ବାଆଁରା କୂଅମଡ଼ା ଜଙ୍ଗଲରେ ୧୦ ବର୍ଷର ମାଈ ହାତୀ ମୃତ । ଦୀର୍ଘ ୫ ଦିନ ହେବ ଭୂତାଣୁ ସଂକ୍ରମଣରେ ଅସୁସ୍ଥ ଥିଲା ମାଈ ହାତୀ , ହର୍ପିସ୍ ସଂକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ

236

କନକ ବ୍ୟୁରୋ: ୬ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲା ୧୦ ବର୍ଷର ମାଈ ହାତୀ । ଚନ୍ଦକା ଡମପଡା ଅଭୟାରଣ୍ୟର ବାଁଆରା ନିକଟରେ ଗତ ବୁଧବାର ଦିନ ଗୁରୁତର ଅବସ୍ଥାରେ ଏହି ମାଈ ହାତୀକୁ ଠାବ କରାଯାଇଥିଲା । ତେବେ ୧୦ ବର୍ଷିୟା ମାଈ ହାତୀକୁ ଉଦ୍ଧାର କରିବା ପରେ ବନ ବିଭାଗ ତାହାର ଚିକିତ୍ସା ପାଇଁ ତତ୍ପର ହୋଇ ପଡିଥିଲା । ଏପରିକି ଏକ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଂଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ । ଆଉ ରକ୍ତ ନମୂନା ମଧ୍ୟ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା ।

ହାତୀକୁ ସଂକ୍ରମଣ ହୋଇଥିବା ବନ ବିଭାଗ ସନ୍ଦେହ ପ୍ରକାଶ କରିଥିଲା । ତେବେ ଆଜି ଏହି ହାତୀଟିର ମୃତ୍ୟୁ ଘଟିଛି । ତେବେ ଏହି ହାତୀର ମୃତ୍ୟୁ ପଛରେ ହର୍ପିସ୍ ଭୂତାଣୁ ନାହିଁ ତ ? କାରଣ ଗତ କିଛି ଦିନ ମଧ୍ୟରେ ନନ୍ଦନକାନନରେ ୪ଟି ହାତୀର ମୃତ୍ୟୁ କେବଳ ହର୍ପିସ୍ ରୋଗ ଯୋଗୁଁ ହୋଇଛି । ତେଣୁ ଏହି ରୋଗ ଚନ୍ଦକା ଅଂଚଳକୁ ବ୍ୟାପିଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ମିଳିପାରି ନାହିଁ ।

ଅନ୍ୟପଟେ ଏଭଳି ହାତୀ ମୃତ୍ୟୁ ଘଟଣା ବଢ଼ି ଚାଲିଥିବାବେଳେ ଅନ୍ୟପଟେ ହର୍ପିସ୍ କୁ ନେଇ ମଧ୍ୟ ସନ୍ଦେହ ବଢ଼ିବାରେ ଲାଗିଛି, ଯାହା ଏବେ ପଶୁ-ପକ୍ଷୀ ଉଦ୍ୟାନରେ କୋକୁଆ ଭୟ ସୃଷ୍ଟି କରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଏହା ହର୍ପିସ୍ ଭାଇରସ୍ ଯୋଗୁଁ ନୁହେଁ ତ କେଉଁ କାରଣରୁ ଏହି ନୀରିହ ପଶୁଙ୍କ ଜୀବନ ଯାଉଛି? ଆଉ ଏନେଇ ସରକାର କେବେ ଚେତିବ ତାହା ଏବେ ସମସ୍ତଙ୍କୁ ଅପେକ୍ଷା ।