ମୟୂରଭଞ୍ଜ ସୀମାବର୍ତ୍ତୀ ଗାଁରେ ହାତୀ ଆତଙ୍କ : ପଶ୍ଚିମବଙ୍ଗ ପଟୁ ପଶି ଆସିଛନ୍ତି ୭୦ ହାତୀ, ରାତିରେ ଅନିଦ୍ରା ରହି ଜଗୁଛନ୍ତି ଲୋକେ

ଧାନ କିଆରିକୁ ଦଳି ଚକଟି ନଷ୍ଟ କରୁଛନ୍ତି ଫସଲ

57

କନକ ବ୍ୟୁରୋ : ମୟୂରଭଞ୍ଜ ସୀମାନ୍ତରେ ହାତୀ ଆତଙ୍କ । ପଶ୍ଚିମବଙ୍ଗ ପଟୁ ୭୦ରୁ ଅଧିକ ହାତୀ ବାରିପଦା ବନାଂଚଳକୁ ପଶି ଆସିଛନ୍ତି । ଯାହାକୁ ନେଇ ସୀମାବର୍ତ୍ତୀ ଗାଁ ଗୁଡିକରେ ଆତଙ୍କର ବାତାବାରଣ । ହାତୀ ଭୟରେ କିଏ ଘର ଆଗରେ ନିଆଁ ଜାଳି ବସୁଛି ଆଉ କିଏ ରାତି ସାରା ଅନିଦ୍ରା ରହି ପରିବାରକୁ ଜଗି ରହୁଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡରେ ପଶ୍ଚିମବଙ୍ଗ ପଟୁ ପଶି ଆସିଛନ୍ତି ହାତୀ ପଲ । ଚାଷ ଜମିରେ ପଶି ହାତୀ ପଲ ପଶି ଦଳି ଚକଟି ନଷ୍ଟ କରି ଦେଉଛନ୍ତି ଫସଲ । ହାତୀପଲକୁ ନେଇ ମୟୂରଭଂଞ୍ଜର ସୀମାନ୍ତ ଗ୍ରାମ ଚିତ୍ରଡା, ହଳଦୀପାଳ, ଶୀର୍ଷାପାଳ, ପଟାକୁଣ୍ଡିଆ ଗାଁରେ ଆତଙ୍କ ଖେଳିଯାଇଛି । ରାତିରେ ଦଳ ଦଳ ହୋଇ ଲୋକେ ଗାଁକୁ ଜଗୁଛନ୍ତି । ଟର୍ଚ୍ଚ ଲାଇଟ ଧରି ହାତୀକୁ ଗାଁକୁ ନପୁରାଇଦେବାକୁ ଗ୍ରାମବାସୀ ଉଦ୍ୟମ କରୁଛନ୍ତି ।

ପଶ୍ଚିମବଙ୍ଗ- ଓଡିଶା ସୀମାନ୍ତ ଗାଁ ଗୁଡିକରେ ହାତୀ ପଲ ଉତ୍ପାତ କରୁଛନ୍ତି । ଆଉ କିଛି ହାତୀ ରାସଗୋବିନ୍ଦପୁର ରେଞ୍ଜ ପାର ହୋଇ ବେତନଟୀ ରେଞ୍ଜର ବିଭିନ୍ନ ଜଙ୍ଗଲରେ ଭାଗ ଭାଗ ହୋଇ ରହିଥିବା ଜଣାପଡିଛି । ହାତୀ ପଲକୁ ଘଉଡାଇବାକୁ ବନ ବିଭାଗର ୧୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ହାତୀ ଘଉଡାଇବାରେ ନିୟୋଜିତ ବନ କର୍ମଚାରୀଙ୍କ ସହ ଉତ୍ୟକ୍ତ ଗ୍ରାମବାସୀ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି । ହାତୀପଲ ଦିନତମାମ ଜଙ୍ଗଲରେ ରହି ରାତିରେ ଜନବସତି ଆଡକୁ ଆସୁଛନ୍ତି । ତେଣୁ ସୀମାନ୍ତବର୍ତୀ ଅଚଂଳର ଲୋକଙ୍କୁ ଜଙ୍ଗଲ ନଯିବାପାଇଁ ବନବିଭାଗ ପରାମର୍ଶ ଦେଇଛି ।