୫ ବର୍ଷ ହେବ ଅନ୍ଧାରରେ ଗାଁ : ଖୁଂଟି ଅଛି, ତାର ବି ଅଛି ହେଲେ ନାହିଁ ବିଦ୍ୟୁତ୍ ସଂଯୋଗ

93

କନକ ବ୍ୟୁରୋ : ବିଦ୍ୟୁତ୍ ଖୁଂଟି ପଡ଼ିଛି । ଖୁଂଟିରେ ତାର ମଧ୍ୟ ଝୁଲୁଛି । ହେଲେ ଗାଁରେ ନାହିଁ ବିଦ୍ୟୁତ୍ ସଂଯୋଗ । ପାଂଚ ବର୍ଷହେଲା ଏଭଳି ଅସୁବିଧାରେ ଦିନ କାଟୁଛନ୍ତି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକର ଘୋଡ଼ାବନ୍ଧ ଗ୍ରାମବାସୀ । ଗରମରୁ ରକ୍ଷା ପାଇବା ପାଇଁ ଦିନବେଳା ଗଛ ମୂଳେ ଦିନ କାଟୁଛନ୍ତି । ଆଉ ରାତି ହେଲେ କିଟି କିଟି  ଅନ୍ଧାରରେ ଡ଼ିବି ଆଲୁଅରେ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । କୁନି କୁନି ପିଲାଙ୍କ ପାଠ ପଢିବାରେ ମଧ୍ୟ ବହୁ ସମସ୍ୟା ଉପୁଜୁଛି ।

ଗାଁରେ ଶହେରୁ ଅଧିକ ବିପିଏଲ ପରିବାର । ରାଜୀବ ଜ୍ୟୋତି ଗ୍ରାମୀଣ ବିଦ୍ୟୁତ୍ ଯୋଜନାରେ ୭୦ ରୁ ଅଧିକ ପରିବାରକୁ ମାଗଣାରେ ବିଦ୍ୟୁତ୍ କିଟ୍ ଓ ତାର ଯୋଗାଇ ଦିଆଯାଇଥିଲା । ହେଲେ ଅଧାରେ ପଡ଼ିଛି ବିଦ୍ୟୁତ୍ ସଂଯୋଗ କାମ । ଅନେକ ଥର ଏନେଇ ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ୍ୟ । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବ ବୋଲି କହିଛନ୍ତି ହିତାଧିକାରୀ । ଖୁବଶୀଘ୍ର ବିଦ୍ୟୁତ୍ ସଂଯୋଗରୁ ବଂଚିତ ଏହି ବିପିଏଲ୍ ପରିବାର ଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି ।