ଧାନ ଫସଲ ଦଳି ଦେଲେ ହାତୀପଲ ! ଚିନ୍ତାରେ ବଲାଙ୍ଗୀର ଜିଲ୍ଲା ଗୁଡେଭଲା ଓ ଲୁଇସିଂହାର ଚାଷୀ

34

କନକ ବ୍ୟୁରୋ : ଫସଲ ଦଳି ଦେଉଛନ୍ତି ହାତୀପଲ । ଖାଦ୍ୟ ସଂଗ୍ରହ ପାଇଁ ହାତୀପଲ ଜନବସତି ମୁହାଁ ହୋଇ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲାର ଗୁଡେଭଲା ଓ ଲୁଇସିଂହା ବନାଂଚଳରେ ହାତୀଙ୍କ ପ୍ରାଦୁର୍ଭାବ ବଢିଛି । ହାତୀପଲ ଦିନରେ ପାଖେର ଥିବା ଜଙ୍ଗଳରେ ରହୁଛନ୍ତି ଆଉ ରାତିରେ ଚୁଙ୍ଗଦାଦର, ନେଗି, ପାଟି, ଘାଟି, ସିଂଯୁରି, ନେଗିପାଲି ସିଂଦାଦର ଭଳି ପ୍ରାୟ ୨୦ ଟି ଗାଁରେ ଧାନ ବିଲକୁ ଦଳିଚକଟି ନଷ୍ଟ କରୁଛନ୍ତି ।

ଏ ସବୁ ଅଞ୍ଚଳରେ ବନ ବିଭାଗ କର୍ମଚାରୀ ହାତୀ ଘଉଡେଇବା ଉଦ୍ୟମ ଜାରି ରଖିଛନ୍ତି । ଲୋକଙ୍କୁ ସୁରକ୍ଷା ଓ ଚାଷକୁ ରକ୍ଷା କରିବା ପାଇଁ ସାରା ରାତି ବନକର୍ମଚାରୀ ପାଟ୍ରୋଲିଂ କରୁଛନ୍ତି । ହେଲେ ସେମାନଙ୍କ ପାଖେର ଆନୁସଂଗିକ ବ୍ୟବସ୍ଥା ନଥିବାରୁ ସେମନେ ହାତୀ ଘମଡେଇ ପାରୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା କଥା ୧୦ ବର୍ଷ ହେବ ଏ ଅଂଚଳରେ ହାତୀ ଚଳପ୍ରଚଳ କରୁଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ୱାଚ୍ ଟାୱାର କରାଯାଇନାହିଁ । କେବଳ ସେତିକି ନୁହେଁ ହାତୀ ଘଉଡେଇବା ପାଇଁ ନିୟୋଜିତ ବନବିଭାଗ କର୍ମଚାରୀ ପାଖରେ ଭିଏଚଏଫ ସେଟ ବି ନାହିଁ । ସେପଟେ ଏନେଇ ପ୍ରତିକ୍ରିୟା ରଖି ବନଖଣ୍ଡ ଅଧିକାରୀ କହିଛନ୍ତି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ୪୦ ଲକ୍ଷ ଟଙ୍କାରେ ଦୁଇଟି ୱାଚ ଟାୱାର କରାଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ।