ମୋଦି ସରକାର ଆଣିପାରନ୍ତି ମେଗା ପ୍ଲାନ୍ ! ବିଦ୍ୟୁତ ଉପଭୋକ୍ତାଙ୍କୁ ମିଳିବ ୨୪ ଘଣ୍ଟିଆ ବିଜୁଳି, ଦିନକୁ ଦେବାକୁ ପଡିପାରେ ୩ ପ୍ରକାର ବିଜୁଳି ବିଲ୍ ।

1,526

କନକ ବ୍ୟୁରୋ : ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ବିଜୁଳି ପହଞ୍ଚାଇବା ପାଇଁ ମୋଦି ସରକାର ମେଗା ପ୍ଲାନ ପ୍ରସ୍ତୁତ କରୁଛନ୍ତି । ପ୍ରତ୍ୟେକ ବିଜୁଳି ଉପଭୋକ୍ତାଙ୍କ ନିକଟରେ ୨୪ ଘଣ୍ଟିଆ ବିଜୁଳି ପହଞ୍ଚାଇବାକୁ ଏବେ ସରକାର ଲକ୍ଷ୍ୟ ରଖିଛନ୍ତି । ଆଉ ଏଥିପାଇଁ ଖୁବ୍ ଶୀଘ୍ର ଉଦୟ ସ୍କିମ ପାର୍ଟ-୨ ଲଞ୍ଚ କରିବେ ସରକାର ।

କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହଙ୍କ କହିବା ଅନୁଯାୟୀ, ବିଜୁଳି ବିତରଣ କମ୍ପାନି ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । ଯେଉଁ ବିଜୁଳି ବତିରଣ କମ୍ପାନି ବିଦ୍ୟୁତ ଉପଭୋକ୍ତାଙ୍କୁ ପର୍ଯ୍ୟାପ୍ତ ବିଦ୍ୟୁତ୍ ସେବା ଯୋଗାଇବାରେ ବିଫଳ ହେଉଛନ୍ତି ସେମାନଙ୍କର ଲାଇସେନ୍ସ ରଦ୍ଦ ହୋଇପାରେ । ଏପରିକି ଠିକ୍ ସମୟରେ ଟ୍ରାନ୍ସଫର୍ମର ଯଦି ନ ଲଗାଯାଏ କିମ୍ବା ଉପଭୋକ୍ତାଙ୍କ ନିକଟରେ ବିଦ୍ୟୁତ ସେବା ନ ପହଞ୍ଚେ ତେବେ କମ୍ପାନିକୁ ଜରିମାନା ଦେବାକୁ ପଡିବ ।

ଏହାସହ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ବିଜୁଳି ବିଲରେ ବଡ ଧରଣର ପରିବର୍ତ୍ତନ ନେଇ ସଂକେତ ଦେଇଛନ୍ତି । ଏବେ ବିଜୁଳି ବ୍ୟବହାର ପାଇଁ ଦିନକୁ ତିନି ପ୍ରକାର ବିଜୁଳି ଦେବାକୁ ପଡିପାରେ । ଅଥାର୍ତ ସକାଳ, ଅପରାହ୍ନ ଓ ସନ୍ଧ୍ୟା ପାଇଁ ଭିନ୍ନ ଭିନ୍ନ ଟ୍ୟାରିଫରେ ବିଜୁଳି ବିଲ୍ ଭରିବାକୁ ପଡିପାରେ । ଏହାବାଦ୍ ଯେଉଁ ରାଜ୍ୟ ଉଦୟ ସ୍କିମ ପାର୍ଟ-୨ ଟାର୍ଗେଟ ପୂରା କରିବ ସେହି ରାଜ୍ୟକୁ କେନ୍ଦ୍ର ତରଫରୁ ଆର୍ଥିକ ସହାୟତା ମିଳିବ ।

ଏସବୁ ବ୍ୟତୀତ ସରକାର ସ୍ମାର୍ଟ ମିଟର ଯୋଜନାକୁ ଦ୍ରୁତ ଗତିରେ ଆଗେଇ ନେବାକୁ ବିଚାର କରୁଛନ୍ତି । ସ୍ମାର୍ଟ ମିଟର ଲଗାଇବା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଅଥାର୍ତ ଗ୍ରାହକଙ୍କୁ ଏଥିପାଇଁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବନି ।