ଅସହ୍ୟ ତାତି ସାଙ୍ଗକୁ ଦୁଃଖ ବଢାଉଛି ଅଘୋଷିତ ବିଦ୍ୟୁତ୍ କାଟ୍ ! ସରକାରୀ ହସ୍ପିଟାଲରେ ଅଭାବନୀୟ ପରିସ୍ଥିତି, ରୋଗୀ ହନ୍ତସନ୍ତ ।

34
କନକ ବ୍ୟୁରୋ : ଖରା ଯୋଗୁଁ ଅଂଶୁଘାତର ଖବର ଯେତିକି ବିବ୍ରତ କରୁଛି, ଠିକ୍ ସେହିଭଳି ଅଘୋଷିତ ବିଜୁଳିକାଟ୍ ଚିନ୍ତା ବଢ଼ାଇ ଦେଇଛି । ଖରା ଯୋଗୁଁ ନା’ ବାହାରକୁ ବାହାରି ହେଉଛି, ନା’ ଗୁଳୁଗୁଳି ଯୋଗୁଁ ଘରେ ବସି ହେଉଛି । ଆଉ ଏସବୁ ଭିତରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଚିତ୍ର ଦେଖିଲେ କେବଳ ଗୋଟିଏ କଥା ମନକୁ ଆସୁଛି- ଗରିବ ହେଲେ ମଲ । ସମାନ ଚିତ୍ର, ଗୋଟିଏ କାହାଣୀ । ଗାଁରେ ଯେଉଁ ଅବସ୍ଥା, ସହରରେ ସେଇ ଏକା ଅବସ୍ଥା । ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ବିଜୁଳି କାଟର ଇଏ ହେଉଛି ବିକଳ ପରିଣତି । ପ୍ରବଳ ଗରମ ପାଇଁ ଖରାଛୁଟି ସିନା ଗଡି ଚାଲିଛି, ହେଲେ ତାତିରୁ ମିଳୁନି ଆଶ୍ୱସ୍ତି ।
ବିଜୁଳି ବିଭାଗ ଉପରେ ପୁରା ଭରସା ତୁଟିଯାଏ ଯେତେବେଳେ ଏହି ଭଳି ଚିତ୍ର ଆଖି ସାମ୍ନାକୁ ଆସେ । ବିଂଚଣା ପବନର ଭରସାରେ ରହିଛି ନବଜାତ ଶିଶୁ । ଜଗତସିଂହପୁର ହସ୍ପିଟାଲରେ ଲାଇନ ନାହିଁ କି ହସ୍ପିଟାଲରେ ଥିବା ଡିଜି ଲଗାଇବାକୁ ମଙ୍ଗୁ ନାହାନ୍ତି କର୍ତୃପକ୍ଷ । ସ୍ଥିତି ଏମିତି ହୋଇଛି ଯେ, ହସ୍ପିଟାଲ ବାରଣ୍ଡାରେ ରୋଗୀ ଦେଖୁଛନ୍ତି ଡାକ୍ତର । ନୀଳଗିରିରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଡାକ୍ତରଖାନାରେ ଲାଇନ ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ବିଦ୍ୟୁତକାଟ୍ ନେଇ ହାତ ଟେକି ଦେଇଛି ଗ୍ରୀଡକୋ  । ଏସବୁ ଭିତରେ ପାଣିପାଗ ବିଭାଗର ଆକଳନ ଅକଲ୍ ଗୁଡମ୍ କରି ଦେଉଛି ।