୨୦୧୪ ନିର୍ଦ୍ଦେଶ ୨୦୧୯ରେ କାର୍ଯ୍ୟକାରୀ ନାହିଁ । ନିର୍ବାଚନରୁ ବଞ୍ଚିତ ହେବେ ପଶ୍ଚିମ ଓଡ଼ିଶାର ଅଢ଼େଇ ଲକ୍ଷ ଦାଦନ

104

କନକ ବ୍ୟୁରୋ: ନିର୍ବାଚନରୁ ବଞ୍ଚିତ ହେବେ ପଶ୍ଚିମ ଓଡ଼ିଶାର ୨ରୁ ଅଢେଇ ଲକ୍ଷ ଦାଦନ ଶ୍ରମିକ। ନିର୍ବାଚନ ସମୟରେ ଏମାନେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ ସମେତ ବିଭିନ୍ନ ରାଜ୍ୟକୁ କାମ ପାଇଁ ଯାଇଥିବାରୁ ସେମାନେ ରାଜନୈତିକ ଅଧିକାରରୁ ବଞ୍ଚିତ ହେବ ବୋଲି କହିଛି ଏଡେଡ ଏକ୍ସନ ଏଡ। ୨୦୧୪ ନିର୍ବାଚନରେ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଭୋଟ ଅଧିକାରରୁ କିଭଳି ବଞ୍ଚିତ ନହୁଅନ୍ତି ସେଥିପାଇଁ ସୁନିଶ୍ଚିତ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟ ଓଡ଼ିଶା ନିର୍ବାଚନ କମିସନକୁ ନିର୍ଦେଶ ହୋଇଥିଲା। ମାତ୍ର ସେତେବେଳେ ଏହି ନିର୍ଦେଶ କାର୍ଯ୍ୟକାରୀ ହୋଇନଥିଲା। ୨୦୧୯ ନିର୍ବାଚନରେ ମଧ୍ୟ ଦାଦନ ଶ୍ରମିକଙ୍କ ମତଦାନ ଅଧିକାର ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦେଶ ନେଇ ସୂଚନା ମିଳିନଥିବା ସମ୍ବଲପୁର ଉପଜିଲ୍ଲାପାଳ କହିଛନ୍ତି।

ସାମାଜିକ ସଂସ୍ଥା ଏଡଏଟ୍ ଏକ୍ସନ ପକ୍ଷରୁ କୁହାଯାଇଛି, କୌଣସି ଶ୍ରମିକ ବାହାର ରାଜ୍ୟକୁ ଗଲେ ଶ୍ରମ କାର୍ଯ୍ୟାଳୟର ଅନୁମତି ନେଇ ଯିବାକୁ ପଡ଼େ। ବିଧାନସଭାରେ ଜାରି ରିପୋର୍ଟ ଅନୁସାରେ, ରାଜ୍ୟରେ ବାହାର ରାଜ୍ୟକୁ କାର୍ଯ୍ୟପାଇଁ ଯାଇଥିବା ପଞ୍ଜୀକୃତ ଶ୍ରମିକ ସଂଖ୍ୟା ୨୦୦୯ରେ ୮୮ ହଜାର ୩୯୭, ୨୦୧୦ରେ ୧ଲକ୍ଷ ୨ ହଜାର ୧୭୭, ୨୦୧୧ରେ ୯୧ ହଜାର ୮୭୨, ୨୦୧୨ରେ ୧ଲକ୍ଷ ୫ହଜାର୪୨୭, ୨୦୧୩ରେ ୧ଲକ୍ଷ ୨୬ ହଜାର ୬୬୧, ୨୦୧୪ରେ ୧ଲକ୍ଷ ୪୫ ହଜାର୮୫୩, ୨୦୧୫ରେ ୧ଲକ୍ଷ ୪୬ହଜାର ୬୭୬, ୨୦୧୬ରେ ୧ଲକ୍ଷ ୩ ହଜାର ୯୨୭, ୨୦୧୭ରେ ୧ଲକ୍ଷ ୫୩ ହଜାର ୩୬୩ ରହିଛି। ପଞ୍ଜୀକୃତ ଶ୍ରମିକ ସଂଖ୍ୟା ଏତେକି ହୋଇଥିବା ବେଳେ ବିନା ଅନୁମତିରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ ସଂଖ୍ୟା ଆହୁରି ଅନେକ।

