ବିଚ୍ଛିନ୍ନାଚଂଳରେ ପହଂଚିଲା ବିଜୁଳି ! ସ୍ୱାଧିନତାର ୭୦ ବର୍ଷ ପରେ ଚିତ୍ରକୋଣ୍ଡାର ଉପାନ୍ତ ଅଂଚଳ ଦେଖିଲା ବିଜୁଳି ଆଲୁଅ

41

କନକ ବ୍ୟୁରୋ : ବିଜୁଳି ଆଲୁଅ ଦେଖିଲା ବିଚ୍ଛିନ୍ନାଂଚଳର ଅନ୍ଧାରୀ ଇଲାକା । ମାଲକାନଗିରି ମାଓ ଅଧ୍ୟୁଷିତ ଚିତ୍ରୋକୋଣ୍ଡାର ବୁଡି ଅଂଚଳରେ ସ୍ୱାଧୀନତାର ୭୦ ବର୍ଷ ପରେ ପହଁଚିଛି ବିଜୁଳି । ଘରେ ବଲବ ଜଳିଛି, ଟିଭି ଲାଗିଛି । ୭ ବର୍ଷ ତଳେ ତତକାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଏଠାରେ ବିଜୁଳି ସେବାର ଶୁଭାରମ୍ଭ କରିଥିଲେ । ହେଲେ ତାଙ୍କୁ ଅପହରଣ ପରେ ଗାଁରେ ହଜିଯାଇଥିଲା ବିଜୁଳି ସ୍ୱପ୍ନ । ଏବେ ବୁଡି ଅଂଚଳରେ ପହଁଚିଛି ବିଜୁଳି ।

ଅନ୍ଧାରୀ ଇଲାକାରେ ଜଳିଲା ବିଜୁଳୀ ବତି । ବର୍ଷ ବର୍ଷ ଧରି ଅନ୍ଧାରରେ ଥିବା ରାତିକୁ ଆଲୋକିତ କରିଛି ବିଦ୍ୟୁତ୍ ବଲବ । ଘରେ ଘରେ ଟିଭି ଲାଗିଛି । ମୋବାଇଲ୍ ବି ଚାର୍ଜ  ହେଉଛି । ଏବେ ଦିନ-ରାତି ଏକା ପରି ଲାଗୁଛି । ମାଲକାନଗିରିରେ ମାଓବାଦୀଙ୍କ ଚରାଭୂଈଁ ଚିତ୍ରକୋଣ୍ଡା । ପାଦେ ପାଦେ ମାଓବାଦୀଙ୍କ ଆତଙ୍କ । ପାହାଡ ପର୍ବତ ଓ ଘଂଚ ଜଙ୍ଗଲ ଘେରା ଦୁର୍ଗମ ଅଂଚଳକୁ ବିଜୁଳି ପହଁଚାଇବା ସହଜ ନଥିଲା । ଘୋଡାରେ ବୁହା ହୋଇଥିଲା ବିଦ୍ୟୁତ୍ ସାମଗ୍ରୀ । ଏବଂ ଜଳବନ୍ଦୀ ଅଂଚଳକୁ ଡଙ୍ଗାରେ ପହଁଚିଥିଲେ କର୍ମଚାରୀ । ଆଉ ତାପରେ ବର୍ଷ ବର୍ଷ ଧରି ଚାଲିଲା କାମ ।

୧୯୭୦ରେ ତିଆରି ହେଲା ବାଲିମେଳା ଜଳ ଭଣ୍ଡାର । ଜଳବନ୍ଦୀ ହୋଇଗଲେ ଏଠାକାର ଲୋକେ । ଜଳ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ ହୋଇ ଓଡିଶା ତଥା ପଡୋଶୀ ରାଜ୍ୟ ଆଲୋକିତ ହେଲା ସତ ହେଲେ ୪୭ବର୍ଷ ହେଲା ଅନ୍ଧାରୀ ଜୀବନ ବିତାଉଥିଲେ ସିଲିଗୁମା ବାସୀ । ୨୦୧୧ରେ ତତକାଳୀନ ଜିଲ୍ଲାପାଳ ଆର୍ ଭିନିଲ କ୍ରିଷ୍ଣା ଏଠାରେ ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତକରଣ ଯୋଜନାର ଶୁଭାରମ୍ଭ କରିଥିଲେ । ହେଲେ ଫେରିବା ବାଟରେ ତାଙ୍କୁ ଅପହରଣ କରିନେଲେ ମାଓବାଦୀ । ସେବେଠୁ ବିଚ୍ଛିନ୍ନାଂଚଳରେ ବନ୍ଦ ହୋଇଯାଇଥିଲା ବିଜୁଳିର ବାଟ ।ପ୍ରଥମ ପର୍ଯ୍ୟାୟରେ ଖର୍ଚ ହୋଇଛି ୧୦୪ କୋଟି । ବୁଡି ଅଂଚଳର ୯୭ଟି ଗାଁକୁ ପହଁଚିଛି ବିଜୁଳି । ଏଥିସହ ମାଲକାନଗିରି ଜିଲ୍ଲାର ୮୯୨ ଟି ରାଜସ୍ୱ ଗାଁ ଓ ୧୧୪୨ ଟି ପଡା ଆଲୋକିତ ହୋଇପାରିଛି ।