ଅଧଘଣ୍ଟା ଧରି ବସକୁ ଗୋଡ଼ାଇଲା ହାତୀ ! କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ

27

ଯାତ୍ରୀବାହୀ ବସ୍ ଆଡକୁ ଗୋଡାଇ ଆସିଲା ହାତୀ । କ୍ୟାମେରାରେ କଏଦ୍ ହେଲା ପୂରା ଦୃଶ୍ୟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଚମରାଜନଗରରୁ କେରଳର କାଲିକଟ୍ ଅଭିମୁଖେ ଯାଉଥିବା ଏକ ବସ୍ ବାନ୍ଦିପୁର ଜଙ୍ଗଲ ଅଂଚଳ ଦେଇ ଯାଉଥିଲା । ଆଉ ଏତିକି ବେଳେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଯାତ୍ରୀବାହୀ ବସକୁ ଦେଖି ଗୋଡାଇଥିଲା । ବସର ସାମନା ପଟୁ ହାତୀଟି ମାଡି ଆସୁଥିଲା । ଆଉ ଭୟରେ ବସ୍ ଡ୍ରାଇଭର ପଛକୁ ପଛକୁ ଗଡାଉଥିଲେ ବସକୁ । ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ବସକୁ ଏମିତି ଗୋଡାଇଥିଲା ହାତୀଟି ।

ଏପରିକି ଗୋଟିଏ ସମୟରେ ହାତୀର ଶୁଣ୍ଢ ବସ୍ ଡ୍ରାଇଭର ପାଖରେ ପହଂଚି ଯାଇଥିଲା । ଆଉ ହାତୀଟି ବସକୁ ଠେଲିବାରେ ଲାଗିଥିଲା । ବସ ଭିତରେ ଥିବା ଯାତ୍ରୀମାନେ ବି ଏପରି ଘଟଣାରେ ଭୟଭୀତ ହୋଇ ପଡିଥିଲେ । ତେବେ କୌଣସି ବଡ ଅଘଟଣ ଘଟି ନଥିଲା ଓ ବସଟି ସୁରକ୍ଷିତ ଅବସ୍ଥାରେ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ସୂଚନା ମିଳିଛି ।