୨ ମାସ ହେଲା ଅନ୍ଧାରରେ ସ୍ୱାଭିମାନ ଅଂଚଳ : ବାଲିମେଳା ଜଳଭଣ୍ଡାର ଜଳରେ ବୁଡିଛି ବିଦ୍ୟୁତ୍ ଖୁଂଟ । ଡାକ୍ତରଖାନା, ଘର ସବୁ ଅନ୍ଧାର

46

କନକ ବ୍ୟୁରୋ : ୫୦ ବର୍ଷର ଜଳବନ୍ଦୀ ଜୀବନ ପରେ ଗୁରୁପ୍ରିୟା ସେତୁ ଉଦଘାଟନ ହେବା ପରେ ବିଚ୍ଛିନ୍ନାଂଚଳକୁ ସ୍ୱାଭିମାନ ଅଂଚଳ ବୋଲି ଘୋଷଣା କରାଯାଇଛି । ହେଲେ ସ୍ୱାଭିମାନ ଅଂଚଳବାସୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇନାହିଁ । ପ୍ରକୃତିର ଦାଉରୁ ରକ୍ଷା ପାଇପାରୁନାହାନ୍ତି ୯ଟି ପଂଚାୟତର ଆଦିବାସୀ ମଣିଷ । ଗତ ଦୁଇ ମାସରେ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବାଳିମେଳା ଜଳଭଣ୍ଡାରର ଜଳସ୍ତର ସର୍ବାଧିକ ୧୫୧୬ ଫୁଟ ରହିଛି । ଫଳରେ ସ୍ୱାଭିମାନ ଅଂଚଳରେ ବିଦ୍ୟୁତ ସେବା ସମ୍ପୁର୍ଣ୍ଣ ଠପ୍ ହୋଇପଡିଛି । ଆଉ ଅନ୍ଧାରରେ ଅଭିଶପ୍ତ ଜୀବନ ବିତାଉଛନ୍ତି ୧୫୧ଟି ଗାଁର ଗ୍ରାମବାସୀ ।

ଏ ଚିତ୍ର ବାଲିମେଳା ଜଳଭଣ୍ଡାରର । କିଛି ଦିନ ତଳେ ଟାଙ୍ଗରା ପଡିଥିବା ଗୁୁରୁପ୍ରିୟା ନଈପଠାରେ ଏବେ ଅକାତକାତ ପାଣି । ଡାକ୍ତରଖାନା ଠାରୁ ଆରମ୍ଭ କରି ନଇ କୁଳିଆ ଗାଁ ଆଉ ଚାଷ ଜମି ସବୁ କିଛି ଜଳମଗ୍ନ । ଦିନେ କି ଦୁଇ ଦିନ ନୁହଁ, ଦୁଇ ମାସ ହେବ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସ୍ୱାଭିମାନ ଅଂଚଳ ଏବେ ଜଳବନ୍ଦୀ ।

ବର୍ଷା ଯୋଗୁଁ ବାଲିମେଳା ଜଳଭଣ୍ଡାରର ଜଳସ୍ତର ରେକର୍ଡ ସ୍ତରକୁ ଛୁଇଁଥିବା ବେଳେ ସିଲିଗୁମା ଦେଇ ଯାନବାଇଠାରୁ ବଡପଡା ଯାଏଁ, ବିଦ୍ୟୁତ ଖୁଂଟ ପାଣି ଘେରରେ ରହିଛି । କେତେକ ସ୍ଥାନରେ ବିଦ୍ୟୁତ ଖୁଂଟ ବଙ୍କା ହୋଇଯାଇଛି । ଫଳରେ ସ୍ୱାଭିମାନ ଅଂଚଳର ୯ଟି ଗ୍ରାମ ପଂଚାୟତର ୧୫୧ ଗାଁର ଲୋକ ଅନ୍ଧାରୀ ଜୀବନ ବିତାଉଛନ୍ତି ।

ଗୁରୁପ୍ରିୟା ସେତୁ ଉଦଘାଟନ ପରେ ସଂପୂର୍ଣ୍ଣ ଆଲୋକିତ ହୋଇଥିବା ସ୍ୱାଭିମାନ ଅଂଚଳ ଏବେ ଅନ୍ଧାରରେ । ଅନ୍ଧାର ଭିତରେ ଡାକ୍ତର ଚିକିତ୍ସା କରୁଥିବା ବେଳେ ବାଲିମେଳା ଜଳ ଭଣ୍ଡାରର ଜଳସ୍ତର ହ୍ରାସକୁ ଅପେକ୍ଷା କରିଛନ୍ତି ପ୍ରାଶାସନିକ ଅଧିକାରୀ । ତେବେ ଗୁରୁପ୍ରିୟା ସେତୁ ଦେଇ ନୂତନ ବିଦ୍ୟୁତ ସଂଯୋଗ ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମାଲକାନଗିିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ।

ଜଳସ୍ତର ବୃଦ୍ଧି ଯୋଗୁଁ ପ୍ରତିକ୍ରିୟାଶୀଳ ହୋଇ ଉଠିଛି ମାଓ ସଙ୍ଗଠନ । ବିଦ୍ୟୁତ ବିକ୍ରି ଉଦ୍ଦେଶ୍ୟରେ ଜଳଭଣ୍ଡାରର ଜଳସ୍ତର କମା ଯାଉନଥିବା ଅଭିଯୋଗ କରି ମୋଟର ଲଂଚରେ ପୋଷ୍ଟର ମାରିଛି ଲାଲବାହିନୀ ।