ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦିରେ ଗଡ଼ିବ ଇଲେକ୍ଟ୍ରିକ୍ ଗାଡ଼ି ! ପ୍ରଦୂଷଣମୁକ୍ତ ସହର ଭାବେ ଗଢ଼ି ତୋଳିବାକୁ ଯୋଜନା

53

କନକ ବ୍ୟୁରୋ : ରାଜଧାନୀରେ ପ୍ରଦୂଷଣମାତ୍ରା ଉଦ୍‌ବେଗଜନକ ନହେଲେ ବି ଚିନ୍ତାଜନକ । ୨୦୦୪ରୁ ୨୦୧୪ ମଧ୍ୟରେ ଗାଡ଼ି ସଂଖ୍ୟା ୩ଗୁଣ ବଢ଼ିଗଲାଣି । ଅଟୋ ସଂଖ୍ୟା ବର୍ଷକୁ ୧୩% ହାରରେ ବଢ଼ିଛି। ଯାହା ଜାତୀୟ ହାରଠାରୁ ବି ଅଧିକ । ଏଥିରୁ ଅଧିକାଂଶ ଗାଡ଼ି ଡିଜେଲ୍‌ ଇନ୍ଧନରେ ଚାଲିଥିବାରୁ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢ଼ିଚାଲିଛି । ଏଠାରେ ଯେପରି ଦିଲ୍ଲୀ ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସେସ୍‌ (ବିପିଟିଏସ୍‌) ପକ୍ଷରୁ ଏକ ଡିପିଆର୍‌ ପ୍ରସ୍ତୁତ ହୋଇଛି । ରାଜଧାନୀର ପ୍ରତି ଗଳିକନ୍ଦିରେ ଇଲେକ୍ଟ୍ରିକ୍‌ ଗାଡ଼ି ଚଲାଇବାକୁ ଏଥିରେ ଯୋଜନା ହୋଇଛି । ଏଥିପାଇଁ ୨୧୯କୋଟି ୭୫ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ରିପୋର୍ଟ ଭାରତ ସରକାରଙ୍କ ଭାରୀ ଶିଳ୍ପ ବିଭାଗକୁ ପଠାଯାଇଛି ।

ଏଥିରେ ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ ସହର ଭାବେ ଗଢ଼ି ତୋଳିବାକୁ ଯୋଜନା ହୋଇଛି । ରାଜଧାନୀରେ ବାୟୁ ପ୍ରଦୂଷଣ ମାତ୍ରା ବିପଦ ସ୍ତରରେ କିମ୍ବା ସନ୍ତୋଷଜନକ ରହୁଥିବାରୁ ଖୁବ୍‌ ଶୀଘ୍ର ଏନେଇ ପଦକ୍ଷେପ ନନେଲେ ଏହା ଖରାପ ସ୍ଥିତିକୁ ଆସିଯିବ । ତେଣୁ ଭୁବନେଶ୍ୱରରେ ସାଧାରଣ ପରିବହନ ବ୍ୟବସ୍ଥାକୁ ସରକାର ଗୁରୁତ୍ୱ ଦେଉଥିବାବେଳେ ଏବେ ଇଲେକ୍ଟ୍ରିକ୍‌ ଗାଡ଼ି ଚଲାଇବାକୁ ଯୋଜନା ହେଉଛି । ୨୦୨୧ସୁଦ୍ଧା ସାଧାରଣ ପରିବହନ ବ୍ୟବସ୍ଥାରେ (ସିଟି ବସ୍‌, ଅଟୋ, ଭଡ଼ାରେ କାର୍‌ ନେଉଥିବା) ଯାତ୍ରୀଙ୍କ ସଂଖ୍ୟା ୨୦% କରିବାକୁ ଯୋଜନା କରିଥିବାବେଳେ ଇଲେକ୍ଟ୍ରିକ୍‌ ଗାଡ଼ି ଚଳାଚଳ କଲେ ପ୍ରଦୂଷଣ ମାତ୍ରା ଉପରେ ରୋକ୍‌ ଲାଗିପାରିବ ବୋଲି କୁହାଯାଇଛି ।

