ବଦଳୁଛି ରାଜନୈତିକ ସ୍ଥିତି: ବିଜେପି ସାଥ ଦେଲେ ପୁରୀରୁ ପ୍ରାର୍ଥୀ ହେବେ ବ୍ରଜ, ଶିଷ୍ୟକୁ ମାତ୍ ଦେବାକୁ ଓହ୍ଲାଇବେ ଗୁରୁ

661

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ପରେ ପୁରୀର ରାଜନୈତିକ ସ୍ଥିତି ବଦଳିବାରେ ଲାଗିଛି। ପୁରୀକୁ ଦୀର୍ଘ ୩୦ବର୍ଷ ଧରି ଅକ୍ତିଆରରେ ରଖିଥିବା ମହେଶ୍ବର ମହାନ୍ତିଙ୍କୁ ମାତ୍‌ ଦେବାକୁ ଏକଜୁଟ୍‌ ହେଉଛନ୍ତି ବିରୋଧୀ। ଏପରିକି ମହେଶ୍ବରଙ୍କ ରାଜନୈତିକ ଗୁରୁଭାବେ ଜଣାଶୁଣା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ ଏଥର ମଇଦାନକୁ ଓହ୍ଲାଇବାକୁ ଗୋଡ଼ କାଢ଼ିଛନ୍ତି। ବିଜେପି ସାଥ ଦେଲେ ସେ ନିଜେ ଓହ୍ଲାଇବେ ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି। ଏହା ହେଲେ ପୁରୀରେ ରାଜନୈତିକ ସ୍ଥିତି ଅଧିକ ସରଗରମ ହେବ ବୋଲି ଆକଳନ କରାଯାଉଛି।

ପୁରୀ ବିଧାୟକ ମହେଶ୍ବର ମହାନ୍ତି ଲଗାତର ୨୫ବର୍ଷ ଧରି ପୁରୀ ବିଧାନସଭା ଆସନକୁ କବ୍‌ଜା କରି ବସିଛନ୍ତି। ବ୍ରଜଙ୍କ ସହାୟତାରେ ରାଜନୀତିକୁ ଆସିଥିବା ମହେଶ୍ବର ବ୍ରଜଙ୍କୁ ବି ମାତ୍‌ ଦେଇଥିଲେ। କେନ୍ଦ୍ରମନ୍ତ୍ରୀରୁ ଯିବା ପରେ ନିଜେ ମଇଦାନକୁ ନ ଓହ୍ଲାଇ ମହେଶ୍ବରଙ୍କୁ ହଟାଇବା ପାଇଁ ବ୍ରଜଙ୍କ ସମସ୍ତ ଉଦ୍ୟମ ଫସର ଫାଟିଛି। ବ୍ରଜଙ୍କ ପରେ ମହେଶ୍ବର ହିଁ ଏହି ଆସନକୁ ଦଖଲ କରି ରହିଛନ୍ତି। ବିଜେଡି ବ୍ୟାନର ଓ ନବୀନଙ୍କ ନାମରେ ସେ ପୁରୀର ଅଦ୍ବିତୀୟ ନେତା ଭାବେ ପରିଚୟ ପାଇସାରିଲେଣି। ତାଙ୍କୁ ହଟାଇବାକୁ ଗତ ୨୦୦୯ ନିର୍ବାଚନରୁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି। ବ୍ରଜ ବାବୁ ବି ବହୁବାର ଉଦ୍ୟମ କରିଛନ୍ତି। ହେଲେ ସଫଳ ହୋଇନାହାନ୍ତି। ହେଲେ ଏଥର ମହେଶ୍ବରଙ୍କୁ ମାତ୍‌ ଦେବାକୁ ଚାରିପଟୁ ଯୋଜନା ଆରମ୍ଭ ହୋଇଛି। ବିଜେଡି ଭିତରେ କିଛି ଯୁବ ଗୋଷ୍ଠୀ ମହେଶ୍ବରଙ୍କ ବିକଳ୍ପ ବୋଲି ନିଜକୁ କହୁଛନ୍ତି।

