ପୁଣି ବଢିପାରେ ବିଦ୍ୟୁତ ଶୁଳ୍କ ! ଆଜିଠାରୁ ଓଇଆରସିର ଶୁଣାଣି ଆରମ୍ଭ

58

କନକ ବ୍ୟୁରୋ: ପୁଣି ବଢିପାରେ ବିଦ୍ୟୁତ ଶୁଳ୍କ । ବିଭିନ୍ନ ବିଦ୍ୟୁତ ଉତ୍ପାଦନକାରୀ ଓ ବଂଟନକାରୀ ସଂସ୍ଥା ବିଦ୍ୟୁତ ବିଲ ବଢାଇବା ଲାଗି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ, ଓଇଆରସିଙ୍କ ନିକଟରେ ଆବେଦନ କରିଛନ୍ତି । ଆଜିଠାରୁ ଏହାର ଶୁଣାଣି ଆରମ୍ଭ ହେବ । ଫେବୃଆରୀ ୧୩ ତାରିଖ ଯାଏଁ ଏହି ଶୁଣାଣି ହେବ । ଶୁଣାଣିବେଳେ ସମସ୍ତ ଆବଦେନକାରୀ ନିଜର ପକ୍ଷ ରଖିବେ । ଦିନକୁ ଦିନ ବିଦ୍ୟୁତ ଉତ୍ପାଦନ ଓ କ୍ରୟ ଖର୍ଚ୍ଚ ଉପରେ ବୋଝ ବଢି ବଢି ଚାଲିଛି । ବାର୍ଷିକ ଖର୍ଚ୍ଚ ମେଂଟାଇବା ପାଇଁ ଶୁଳ୍କ ୧୦ରୁ ୨୦ ପ୍ରତିଶତ ବଢାଇବା ଦରକାର ବୋଲି ଗ୍ରୀଡକୋ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ବିଦ୍ୟୁତ ବଂଟନ କମ୍ପାନୀଗୁଡିକ ବିଦ୍ୟୁତ କ୍ରୟ ବାବଦରେ ୬ ହଜାର ୬ ଶହ ୨୪ କୋଟି ପଇଠ କରିନାହାନ୍ତି । ରାଜ୍ୟରେ ମୋଟ ୬୦ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଅଛନ୍ତି । ଏମାନଙ୍କ ମଧ୍ୟରୁ ୪୦ ଲକ୍ଷ ଘରୋଇ ଉପଭୋକ୍ତା ଅଛନ୍ତି । ଗତବର୍ଷ ଓଇଆରସି ପକ୍ଷରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଇଥିଲା । ପ୍ରଥମ ୫୦ ୟୁନିଟକୁ ବାଦ ଦେଇ ପରବର୍ତ୍ତୀ ୟୁନିଟଗୁଡିକ ଉପରେ ୧୦ ପଇସା ବଢାଯାଇଥିଲା । ତେବେ ଏବେ ବିଦ୍ୟୁତ ଦର ବଢିବ କି ନାହିଁ ତାହା ଓଇଆରସିଙ୍କ ଉପରେ ନିର୍ଭର କରେ ।

ମିଳିଥିବା ସୂଚନା ଅନୁଯାୟୀ, ବଣ୍ଟନ କମ୍ପାନୀଗୁଡିକ ବିଦ୍ୟୁତ୍ କ୍ରୟ ବାବଦରେ ୬ ହଜାର ୬ ଶହ ୨୪ କୋଟି ପଇଠ କରିନାହାନ୍ତି । ବିଦ୍ୟୁତ ବିଲ୍ ବାବଦରେ ବଣ୍ଟନ କମ୍ପାନୀ ଓ୍ବେସ୍କୋ ଉପରେ ୧୮୧୧କୋଟି ଟଙ୍କା ବକେୟା ପଡିଥିବା ବେଳେ ନେସ୍କୋ ଉପରେ୧୨୩୦ କୋଟି, ସାଉଥକୋ ଉପରେ ୧୦୫୯କୋଟି ଏବଂ ସେସୁ ଉପରେ ୨୪୨୨ କୋଟି ଟଙ୍କା ବକେୟା ରହିଛି । ଅନ୍ୟପକ୍ଷରେ ପୁରୁଣାକାଳିଆ ତାର ଓ ସବଷ୍ଟେସନ ଯୋଗୁ ରାଜ୍ୟରେ ପରିବହନ ଓ ବଣ୍ଟନ(ଟି ଆଣ୍ଡ ଡି) ଜନିତ କ୍ଷତି ବଢୁଛି। ଏହି କ୍ଷତି କମାଇବାକୁ ବଣ୍ଟନ କମ୍ପାନୀଗୁଡିକ ଦୃଷ୍ଟି ଦେଉନାହାନ୍ତି। ଓଡିଶାରେ ଟି ଆଣ୍ଡ ଡି କ୍ଷତି ଏବେ ବି ୩୮ ପ୍ରତିଶତ ରହିଛି । ପଡୋଶୀ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ଟି ଆଣ୍ଡ ଡି କ୍ଷତି ଯଥାକ୍ରମେ ୧୫.୨୪ ଓ ୧୬.୧ ପ୍ରତିଶତ ରହିଛି । ଫଳରେ ଏହି କ୍ଷତିର ବୋଝ ସାଧାରଣ ଉପଭୋକ୍ତାଙ୍କ ଉପରେ ଲଦିବା ପାଇଁ ପ୍ରୟାସ କରାଯାଉଛି । ରାଜ୍ୟରେ ପ୍ରାୟ ୬୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ରହିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଲକ୍ଷ ଘରୋଇ ଉପଭୋକ୍ତା ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ବର୍ଷ ଓଇଆରସି ପକ୍ଷରୁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଇଥିଲା । ପ୍ରଥମ ୫୦ ୟୁନିଟକୁ ବାଦ୍ ଦେଇ ପରବର୍ତ୍ତୀ ୟୁନିଟଗୁଡିକ ଉପରେ ୧୦ ପଇସା ବୃଦ୍ଧି କରାଯାଇଥିଲା । ବିଦ୍ୟୁତ ଦର ଚଳିତ ବର୍ଷ ବୃଦ୍ଧି ପାଇବ କି ନାହିଁ ତାହା ଓଇଆରସିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ।