ବିଜୁଳି ଜଳିଲା ବଡଦେଉଳେ । ଦୀର୍ଘ ୧୨ ଦିନ ପରେ ଉଜ୍ଜ୍ୱଳ ଆଲୁଅରେ ଝଲସି ଉଠିଲା ଶ୍ରୀମନ୍ଦିର, ଟ୍ୱିଟ୍ କରି ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

664

କନକ ବ୍ୟୁରୋ : ଜଗା ଦୁଆରେ ଜଳିଲା ଲାଇଟ । ଦୀର୍ଘ ୧୨ ଦିନ ପରେ ଆଲୋକିତ ହେଲା ଶ୍ରୀମନ୍ଦିର ଓ ବଡଦାଣ୍ଡ । ପ୍ରଳୟଙ୍କାରୀ ବାତ୍ୟା ଫୋନି ଚାଲିଯିବା ସହ ଶ୍ରୀକ୍ଷେତ୍ରକୁ ଘନ ଅନ୍ଧକାର ମଧ୍ୟକୁ ଠେଲି ଦେଇଥିଲା । ପୂର୍ବରୁ ଚଳଚଞ୍ଚଳ ହୋଇ ଉଠୁଥିବା ବଡଦାଣ୍ଡ ସନ୍ଧ୍ୟା ହେବା ମାତ୍ରେ ଶୂନଶାନ ହୋଇ ଯାଉଥିଲା । କିନ୍ତୁ ଦୀର୍ଘ ୧୨ ଦିନର ଅପେକ୍ଷା ପରେ ଆଜି ଉଜ୍ଜ୍ୱଳ ଆଲୁଅରେ ପୁଣିଥରେ ଝଲସି ଉଠିଛି ଶ୍ରୀକ୍ଷେତ୍ର । ବାତ୍ୟା ଫୋନି ପରେ ବଡ ବଡ ଗଛ ଗୁଡିକ ମାଟି କାମୁଡି ପଡିଥିବାରୁ ମନ୍ଦିର ଉପରେ ଫରଫର ହୋଇ ଉଡୁଥିବା ପତିତପାବନ ବାନା କାହିଁ କେତେ ଦୂରରୁ ଦେଖାଯାଉଛି ।

ବିଦ୍ୟୁତ ଆଲୁଅ ପଡିବା କ୍ଷଣି ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ସତେ ଯେମିତି ଏହି ଦିନକୁ ଅପେକ୍ଷା କରି ରହିଥିଲେ ପୁରୀବାସୀ । ବିଜୁଳି ଆଲୁଅ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲେ କିଛି ଲୋକେ । ସବୁ ଜଗନ୍ନାଥଙ୍କ କୃପା ବୋଲି କହି ଖୁସିରେ ଆତ୍ମହରା ହୋଇଯାଇଥିଲେ ପୁରୀ ବାସିନ୍ଦା ।

ପୁରୀ ଶ୍ରୀମନ୍ଦିର ଓ ବଡଦାଣ୍ଡକୁ ବିଦ୍ୟୁତ ସେବା ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜର ଖୁସି ଜାହିର କରିଛନ୍ତି । ଶ୍ରୀମନ୍ଦିରରେ ଲାଇଟ ଜଳୁଥିବାର ଫଟୋ ନିଜ ଟ୍ୱିଟର ପେଜରେ ସେୟାର କରିବା ସହ ଏହା ପଛର ନାୟକଙ୍କୁ ଧନ୍ୟବାଦ ଦେବାକୁ ଭୁଲିନାହାନ୍ତି । ଓଡିଶାର ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ସହ ଭିନ୍ନ ଭିନ୍ନ ରାଜ୍ୟରୁ ଆସି ପୁନଃରୁଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ହଜାର ହଜାର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁମାନେ ପୁରୀକୁ ବିଦ୍ୟୁତ ଯୋଗାଇବା ପାଇଁ ଦିନରାତି ଏକ କରି ଦେଇଥିଲେ । ଆଉ ଦୀର୍ଘ ୧୨ ଦିନ ପରେ ଅନ୍ଧକାରରେ ରହିଥିବା ପୁରୀ ଶ୍ରୀମନ୍ଦିର ଆଲୋକିତ ହୋଇଥିଲା ।