ତେଣେ ବିଜେପି ମହେଶ୍ବରଙ୍କ ମୁକାବିଲା ପାଇଁ ମୁହଁ ଖୋଜୁଛି। ପୂର୍ବରୁ ମହେଶ୍ବରଙ୍କ ସହ ଲଢ଼ିଥିବା ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଦଳର କିଛି କର୍ମକର୍ତ୍ତା ଚାହୁଁନାହାନ୍ତି। ଦଳର ଅନ୍ୟଜଣେ ଯୁବ ସଂଗଠକ ଭବାନୀ ଦାସ ମହାପାତ୍ର ଏହି ରେସ୍‌ରେ ରହିଛନ୍ତି। ଏହାବ୍ୟତୀତ ମଧୁସୂଦନ ସିଂହାରୀ ମଧ୍ୟ ଆଶାୟୀ ରହିଛନ୍ତି। ଏହାବ୍ୟତୀତ ଦଳ ପକ୍ଷରୁ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ମହାଶ୍ବେତା ରାୟଙ୍କୁ ପୁରୀ ପାଇଁ ପ୍ରସ୍ତୁତ ରହିବାକୁ କାଳେ କୁହାଯାଇଛି। ତଥାପି ବିଜେପି ଭରସା କରିପାରୁ ନାହିଁ। ମହେଶ୍ବରଙ୍କ ପତିଆରା ଆଗରେ ଏମାନେ ତିଷ୍ଠିବେ କି ନାହିଁ ସେହି ଚିନ୍ତାରେ ଏବେ ରହିଛି। ତେଣୁ ଦଳ ନୂଆ ମୁହଁ ଖୋଜୁଛି। ଦଳ ଏବେ ମହେଶ୍ବରଙ୍କ ଗୁରୁ ଅର୍ଥାତ୍‌ ବ୍ରଜଙ୍କ ସହାୟତା ନେବାକୁ ଉଦ୍ୟମ ଆରମ୍ଭ କରିଛି। ଇତିମଧ୍ୟରେ ୨ଥର ବିଜେପିର ବରିଷ୍ଠ କର୍ମକର୍ତ୍ତା ବ୍ରଜଙ୍କ ସହ ଆଲୋଚନା କରିସାରିଲେଣି।

ବ୍ରଜଙ୍କ କହିବା କଥା, ସେ ବିଜେପିରେ ମିଶିବେ ନାହିଁ। ବିଜେପି ସମର୍ଥନ ଦେଲେ ସେ ନିଜେ ନିଜ ଦଳରୁ ପୁରୀ ନିର୍ବାଚନ ମଣ୍ଡଳୀରେ ମହେଶ୍ବରଙ୍କ ବିରୋଧରେ ଓହ୍ଲାଇବେ। ମାତ୍ର ବିଜେପି ତାଙ୍କୁ ଦଳକୁ ନେବାକୁ ଚାହୁଁଛି। ଏମିତି ଚାଲିଛି। ଏନେଇ ବ୍ରଜଙ୍କ ମନ୍ତବ୍ୟ ହେଲା, ଯଦି ପୁରୀରେ ପରିବର୍ତ୍ତନ ପାଇଁ ସବୁ ଦଳ ଚାହୁଁଛନ୍ତି ଓ ସେହି ଅନୁଯାୟୀ ସହଯୋଗ କରିବେ, ତେବେ ମୁଁ ନିଶ୍ଚିତ ଓହ୍ଲାଇବି। ଯଦି ବ୍ରଜ ଏଥର ପୁରୀରେ ନିଜେ ନିର୍ବାଚନକୁ ଓହ୍ଲାଇବେ ଓ ତାଙ୍କ ବିଭିନ୍ନ ଦଳ ଏବଂ ବିଜେଡିର ମହେଶ୍ବର ବିରୋଧୀ ଗୋଷ୍ଠୀ ସମର୍ଥନ କରିଦେବେ, ତେବେ ମହେଶ୍ବରଙ୍କୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିପାରେ। ୨୦୧୪ ମତଦାନକୁ ଦେଖିଲେ, ମହେଶ୍ବରଙ୍କ ସ୍ଥିତି ନିରାପଦ ରହିଛି। ଗତ ନିର୍ବାଚନରେ ବିରୋଧୀ କଂଗ୍ରେସ ଠାରୁ ମହେଶ୍ବର ୩୪ହଜାର ୭୨୧ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ଯାହା ଆଶା ଠୁ ବାହାରେ ଥିଲା।