ମଧ୍ୟପ୍ରଦେଶର ଏକ ନିଆରା ଗାଁ, ଯେଉଁଠି କେବେ ହୁଏନି ନିର୍ବାଚନ ! ସହର ପରି ଗାଁରେ ସବୁ ସୁବିଧା ଉପଲବ୍ଧ

94

ଆଜିକାଲି ଗାଁ ଗୁଡ଼ିକରେ ଆଉ ପୂର୍ବପରି ଆକର୍ଷଣ ନାହିଁ । ଗାଁର ଆମ୍ବତୋଟା, ଚାଳଘର, ପାଦଦୋକାନ, ସବୁଜ ପାଣିର ପୋଖରୀ ଆଦିର ମହକ ଆଉ ନାହିଁ । ଧୀରେ ଧୀରେ ଗାଁ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଉଛନ୍ତି । ସହର ପରି ହୋଇଯାଇଛି ଗାଁ । ଗାଁର ଲୋକାମାନେ ଅଧିକ ଟଙ୍କା ରୋଜଗାର ଆଶାରେ ସହରାଭିମୁଖୀ ହେଉଛନ୍ତି । ଆଉ ଗାଁରେ ରହିବା ପାଇଁ ଲୋକେ ପସନ୍ଦ କରୁନାହାନ୍ତି । ସହରର ଚାକଚକ୍ୟଭରା ଜୀବନ ଲୋକଙ୍କୁ ଅଧିକ ଆକର୍ଷିତ କରୁଛି । ସର୍ବୋପରି ଅଧିକ ଟଙ୍କା ଆୟ କରିବା ଆଶାରେ ଗାଁ ଛାଡ଼ୁଛନ୍ତି ଲୋକେ । ତେବେ ଆମ ଦେଶ ଭାରତରେ ଏବେ ବି ଏପରି ଏକ ଗାଁ ଅଛି, ଯେଉଁଠାକୁ ଆପଣ ଯିବାପାଇଁ ନିଶ୍ଚିତ ଇଚ୍ଛାପ୍ରକାଶ କରିବେ । ସହର ପରି ସବୁ ସୁବିଧା ଥିଲେ ହେଁ, ଗାଁ ତା’ର ମୌଳିକତା ହରାଇନି । ନିଜର ନିଆରାପଣିଆ ପାଇଁ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛି ମଧ୍ୟପ୍ରଦେଶର ଏକ ଗାଁ ।

ମଧ୍ୟପ୍ରଦେଶର ନରସିଂହପୁରରେ ଏକ ଏପରି ଗାଁ ଅଛି ଯାହା ଦେଶର ଅନ୍ୟ ଗାଁ ଗୁଡ଼ିକ ପାଇଁ ପ୍ରେରଣା ସାଜିଛି । ଉକ୍ତ ଆଧୁନିକ ଗାଁରେ ସମସ୍ତ ସୁବିଧା ଉପଲବ୍ଧ ଯାହା ଏକ ସହରରେ ମିଳେ । ଏଠାରେ ଗ୍ରାମବାସୀ ମିଳିତ ଭାବେ ଗାଁକୁ ନିର୍ମାଣ କରିଛନ୍ତି । ଯାହା ଅନ୍ୟ ଗାଁ ପାଇଁ ପ୍ରେରଣାଦାୟୀ । ଜିଲ୍ଲା ନରସିଂହପୁରର କେରଳୀ ମଣ୍ଡଳର ଗାଁ ବଘୁୱାର । ଗାଁକୁ ଦେଖି ଆପଣଙ୍କୁ ଏପରି ଲାଗିବ ଆପଣ କୌଣସି ଗାଁରେ ନୁହେଁ ପାର୍କରେ ଅଛନ୍ତି । ଗାଁକୁ ଗଲେ ଆପଣଙ୍କୁ ଉକ୍ତ ଗାଁ ପରି ଲାଗିବ ନାହିଁ । ଚାରିଆଡ଼େ ସବୁଜ ସବୁଜ ଏବଂ ଚମକାଦର ସିମେଣ୍ଟ ସଡ଼କ, ପ୍ରତି ଘରେ ଘରେ ଗୋବର ଗ୍ୟାସ୍ । ୧୦୦ ପ୍ରତିଶତ ଚାଷବାଷ, ଛୋଟ ଇନଡ଼ୋର ଷ୍ଟାଡ଼ିୟମ୍ ଓ ସ୍ୱିମିଙ୍ଗ ପୁଲ ଆଦି ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ଗାଁରେ କୌଣସି ପିଲା ଘରେ ବସନ୍ତି ନାହିଁ, ସମସ୍ତେ ସ୍କୁଲ ଯାହାନ୍ତି ।

