ସ୍ୱାଧୀନତାର ୭୦ବର୍ଷ ପରେ ଅନ୍ଧାରରେ ଗାଁ : ସର୍ବାଧିକ ରାଜସ୍ୱ ଦେଉଥିବା ଅଂଚଳରେ ପହଂଚି ପାରିନି ବିଜୁଳି ଆଲୁଅ

31

କନକ ବ୍ୟୁରୋ : ସ୍ୱାଧୀନତାର ୭୦ବର୍ଷ ପରେ ଅନ୍ଧାରରେ ଗାଁ । ସର୍ବାଧିକ ରାଜସ୍ୱ ଦେଉଥିବା ଅଂଚଳରେ ପହଂଚି ପାରିନି ବିଜୁଳି ଆଲୁଅ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ଜଙ୍କସାହି । ସର୍ବାଧିକ ରାଜସ୍ୱ ଦେଉଥିବା ଅଂଚଳର ଏହି ଗାଁରେ ବସବାସ କରନ୍ତି ଶହେରୁ ଅଧିକ ଆଦିବାସୀ ପରିବାର । ହେଲେ ଗାଁକୁ ଏଯାଏଁ ହୋଇ ପାରିନାହିଁ ବିଦ୍ୟୁତ୍ ସଂଯୋଗ । ରାତି ହେଲେ ଗାଁରେ ଯେମିତି ଘନ ଅନ୍ଧାର ମାଡି ଆସେ । ଆନ୍ଧାର ରାତିରେ ପାଠପଢାରେ ବହୁ ଅସୁବିଧା ଭୋଗୁଛନ୍ତି ଏଠାକାର ଛାତ୍ରଛାତ୍ରୀ । ଗାଁରେ ହାତୀ ଭୟ ଲାଗି ରହିଥିବା ବେଳେ ଲାଇନ୍ ନଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି ।

ଖଣି ଖାଦାନ ଭରା ଜଙ୍କସାହିର ଲୋକମାନେ ଶ୍ରମିକ ଭାବେ କାମ କରି ପେଟ ପୋଷନ୍ତି । ପେଟକୁ ଦିମୁଠା ଦାନା ମିଳିଯାଏ ସିନା ହେଲେ, ଅନେକ ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ । ଅନ୍ୟ ସବୁ ସମସ୍ୟ କଥା ଛାଡ,ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ଲୋକେ ବାରମ୍ବାର ଜିଲ୍ଲାପ୍ରଶାସନକୁ ଗୁହାରି କଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ସେପଟେ ଏ ବାବଦରେ ପ୍ରତିକ୍ରିୟା ରଖି ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଯଥାଶୀଘ୍ର ଜଙ୍କସାହିକୁ ବିଦ୍ୟୁତ୍ ସଂଯୋଗ ଦିଆଯିବା କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯୋଡା ଅଂଚଳରୁ ସରକାର ଆଦାୟ କରୁଛନ୍ତି କୋଟି କୋଟି ଟଂକାର ରାଜସ୍ୱ । ଡିଏମଏଫ୍ ବାବଦରେ ଆଦାୟ ହେଉଛି ଅନେକ ଟଂକା । ହେଲେ, ଅନ୍ଧାରରେ କାଳ କାଟୁଛନ୍ତି ଖଣି ଅଂଚଳକର କ୍ଷତିଗ୍ରସ୍ତ ।