ଜଳସ୍ତର ହ୍ରାସ ଯୋଗୁଁ କମୁଛି ବିଦ୍ୟୁତ ଉତ୍ପାଦନ : ବୁର୍ଲା ଜଳ ବିଦ୍ୟୁତ କେନ୍ଦ୍ରର ଜଟିଳ ସ୍ଥିତି

81

କନକ ବ୍ୟୁରୋ :  ୫ ବର୍ଷ ମଧ୍ୟରେ ଚଳିତ ବର୍ଷ ବୁର୍ଲା ବିଦ୍ୟୁତ କେନ୍ଦ୍ରରେ ସର୍ବାଧିକ ଜଟିଳ ସ୍ଥିତି ଉତ୍ପନ୍ନ ହୋଇଛି । ଏହା କହିଛନ୍ତି ଓଏଚପିସି, ବୁର୍ଲାର ଜିଏମ ଜ୍ଞାନରଞ୍ଜନ ଦାଶ । ଏପରିକି ୪ ବର୍ଷ ମଧ୍ୟରେ ୨୦୧୮ ମସିହାରୁ ୨୦୧୯ ମସିହା ମାର୍ଚ ମାସ ପର୍ଯ୍ୟନ୍ତ ସର୍ବନିମ୍ନ ୩୮୫.୪୪୪ ଏମୟୁ ବିଦ୍ୟୁତ ଉତ୍ପାଦିତ ହୋଇଛି । କ୍ରମାଗତ ଜଳସ୍ତର ହ୍ରାସ ଏହାର ମୁଖ୍ୟ କାରଣ ବୋଲି ଆଶଙ୍କା କରାଯାଉଛି । ଏସଏଲଡିସି ନିର୍ଦେଶରେ ହୀରାକୁଦ ଜଳଭଣ୍ଡାରରୁ ପାୱାର ଚ୍ୟାନେଲ ନେଇଛି ମାତ୍ର ୩୫ ଶହ କ୍ୟୁସେକ ପାଣି । ଏଥିଯୋଗୁଁ ବୁର୍ଲା ଏବଂ ଚିପିଲିମା କେନ୍ଦ୍ରର ବିଦ୍ୟୁତ ଉତ୍ପାଦନ ସାଂଘାତିକ ହ୍ରାସ ପାଇଛି ।

ଉଭୟ ୨୦ ମେଗାୱାଟ ଲେଖାଏଁ ବିଜୁଳି ଉତ୍ପାଦନ କରିପାରିବେ ବୋଲି ଆଶଙ୍କା କରାଯାଉଛି । ଏଥିପୂର୍ବରୁ ଜୁନମାସରେ ଜଳସ୍ତର ହ୍ରାସ ଯୋଗୁଁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିଲା । କିଛି ବର୍ଷ ହେଲା ବୁର୍ଲା ପାୱାରହାଉସରୁ କ୍ରମାଗତ ଭାବରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ଏହାର କ୍ଷମତା ୨୭୫.୫ ମେଗାୱାଟ ହୋଇଥିଲେ ମଧ୍ୟ ମାତ୍ର ୬୭ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇ ପାରୁଛି । ୪ ବର୍ଷ ମଧ୍ୟରେ ଅର୍ଥାତ ୨୦୧୭ ମାର୍ଚରୁ ୨୦୧୮ ମାର୍ଚ ପର୍ଯ୍ୟନ୍ତ ବୁର୍ଲା ପାୱାର ହାଉସରୁ ସମୁଦାୟ ୬୧୨.୦୨୩ ଏମୟୁ, ୨୦୧୬ରୁ ୨୦୧୭ ମଧ୍ୟରେ ୫୩୩.୩୫ ଏମୟୁ, ୨୦୧୫ରୁ୨୦୧୬ ମଧ୍ୟରେ ୪୫୮.୨୯ ଏମୟୁ ବିଜୁଳି ଉତ୍ପାଦିତ ହୋଇଥିଲା । ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଏସଏଲଡିସିର ନିର୍ଦେଶ ଅନୁଯାୟୀ ବିଜୁଳି ଉତ୍ପାଦିତ ହୁଏ ।

ଜଳସ୍ତର ହ୍ରାସ ଉତ୍ପାଦନକୁ ବାଧାପ୍ରାପ୍ତ କରୁଥିବା ଆଶଙ୍କା କରାଯାଉଛି । ଏଥିସହିତ ବୁର୍ଲା ହାଉସରେ ସମୁଦାୟ ୭ଟି ୟୁନିଟ ରହିଛି । ଏଥିମଧ୍ୟରୁ ୨ରୁ୩ଟି ୟୁନିଟ ଜରିଆରେ ବିଜୁଳି ଉତ୍ପାଦନ କରାଯାଉଛି । ବାକି ୪ଟି ୟୁନିଟ ମଧ୍ୟରୁ ୨ଟି ୟୁନିଟ ରିନୋଭେସନ କାର୍ଯ୍ୟ ୨୦୧୬ ମସିହା ଜାନୁଆରି ମାସରୁ କରାଯାଉଛି । ବାକି ୨ଟି ୟୁନିଟର ମରାମତି ହେଉଛି । ୪ ନମ୍ବର ଗେଟ ମରାମତି କାର୍ଯ୍ୟ ମାସେ ମଧ୍ୟରେ ଏବଂ ୧ ନମ୍ବରର ମରାମତି କାର୍ଯ୍ୟ ସମାପ୍ତ ପାଇଁ ୧୦ ମାସ ଲାଗିବ ବୋଲି କହିଛନ୍ତି ଜିଏମ । ଚିପିଲିମାର ଜଳ ବିଦ୍ୟୁତ କ୍ଷମତା ୭୨ ମେଗାୱାଟ ରହିଛି । ଏହାର ୩ଟି ୟୁନିଟ ମଧ୍ୟରୁ ଏହାର ଗୋଟିଏ ୟୁନିଟର ରିନୋଭେସନ ୨୦୧୬ ମସିହାରୁ କରାଯାଉଛି । ୧୯୬୨ ମସିହାର ଏହି ମେସିନ ହୋଇଥିବାରୁ ପୁନରୁଦ୍ଧାର ପାଇଁ ମରାମତି କରାଯାଉଛି ଚିପିଲିମା ୟୁନିଟ ପ୍ରମୁଖ ଦେବାଶିଷ ମିଶ୍ର କହିଛନ୍ତି ।