 

୨୦୧୭ ମସିହାରେ ବରଗଡ଼ ଜିଲ୍ଲାର ପଞ୍ଜୀକୃତ ଦାଦନ ଶ୍ରମିକ ସଂଖ୍ୟା ଶୂନ୍ୟ ଅଟେ। ମାତ୍ର ବର୍ତ୍ତମାନ ସ୍ଥିତିରେ ବରଗଡ଼ ଜିଲ୍ଲାର ଅଣଜଳସେଚିତ ପଦମପୁର ଠାରୁ ଆରମ୍ଭ କରି ଜଳସେଚିତ ଅତାବିରା ବ୍ଲକ ପର୍ଯ୍ୟନ୍ତ ସବୁଠି କେତେ ଯେ ଶ୍ରମିକ ବାହାରକୁ ଯାଉଛନ୍ତି ତାର ହିସାବ ନାହିଁ। ଏପରିକି ବିଭିନ୍ନ ସମୟରେ ସେମାନେ ନିର‌୍ୟାତନାର ଶିକାର ହୋଇ ଉଦ୍ଧାର ହେବା ଘଟଣା ଲୋକ ଲୋଚନକୁ ଆସୁଛି। ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ମଧ୍ୟରେ ସର୍ବାଧିକ ବଲାଙ୍ଗୀର, ବରଗଡ଼, ନୂଆପଡ଼ା, କଳାହାଣ୍ଡିର ରହୁଛନ୍ତି। ଏପରିକି କିଛି ବର୍ଷ ହେଲା ସମ୍ବଲପୁର ଜିଲ୍ଲାରେ ଦାଦନ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପଞ୍ଜୀକୃତ ଏହି ଶ୍ରମିକ ମଧ୍ୟରେ କେବଳ ପରିବାରର ଜଣଙ୍କ ନାଁ ରହୁଥିବା ବେଳେ ପ୍ରତ୍ୟେକ ପରିବାରରେ ସ୍ବାମୀ, ସ୍ତ୍ରୀଙ୍କ ସହିତ ସନ୍ତାନମାନେ ମଧ୍ୟ ଯାଇଥାଆନ୍ତି।

ସେହି ଦୃଷ୍ଟିରୁ କେବଳ ପଶ୍ଚିମ ଓଡ଼ିଶାରେ ୨ରୁ ଅଢେଇ ଲକ୍ଷ ନିର୍ବାଚନ ସମୟରେ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବେ ବୋଲି କହିଛନ୍ତି ଏଡ ଏଟ ଏକ୍ସନ ଏଡର ସରୋଜ ବାରିକ। ଏଥିପାଇଁ ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ପାଇଁ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି। ଗବେଷକ ଦାନିଏଲ କହିଛନ୍ତି, ନିର୍ବାଚନ ଏପ୍ରିଲ ମାସରେ ହେଉଛି। ଦାଦନ ଶ୍ରମିକମାନେ ମୁଖ୍ୟତଃ ଜୁଲାଇ ମାସରେ ଫେରି ଆସନ୍ତି। ନିର୍ବାଚନ ତାରିଖ ନିର୍ଧାରଣ କରିବା ବେଳେ ସେମାନଙ୍କୁ ଦୃଷ୍ଟି ଦିଆଯିବା ଉଚିତ। ସେମାନେ କିଭଳି ମତଦାନ କରିପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ। ଲକ୍ଷାଧିକ ଦାଦନ ଶ୍ରମିକ ନିର୍ବାଚନ ପ୍ରକ୍ରିୟାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ସମସ୍ୟା ରାଜନୈତିକ ଦଳ ପାଇଁ ଗୁରୁତ୍ବ ବହନ କରେ ନାହିଁ।

Comments are closed.