ମତଗଣନା ଦେଖିବେ ମତଦାତା। ଭୁବନେଶ୍ୱରର ୫ଟି ସ୍ଥାନରେ ଏଲଇଡି ସ୍କ୍ରିନରେ ହେବ ଭୋଟ୍ କାଉଣ୍ଟିଂର ଲାଇଭ୍ ଦୃଶ୍ୟ

104

କନକ ବ୍ୟୁରୋ: ଆଜି ଚଳିତ ସାଧାରଣ ନିର୍ବାଚନର ଭୋଟ୍ ଗଣତି ହେବାକୁ ଥିବାବେଳେ ଏହାକୁ ଯେପରି ରାଜଧାନୀବାସୀ ବିଭିନ୍ନ ସ୍ଥାନରେ ଦେଖିପାରିବେ ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ବିଡିଏ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ରାଜଧାନୀର ୫ଟି ସ୍ଥାନରେ ବଡ଼ ଏଲଇଡି ପରଦା ଲଗାଯାଇଥିବାବେଳେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏଠାରେ ଗଣତିରେ ଲାଇଭ୍ ଦୃଶ୍ୟ ଦେଖିବାକୁ ମିଳିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ବିଡିଏ ପକ୍ଷରୁ ଫରେଷ୍ଟ ପାର୍କରେ ଏକ ବଡ଼ ପରଦା ଲାଗିଥିବାବେଳେ ଏଠାରେ ୪୦୦ଜଣ ଲୋକ ବସି ଭୋଟ୍ ଗଣତି ପ୍ରକ୍ରିୟା ଦେଖିପାରିବେ। ସମସ୍ତଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଖରା ଯେପରି ଦର୍ଶକଙ୍କ ଉପରେ ନପଡ଼ିବ ସେଥିପାଇଁ ଏଠାରେ ଟେଣ୍ଟ ବନ୍ଧାଯାଇଛି।

ସେହିପରି ହକି ବିଶ୍ବକପ୍ ପରି କଳ୍ପନା ଛକ, କଳିଙ୍ଗ ହସ୍ପିଟାଲ ଛକ, ରୁପାଲି ଛକ ଏବଂ ଲିଙ୍ଗରାଜ ମନ୍ଦିର ନିକଟରେ ବଡ଼ ବଡ଼ ପରଦାରେ ଲୋକମାନେ ଗଣତି ଦୃଶ୍ୟ ଦେଖିବା ସହ ନିର୍ବାଚନର ଅପ୍ ଟୁ ଡେଟ୍ ତଥ୍ୟ ପାଇବେ।

୫ ନିର୍ବାଚନ ମଣ୍ଡଳୀ ପାଇଁ ୧୦୦ ଟେବୁଲ୍

ଭୁବନେଶ୍ବରର ୫ଟି ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣତି ପାଇଁ ବିଜେବି କଲେଜରେ ୧୦୦ଟି ଟେବୁଲ୍ ବ୍ୟବସ୍ଥା ହୋଇଛି। ଏଥିରେ ପ୍ରତ୍ୟେକ ବିଧାନସଭା ପାଇଁ ୧୦ଟି ଟେବୁଲ୍ ଥିବାବେଳେ ଲୋକସଭା ପାଇଁ ୧୦ଟି ଲେଖାଏଁ ଟେବୁଲ୍ ରହିଛି। ମୋଟ୍ ୫ଟି ରୁମରେ ଭୋଟ୍ ଗଣତି ହେବ। ସୂଚନା ଅନୁଯାୟୀ, ପ୍ରତ୍ୟେକ ହଲରେ ବିଧାନସଭା ପାଇଁ ୧୦ଟି ଓ ଲୋକସଭା ପାଇଁ ୧୦ଟି ଲେଖାଏଁ ଟେବୁଲ୍ ରହିବ। ଏଥିରରୁ ଗୋଟିଏ ଲେଖାଏଁ ଟେବୁଲ୍ ଭିଭିପାଟ୍ ଗଣତି ପାଇଁ ରହିବ।