ଗାଁକୁ ଯିବା ପାଇଁ ପୂର୍ବରୁ ରାସ୍ତା ନଥିଲା । ଯିବାଆସିବା ପାଇଁ ଲୋକଙ୍କୁ ବହୁତ ଅସୁବିଧା ହେଉଥିିଲା । ତେବେ ପ୍ରଶାସନକୁ ଅପେକ୍ଷା ନକରି ଗାଁର ଲୋକେ ମିଶି ୩ କିମି ରାସ୍ତା ତିଆରି କରିଥିଲେ, ପରେ ସରକାରୀ ସହାୟତାରେ ଗାଁକୁ ପକ୍କା ସଡ଼କ ତିଆରି ହେଲା । ଗାଁରେ ତିଆରି ହୋଇଥିବା ସବୁ ଘର କାନ୍ଥରେ ଇତିହାସ ଓ ସାଧାରଣ ଜ୍ଞାନ ଆଦି ଉଲ୍ଲେଖ ରହିଛି । ଗାଁର ବିକାଶ ପରି ପାଇଁ ତିଆରି ହୋଇଛି ଏକ ସଂଘ । ସବୁ ଘରର ଜଣେ ବ୍ୟକ୍ତି ଉକ୍ତ ସଂଘର ସଦସ୍ୟ ଅଟନ୍ତି । ଅବସରପ୍ରାପ୍ତ କର୍ମଚାରୀ ପରେ ଲୋକମାନେ ଏବେ ଗାଁକୁ ଫେରୁଛନ୍ତି ଓ ନିଜ ଗାଁର ବିକାଶରେ ନିଜର ଯୋଗଦାନ କରୁଛନ୍ତି ।

ଏହି ଗାଁ ଆଉ ଅନ୍ୟ ଗାଁ ଗୁଡ଼ିକ ଅପେକ୍ଷା ଖୁବ ନିଆରା । ଏହାର ମୁଖ୍ୟ କାରଣ ହେଲା ସ୍ୱାଧୀନତା ପରଠାରୁ ଏହି ଗାଁରେ କେବେ ବି ନିର୍ବାଚନ ହୋଇନାହିଁ । ଗାଁର ଲୋକମାରେ ଗାଁ ମୁଖିଆକୁ ନିଜେ ଚୟନ କରନ୍ତି । ଗାଁର ଲୋକମାନେ ପାରମ୍ପରିକ ଚାଷ ଛାଡ଼ି ଜୈବିକ ଚାଷ କରନ୍ତି । କେବଳ ୨୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ୩୫ ଟ୍ରାକ୍ଟର, ୫୧ ଗୋବର ଗ୍ୟାସ୍ ପ୍ଲାଣ୍ଟ, ଆଖୁ ପେଡ଼ିବା ପାଇଁ ୭୪ ମେସିନ ଓ ୨୫ଟି ନଳକୂଅ ଅଛି । ଗୋବର ଗ୍ୟାସ ବ୍ୟବହାର କରିବାରେ ଏହି ଗାଁ ପୁରା ରାଜ୍ୟରେ ଆଗରେ ରହିଛି । ପ୍ରାୟ ଘରେ ଗୋବର ଗ୍ୟାସ ମାଧ୍ୟମରେ ରୋଷେଇ ହୁଏ । ଏହାବ୍ୟତୀତ ଗାଁରେ ସ୍ୱଚ୍ଛତା ଓ ଜଳ ସଂରକ୍ଷଣ ଉପରେ ବିଶେଷ ଧ୍ୟାନ ଦିଆଯାଏ । ଗାଁର ପ୍ରତି ଘରେ ଘରେ ଶୌଚାଳୟ ଅଛି । ସଫାସୁତୁରା କର୍ମଚାରୀଙ୍କ ଦ୍ୱାରା ସବୁଦିନ ଗାଁର ସଫା କରାଯାଏ । ୫୦ ବର୍ଷ ହେଲାଣି ସବୁଦିନ ସକାଳ ୫ଟାରୁ ସବୁଦିନ ପ୍ରଭାତଫେରି ବାହାରେ । ଭଜନ କୀର୍ତ୍ତନ ଦ୍ୱାରା ଗାଁ ଗୁଞ୍ଜରଣ ହୁଏ । ପ୍ରଭାତଫେରୀ ସମୟରେ ସବୁ ଜାତି ଓ ଧର୍ମର ଲୋକେ ସାମିଲ ହୁଅନ୍ତି । ବାଘୁୱାର ଗାଁକୁ ୨୦୧୦ରେ ରାଷ୍ଟ୍ରପତି ପୁରସ୍ମାର ମିଳିସାରିଛି । ତେବେ ଗାଁର ମୁଖିଆ କହିଛନ୍ତି, ଆଗକୁ ଗାଁର ବିକାଶ ଦିଗରେ ଅଧିକ ପ୍ରୟାସ କରାଯାଇଛି ।