କନ୍ଧମାଳ କୁରୁକ୍ଷେତ୍ର: ଅଚ୍ୟୁତଙ୍କୁ ଟକ୍କର ଦେବାକୁ ଖାରବେଳଙ୍କୁ ବାଛିଲା ବିଜେପି, କଂଗ୍ରେସର ମଙ୍ଗ ଧରିଛନ୍ତି ମନୋଜ

317

କନକ ବ୍ୟୁରୋ: ଆଜି ୨ ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । କନ୍ଧମାଳ ପାଇଁ ପୂର୍ବରୁ ବିଜେଡି ଏବଂ କଂଗ୍ରେସ ଟିକେଟ ଘୋଷଣା କରିଥିବା ବେଳେ ଆଜି ବିଜେପି ଘୋଷଣା କରିଛି ପ୍ରାର୍ଥୀ । ଖାରବେଳ ସ୍ୱାଇଁ ବିଜେପିରେ ସାମିଲ ହେବା ପରେ ତାଙ୍କୁ କନ୍ଧମାଳ ଲୋକସଭା ଆସନ ପାଇଁ ଟିକେଟ ଦିଆଯାଇଛି । ସେହିପରି କନ୍ଧମାଳରେ ଏଥର ବିଜେଡି ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ମନୋଜ କୁମାର ଆଚାର୍ଯ୍ୟ ।

ବିଜେପି ଟିକଟରୁ କନ୍ଧମାଳ ଲୋକସଭା ଆସନ ପାଇଁ ଫାଇଟ୍ କରିବେ ଖାରବେଳ ସ୍ୱାଇଁ । ଦୀର୍ଘ ୧୦ ବର୍ଷ ପରେ ଭାରତୀୟ ଜନତା ପାର୍ଟିକୁ ଖାରବେଳ ସ୍ୱାଇଁଙ୍କ ଘର ବାହୁଡା ହୋଇଛି । ୨୦୦୯ ଡିସେମ୍ବର ମାସରେ ଗେରୁଆ ଟୋପି ଛାଡି ଦେଇଥିବା ଖାରବେଳ ପୁଣି ଗେରୁଆ ଟୋପି ପିନ୍ଧି ଏକ ନୂଆ ରାଜନୈତିକ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି । ୧୯୯୮, ୧୯୯୯ ଓ ୨୦୦୪ରେ ତିନି ତିନି ଥର ସାଂସଦ ହୋଇଥିବା ଖାରବେଳ ବିଜେପିରେ ସାମିଲ ହେବାର କାରଣ ଦର୍ଶାଇବାକୁ ଯାଇ କହିଛନ୍ତି, ବିଜେଡିକୁ ହରାଇବାକୁ ହେଲେ ଏକ ବଡ ରାଷ୍ଟ୍ରିୟ ଦଳରେ ସାମିଲ ହେବାର ଆବଶ୍ୟକତା ରହିଛି । ଏହାପରେ କନ୍ଧମାଳରୁ ତାଙ୍କୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ବିଜେପି । ତେବେ ଖାରବେଳଙ୍କୁ କନ୍ଧମାଳରୁ ବିଜେପି ଟିକଟ ମିଳିବା ପରେ ଏହି ଲୋକସଭା ଆସନରେ ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି ।

ସେପଟେ, ବିଜେଡି ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କନ୍ଧମାଳ ମୈଦାନକୁ ଓହ୍ଲାଇଛି । ୨୦୧୮ରେ ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲା ବିଜେଡି । ଆଉ ୨୦୧୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡିଶାରେ ବିଜେଡିକୁ ସେତେଟା ସଫଳତା ମିଳିନଥିବା ବେଳେ, ବିଜେପୁର ଉପନିର୍ବାଚନରେ କିନ୍ତୁ ଶକ୍ତି ଦେଖାଇଥିଲା ବିଜୁ ଜନତା ଦଳ । ଆଉ ଆଗାମୀ ନିର୍ବାଚନ ପାଇଁ ପଶ୍ଚିମ ଓଡିଶାକୁ ଫୋକସ କରିଛି ବିଜେଡି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ଲଢିବା ପାଇଁ ସ୍ଥିର କରିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ ।

ଅନ୍ୟପଟେ, କନ୍ଧମାଳ ଲୋକସଭା ଆସନ ପାଇଁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ମନୋଜ କୁମାର ଆଚାର୍ଯ୍ୟ । ବିଜେଡି ପରି କଂଗ୍ରେସ ବି ନୂଆ ମୁହଁ ଉପରେ ଭରଷା କରିଛି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ କଂଗ୍ରେସ ୬ଲୋକସଭା ଭିତରୁ ୪ଟି ଆସନରେ ନୂଆ ମୁହଁକୁ ପ୍ରାର୍ଥୀ କରିଛି । ସେହିଭଳି ୩୬ ବିଧାନସଭାରୁ ୨୩ଟିରେ ଦେଇଛି ନୂଆ ମୁହଁ । ୨୦୧୪ରେ ନିବାଚନ ଲଢ଼ିଥିବା ପ୍ରାର୍ଥୀ ୨୦୧୯ ପାଇଁ ବଦଳାଇଛି କଂଗ୍ରେସ । ପୁରୁଣାଙ୍କୁ ହଟାଇ ନୂଆଙ୍କ ଉପରେ ଭରଷା କରିଛି ଦଳ । ଘୋଷିତ ହୋଇଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବରଗଡରୁ ଅମର ପ୍ରଧାନଙ୍କ ସ୍ଥାନରେ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡାରୁ ହେମାନନ୍ଦ ବିଶ୍ୱାଳଙ୍କ ସ୍ଥାନରେ ଜର୍ଜ ତିର୍କୀ, କନ୍ଧମାଳରୁ ମନୋଜ କୁମାର ଆଚାର‌୍ୟ୍ୟ ଓ ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁଙ୍କ ସ୍ଥାନରେ ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ଦଳ ଭରଷା କରିଛି । ତେବେ କନ୍ଧମାଳ ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମ ଆସିବା ପରେ ଲଢେଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି ।