୧୦୦% ବିଦ୍ୟୁତକରଣ ସ୍ୱପ୍ନ ନା ବାସ୍ତବତା ? ଆଜି ବି ବିଦ୍ୟୁତ ସେବାରୁ ବଞ୍ଚିତ କନ୍ଧମାଳର ଗାଁ ।

60

କନକ ବ୍ୟୁରୋ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମରେ ବିଦ୍ୟୁତ ପହଞ୍ଚିଥିବା କହୁଥିବା ବେଳେ ଆଜିବି ବିଦ୍ୟୁତ ସେବାରୁ ବଞ୍ଚିତ ଅଛନ୍ତି ଆନ୍ଦାରିପାଙ୍ଗା ଗ୍ରାମବାସିନ୍ଦା । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ପାଡାଙ୍ଗି ପଞ୍ଚାୟତରେ ଏହି ଗ୍ରାମ ଅବସ୍ଥିତ । ଯେଉଁଠି ସଞ୍ଜ ନଇଁଲେ ଚାରିଆଡେ ଅନ୍ଧାର । ବାହାରକୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି ଲୋକେ । ବିଦ୍ୟୁତ ସେବାରୁ ବଞ୍ଚିତ ଅଛନ୍ତି ସମଗ୍ର ଗ୍ରାମବାସୀ । ବିଦ୍ୟୁତ ପାଇଁ ବାରମ୍ବାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଧାୟକ, ସମସ୍ତଙ୍କୁ ଗୁହାରି କରିଛନ୍ତି ଗ୍ରାମବାସୀ । ଆଉ ଏହାପରେ ମଧ୍ୟ କିଛି ସୁଫଳ ମିଳିନାହିଁ ।

ଗାଁରେ ବିଦ୍ୟୁତ ନଥିବା ଯୋଗୁଁ, ପିଲାମାନଙ୍କ ପାଠ ପଢିବା ଠାରୁ ଆରମ୍ଭ କରି ସମସ୍ତ କାମରେ ଅସୁବିଧା ଉପୁଜୁଛି । ବିଦ୍ୟୁତ ନଥିବା ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଆନ୍ଦାରିପାଙ୍ଗା ଗାଁରେ ବିଦ୍ୟୁତ ସେବା ପହଞ୍ଚିନଥିବା କଥା ଜାଣିନଥିଲେ ବୋଲି କହିଛନ୍ତି, ରାଇକିଆ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ । ତେବେ ଘଟଣା ସମ୍ପର୍କରେ ସେ ଏନଟିପିସିକୁ ଜଣାଇବେ ଏବଂ ସୌଭାଗ୍ୟ ଯୋଜନାରେ ସେ ଗ୍ରାମକୁ ଖୁବଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଆନ୍ଦାରିପାଙ୍ଗା ଗ୍ରାମରେ ୧୫ ଜଣ ବିପିଏଲ ପରିବାର ବସବାସ କରୁଥିବା ବେଳେ ଗ୍ରାମକୁ ବିଦ୍ୟୁତସେବା ପହଞ୍ଚିନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ବିଭାଗୀୟ ଅଧିକାରୀ କହିଛନ୍ତି, ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ।