ଦୁନିଆ ଦେଖିବା ଆଗରୁ ମରିଗଲା ହାତୀ ଛୁଆ ! ଇଲେଭେନ୍ କେଭି ତାର ଲାଗି ଚାଲିଗଲା ୭ଟି ହାତୀଙ୍କ ଜୀବନ, ସେସୁକୁ ଦାୟୀ କଲା ଜଙ୍ଗଲ ବିଭାଗ ।

32

କନକ ବ୍ୟୁରୋ : ଏକାସଙ୍ଗେ ଚାଲିଗଲା ସାତ ସାତଟି ହାତୀଙ୍କ ଜୀବନ । ଢେଙ୍କାନାଳର କଂଟାବଣିଆ ଅଂଚଳରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ଲାଗି ୭ଟି ହାତୀ ପ୍ରାଣ ହରାଇଛନ୍ତି । ରେଳ ଧାରଣା କାମ ପାଇଁ ବିଦ୍ୟୁତ୍ ତାର ଟାଣି କାମ କରୁଥିଲା ଠିକା ସଂସ୍ଥା । ତେବେ ଅଳ୍ପ ଉଚ୍ଚରେ ତାର ଯାଇଥିବାରୁ ସେଥିରେ ଲାଗି, ହାତୀଙ୍କ ଜୀବନ ଯାଇଛି । ଘଟଣା ପାଇଁ ସେସୁକୁ ଦାୟୀ କରିଛି ଜଙ୍ଗଲ ବିଭାଗ ।ତେବେ ସବୁଠାରୁ ବଡ କଥା ହେଉଛି, ହାତୀମୃତ୍ୟୁର ଏହି କରୁଣ କାହାଣୀ ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ । ମୃତ ମାଆ ହାତୀ ପେଟରେ ୮ ମାସର ଶାବକ ଥିବା ପୋଷ୍ଟମର୍ଟମ୍ ରିପୋର୍ଟରୁ ସୂଚନା ମିଳିଛି । ଅନ୍ୟପଟେ ମୃତ ହାତୀଙ୍କ ନିକଟକୁ ନିକଟସ୍ଥ ଜଙ୍ଗଲରୁ ଆଉ ୧୫ଟି ହାତୀ ଫେରିଥିବା ତାଜା ସୂଚନା ମିଳିଛି ।

ଶନିବାର ସକାଳ ନହେଉଣୁ ଆଖି ବୁଜି ସାରିଥିଲେ ସାତ ସାତଟି ହାତୀ । କିଛି କ୍ଷଣ ମଧ୍ୟରେ ଚାଲିଯାଇଥିଲା ବିରାଟକାୟ ହାତୀଙ୍କ ଜୀବନ । ଯାହା ମଧ୍ୟରେ ଥିଲେ ୫ ଟି ମାଇ ହାତୀ, ଗୋଟିଏ ଛୁଆ ଓ ଗୋଟିଏ ଦନ୍ତା ହାତୀ । କେନାଲ ଓ ପାଖ ବିଲରେ ନିସ୍ତେଜ ହୋଇ ପଡି ରହିଥିଲା ହାତୀଙ୍କ ମୃତଦେହ । ଶନିବାର ଭୋର୍ ପ୍ରାୟ ୪ଟା । ଢେଙ୍କାନାଳର କଂଟାବଣିଆ ଅଂଚଳରେ ୨୧ଟି ହାତୀ ଥିବା ଏକ ହାତୀପଲ ସ୍ଥାନୀୟ ଅଂଚଳରେ ଘୁରି ବୁଲୁଥିଲେ । ଶୁକ୍ରବାର ରାତିରେ ହାତୀ ପଲ ନାଳ ପାଖ ଧାନ ବିଲକୁ ପଶିଥିଲେ ଖାଦ୍ୟ ପାଇଁ । ହେଲେ ନାଳ ହୁଡା ଉପରେ ଅଳ୍ପ ଉଚ୍ଚରେ ଯାଇଥିବା ଇଲେଭେନ୍ କେଭି ବିଦ୍ୟୁତ୍ ତାର ହାତୀପଲକୁ ଜୋରଦାର ଝଟକା ଦେଇଥିଲା । ଘଟଣାସ୍ଥଳରେ ଟଳି ପଡିଥିଲେ ସାତ ସାତଟି ହାତୀ ।

ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, ହାତୀ ମାରିଲା କିଏ ? ଜଙ୍ଗଲ ମନ୍ତ୍ରୀ ବନାମ ଶକ୍ତି ବିଭାଗ । ଘଟଣାସ୍ଥଳରେ ଚାଲିଥିଲା ଅନୁଗୁଳ-ଡୁବୁରି ରେଳ ଲାଇନ୍ କାମ । ରାହି ନାମକ ଏକ ଠିକା ସଂସ୍ଥା ଇଲେଭେନ୍ କେଭି ବିଜୁଳି ତାର ଟାଣି କାମ କରୁଥିଲା । ତେବେ ତାର ଗୁଡିକ ଖୁବ୍ ତଳକୁ ଝୁଲି ରହିଥିଲା । ନିୟମ ମୁତାବକ ୧୮ ଫୁଟ ନରହି ୭ ଫୁଟ ଉଚ୍ଚତାରେ ତାର ଟଣା ଯାଇଥିଲା । ଯେଉଁଥିରେ ଲାଗି ଚାଲିଯାଇଛି ହାତୀଙ୍କ ଜୀବନ । ଘଟଣା ପାଇଁ ସେସୁକୁ ଦାୟୀ କରିଛି ଜଙ୍ଗଲ ବିଭାଗ । ସେପଟେ ହାତୀମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଶକ୍ତି ବିଭାଗର ୩ ଜଣିଆ ଟିମ୍ ଢେଙ୍କାନାଳର ଘଟଣାସ୍ଥଳକୁ ଯାଇଛି ।

ସଙ୍କଟରେ ଗଜରାଜ । ରାଜ୍ୟରେ ଗତ ୮ ବର୍ଷ ଭିତରେ ୫୯୧ଟି ହାତୀଙ୍କର ମୃତ୍ୟୁ ହୋଇଛି । କେବଳ ଢେଙ୍କାନାଳ ଜିଲ୍ଲାରେ ୩ ବର୍ଷ ଭିତରେ ୨୮ରୁ ଅଧିକ ହାତୀ ପ୍ରାଣ ହରାଇଛନ୍ତି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଛି ୧୧ଟି ହାତୀଙ୍କ ଜୀବନ । ରାଜ୍ୟରେ ହାତୀ ସଂଖ୍ୟାକୁ ଦେଖିଲେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ ଜିଲ୍ଲା । ସରକାରୀ ଭାବେ ୧୬୬ ଟି ହାତୀ, ଢେଙ୍କାନାଳ ଜିଲ୍ଲାରେ ଅଛନ୍ତି । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ୩୦୦ରୁ ଅଧିକ ।