭିମୁଖୀ ଗଜରାଜ: ବଲାଙ୍ଗୀର ସହର ନିକଟ ଜଙ୍ଗଲରେ ହାତୀପଲଙ୍କ ଡେରା, ଆତଙ୍କିତ ହୋଇପଡିଛନ୍ତି ଲୋକେ

ହାତୀ ଘଉଡେଇବା ପାଇଁ ବନ କର୍ମଚାରୀଙ୍କ ଉଦ୍ୟମ

101

କନକ ବ୍ୟୁରୋ: ସହରାଭୀମୁଖୀ ଗଜରାଜ । ବେଶ୍ କେତେଦିନ ହେବ ହାତୀପଲ ରାଜ୍ୟର ବିଭିନ୍ନ ସ୍ଥାନରେ ଜନବସତୀ ମୁହାଁ ହୋଇଥିବା ବେଳେ ବଲାଙ୍ଗୀରରେ ସହରାଭିମୁଖୀ ହୋଇଛନ୍ତି । ସାଧାରଣତଃ ଶୀତ ଦିନରେ ହାତୀପଲ ଲୋଇସିଂହା ଓ ଦେଓଗାଁ ଅଂଚଳର ଜନବସତିକୁ ଆସିଥାନ୍ତି । କିନ୍ତୁ ଏବେ ହାତୀପଲ ବଲାଙ୍ଗିର ଉପଖଣ୍ଡ ଶାସ୍ତ୍ରୀନଗର ଅପାଖରେ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳରେ ପଶି ହାତୀପଲ ଫସଲ ନଷ୍ଟ କରିଥାନ୍ତି । ହେଲେ ଏବେ ହାତୀପଲ ସହର ମୁହାଁ ହୋଇଛନ୍ତି । ଗୁରୁବାର ରାତି ୧୦ରୁ ଅଧିକ ହାତୀ ସହରର ଶାସ୍ତ୍ରୀନଗରରେ ବୁଲାବୁଲି କରିବା ପରେ ଏବେ ବଲାଙ୍ଗିର-ଦେଓଗାଁ ମଝିରେ ଥିବା ଏକ ବୁଦାଳିଆ ଜଙ୍ଗଲରେ ଅଟକି ରହିଛନ୍ତି । ହାତୀପଲ ଥିବା ଜଙ୍ଗଲ ନିକଟରେ ରେଳ ଲାଇନ୍ ଥିବାରୁ ହାତୀଙ୍କ ସୁରକ୍ଷା ନେଇ ବନବିଭାଗର ଚିନ୍ତା ବଢିଯାଇଥିଲା । ତେବେ ଏବେ ହାତୀପଲଙ୍କୁ ରେଳ ଲାଇନ୍ ଠାରୁ ଦୂରକୁ ଘଉଡେଇ ଦେଇଛନ୍ତି ବନକର୍ମଚାରୀ ।

 

ହାତୀପଲ ଶାସ୍ତ୍ରୀନଗରକୁ ପଶି ଆସିଥିବା ଦେଖି ସ୍ଥାନୀୟ ଲୋକ ଡରି ଯାଇଥିଲେ । ଲୋକେ ରାତି ସାରା ଉଜାଗର ଥିବା ବେଳେ ବନବିଭାଗ କର୍ମଚାରୀ ବିଭିନ୍ନ ଶବ୍ଦ କରି ଓ ବାଣ ଫୁଟାଇ ହାତୀଙ୍କୁ ଘଉଡେଇବା ପାଇଁ ଉଦ୍ୟମ କରିଥିଲେ । ଆଉ ଏଥିରେ ବନକର୍ମଚାରୀଙ୍କୁ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ । ତେବେ ଦିନକୁ ଦିନ ଏପରି ଭାବେ ଜଙ୍ଗଳର ଜୀବଜନ୍ତୁ ମାନେ ସହରାଭୀମୁଖୀ ହେବା ଉଭୟ ମଣିଷ ଓ ଜୀବଜନ୍ତୁମାନଙ୍କ ପାଇଁ ବିପଦ ଆଣୁଛି । ଏଣୁ ଏହାପ୍ରତି ମଣିଷ ସମାଜ ସଜାଗ ହେବା ଉଚିତ୍ ।