ଭଦ୍ରକ ଦେଖିବ ନବାଗତଙ୍କ ଲଢେଇ: ଲୋକସଭା ଆସନ ପାଇଁ ବିଜେଡିର ମଂଜୁଲତା ମଣ୍ଡଳ, ବିଜେପିର ଅଭିମନ୍ୟୁ ସେଠୀ ଓ କଂଗ୍ରେସର ମଧୁମିତା ସେଠୀଙ୍କ ମଧ୍ୟରେ ହେବ ବିଗ୍ ଫାଇଟ୍

144

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଭଦ୍ରକ ଜିଲ୍ଲା। ଭଦ୍ରକର ରାଜନୈତିକ ପାଣିପାଗ ନିର୍ବାଚନ ପୂର୍ବରୁ ସବୁ ଓଲଟ ପାଲଟି ହୋଇଯାଇଛି। ଦଳୀୟ ନେତା ଓ କର୍ମୀ ଯାହା ଭାବୁଥିଲେ, ନିର୍ବାଚନର ଟିକଟ ବଣ୍ଟନ ବେଳେ ତାର ଓଲଟା ଫଳ ଦେଖିବାକୁ ମିଳିଛି। ଏଭଳି ଟିକଟ ବଣ୍ଟନକୁ ଦେଖି ଅନେକ ନେତା ଓ କର୍ମୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ ହୋଇଛନ୍ତି। ଅନ୍ୟ ଦୃଷ୍ଟିରେ ଦେଖିଲେ ରାଜନୀତିରେ ସଂପୂର୍ଣ୍ଣ ଭାବେ ନୂଆ ଚେହେରାଙ୍କୁ ନେଇ ଏଥର ଭଦ୍ରକର ଲୋକସଭା ନିବାଚନ ମଇଦାନ ବେଶ୍ ଚର୍ଚ୍ଚାରେ ରହିଛି। ୪୮ ବର୍ଷର ରାଜନୈତିକ ଜୀବନ ବିତାଇଥିବା ପୁରୁଖା ବିଜେଡି ନେତା, ଦଳର ଜିଲ୍ଲା ସଭାପତି ତଥା ଭଦ୍ରକ ଲୋକସଭାର ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ଏଥର ଦଳ ଆଉ ଟିକଟଦେଇ ନାହିଁ କି ତାଙ୍କ ପୁତ୍ର ଅଭିମନ୍ୟୁ ସେଠୀଙ୍କୁ ବି ଦଳ ଟିକଟ ଦେଲା ନାହିଁ। ବିଜେଡିର ଏଭଳି ଶକ୍ତ ଅପମାନଙ୍କୁ ସହ୍ୟ କରି ନପାରି ଶେଷରେ ବାଧ୍ୟ ହୋଇ ଅର୍ଜୁନ ଓ ତାଙ୍କ ପୁତ୍ର ଅଭିମନ୍ୟୁ ଶଙ୍ଖ ଛାଡି ବିଜେପି ଶିବିରରେ ମିଶି ପଦ୍ମ ଧରିଛନ୍ତି। ବିଜେପି ମଧ୍ୟ ନବାଗତ ଅଭିମନ୍ୟୁଙ୍କୁ ନେଇ ଭଦ୍ରକ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ କରିଛି। ବିଜେପି ଅଭିମନ୍ୟୁଙ୍କୁ ନେଇ ନିର୍ବାଚନ ମଇଦାନରେ ନିଜର ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ଅଭିମନ୍ୟୁ ମଧ୍ୟ ନିଜର ରାଜନୈତିକ କ୍ୟାରିୟର ଏକ ଜାତୀୟ ଦଳରୁ ଆରମ୍ଭ କରିଥିବାରୁ ବେଶ୍ ଖୁସି ଅଛନ୍ତି।

ସେହିପରି କଂଗ୍ରେସ ମଧ୍ୟ ପଛରେ ପଡି ନାହିଁ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଝିଅ, ରାଜନୀତିରେ ସଂପୂର୍ଣ୍ଣ ନୂଆ ଚେହେରା ଇଂ ମଧୁମିତା ସେଠୀଙ୍କୁ ନେଇ ଗେମପ୍ଲାନ ପ୍ରସ୍ତୁତକରିଛି। ରାଜନୀତିରେ ନୂଆ ହେଲେ ମଧ୍ୟ ମଧୁମିତା କିନ୍ତୁ ଏକ ପୋଖତ ରାଜନେତିକ ପରିବାର ଝିଅ। ବାପା ଅନନ୍ତ ଥିଲେ ଏକଦା ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଏକାନ୍ତ ଅନ୍ତରଙ୍ଗ। ପିଲାଟି ଦିନରୁ ବାପାଙ୍କର ରାଜନୈତିକ ଜୀବନ ଦେଖିଛନ୍ତ ମଧୁମିତା। କଂଗ୍ରେସ ଦଳ ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ପ୍ରାର୍ଥୀ କରିଥିବାରୁ ସେ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି। ନିର୍ବାଚନରେ ମଧୁମିତାଙ୍କୁ ନେଇ ଏକ ନୂଆ ଫର୍ମୁଲାରେ ଗୋଟିଚାଳନା ଆରମ୍ଭ କରିଛି।

ବିଜେଡି ଦଳରୁ ଅର୍ଜୁନ ସେଠୀଙ୍କୁ ଏଥର ଆଉ ଲୋକସଭା ପ୍ରାର୍ଥୀ କରାଯାଇ ନାହିଁ। ଅର୍ଜୁନଙ୍କ ବୟସାଧିକ କାରଣରୁ ଦଳ ଏଥର ଆଉ ତାଙ୍କୁ ଟିକଟ ନଦେଇ ରାଜନୀତିରେ ଆଉ ଏକ ନୂଆ ଚେହେରା ମଂଜୁଲତା ମଣ୍ଡଳଙ୍କୁ ବିଜେଡି ଦଳ ଭଦ୍ରକ ଲୋକସଭା ପାଇଁ ପ୍ରାର୍ଥୀ କରିଛି। ରାଜନେତିକ ମଇଦାନରେ ସିନା ମଂଜୁଲତା ନୂଆ କିନ୍ତୁ ଏକ ବିଚକ୍ଷଣ ରାଜନେତା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କର ସେ ଧର୍ମପତ୍ନୀ। ମଂଜୁଲତା ସ୍ୱାମୀଙ୍କ ସହ ଦୀର୍ଘ ୨୫ ବର୍ଷ ଧରି ରାଜନେତିକ କାର୍ଯ୍ୟ କରିଛନ୍ତି। ସ୍ୱାମୀଙ୍କ ନିର୍ବାଚନ ବେଳେ ପ୍ରଚାର ମଙ୍ଗ ବି ଧରିଛନ୍ତି। ବିଜେଡି ମଧ୍ୟ ନବାଗତ ମଂଜୁଲତାଙ୍କୁ ନେଇ ଏଥର ନିର୍ବାଚନ ବୈତରଣୀ ପାର ହେବା ପାଇଁ ନୂଆ ଫର୍ମୁଲା ଆରମ୍ଭ କରି ଦେଇଛି । ଆସନ୍ତା ଏପ୍ରିଲ ୮ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଏଇ ତିନି ନୂଆ ପ୍ରାର୍ଥୀଙ୍କୁ ଦଳୀୟ ଟିକଟ ମିଳି ସାରିଛି। ସେମାନେ ମଧ୍ୟ ନିଜର ନିଜର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ତେବେ ଏଇ ତିନି ନୂଆ ଚେହେରା କେବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ତାହାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ବୃଦ୍ଧି ପାଇଛି।