ଏଥିପାଇଁ ବିପିଟିଏସ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡିପିଆର୍‌ରେ ଭୁବନେଶ୍ୱରର ବିଭିନ୍ନ ରୁଟ୍‌ରେ ଇଲେକ୍ଟ୍ରିକ୍‌ ବସ୍‌, ଚାରି ଚକିଆ ଯାନ, ତିନି ଚକିଆ ଯାନ, ବାଇକ୍‌, ଇ-ରିକ୍ସା ଆଦି ଚଲାଇବାକୁ ଯୋଜନା ହୋଇଛି । ଏହି ଇଲେକ୍ଟ୍ରିକ୍‌ ଯାନଗୁଡ଼ିକରେ ବଡ଼ ବଡ଼ ବ୍ୟାଟେରି ରହିବ । ଏହା ଚାର୍ଜ ହେବା ପରେ ଚାଲିବ । ଯୋଜନା ଅନୁଯାୟୀ, ୩୨କିମି ଟ୍ରାନଜିଟ୍‌ କରିଡର୍‌ ହେବ । ଏଥିରେ ୯୨ଟି ଇଲେକ୍ଟ୍ରିକ୍‌ ବସ୍‌ ଚାଲିବ । ଏଥିରେ ଦୈନିକ ୧ଲକ୍ଷ ୯୨ହଜାର ଯାତ୍ରୀ ଯାତାୟାତ କରିପାରିବେ। ବସ୍‌ଗୁଡ଼ିକ ସର୍ବନିମ୍ନ ୫ମିନିଟ୍‌ରେ ଗନ୍ତବ୍ୟସ୍ଥଳରେ ପ୍ରତ୍ୟେକ ଗନ୍ତବ୍ୟସ୍ଥଳରୁ ଛାଡ଼ିବ ।

ସେହିପରି ସ୍ମାର୍ଟ ସିଟି ଭୁବନେଶ୍ୱରର ଏରିଆ ବେସ୍‌ଡ ଡେଭଲପମେଣ୍ଟ (ଏବିଡି) ଅଞ୍ଚଳ ବା ଶିଶୁଭବନରୁelectric vechile ବାଣୀବିହାର ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ପ୍ରତ୍ୟେକ ସ୍ଥାନକୁ ଯାତାୟାତ ପାଇଁ ୫୦୦ ଇ-ରିକ୍ସା ଚାଲିବ । ଏଥିପାଇଁ ପ୍ରତ୍ୟେକ ଛକରେ ଚାର୍ଜିଂ ବ୍ୟବସ୍ଥା ରହିବ । ଏନେଇ ସ୍ମାର୍ଟ ସିଟି ଯୋଜନାରେ ୧୦.୫କୋଟିର ବଜେଟ୍‌ ବି ଅଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ୨୦୩୦ସୁଦ୍ଧା ରାଜଧାନୀର ୩୦% ଲୋକ ଇଲେକ୍ଟ୍ରିକ ଗାଡ଼ିରେ ଯାତାୟାତ କରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ବିପିଟିଏସ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ୨୪% ଲୋକ ଅଟୋରେ ଯାତାୟାତ କରୁଥିବାବେଳେ ୬% ଲୋକ ସିଟି ବସ୍‌ରେ ଯାତାୟାତ କରୁଛନ୍ତି । ଯେତେବେଳେକି ଭୁବନେଶ୍ୱର ଭଳି ସହରରେ ମାତ୍ର ୫% ଲୋକ ଅଟୋରେ ଯାତାୟାତ କରିବା କଥା । ଭୁବନେଶ୍ୱରରେ ସାଧାରଣ ପରିବହନ ଭିତ୍ତିଭୂମିର ଅଭାବ ଥିବାରୁ ଇଲେକ୍ଟ୍ରିକ୍‌ ଗାଡ଼ି ଚଳାଚଳ କଲେ ଏହା ଅଧିକ ଆଦୃତ ହେବ। ପ୍ରଦୂଷଣ ମାତ୍ରା ବି ନିୟନ୍ତ୍ରଣାଧୀନ ରହିବ । ରାଜଧାନୀକୁ ପ୍ରଦୂଷଣମୁକ୍ତ ସହର କରିବାକୁ ୩୨କିମିର ଭୁବନେଶ୍ୱର ସାଇକେଲ୍‌ ହାଇେଓ୍ଵ କରିବାକୁ ଯୋଜନା ହୋଇଥିବାବେଳେ ପବ୍ଲିକ ବାଇସାଇକେଲ୍‌ ସେୟାରିଂ, ଇ-ରିକ୍ସା ବ୍ୟବସ୍ଥା ଆରମ୍ଭ ହେବ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଭାରୀ ଶିଳ୍ପ ବିଭାଗ ପକ୍ଷରୁ ଦେଶରୁ ୫ଟି ସହରରେ ଇଲେକ୍ଟ୍ରିକ ଗାଡ଼ି ଚଳାଚଳ ଆରମ୍ଭ କରିବାକୁ ଯୋଜନା ହୋଇଥିବାବେଳେ ଏଥିପାଇଁ ଦେଶର ସମସ୍ତ ସହରରୁ ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟରେଷ୍ଟ ମଗାଯାଇଛି । ବିପିଟିଏସ୍‌ ଏଥିରେ ଭାଗ ନେଇ ତା’ର ଡିପିଆର୍‌ ଦାଖଲ କରିଛି ।