ନିର୍ବାଚନକୁ ଆଉ ମାତ୍ର ୩୦ ଦିନ । ଏପ୍ରିଲ ୧୧ରୁ ଆରମ୍ଭ ହେବ ମହାଲଢେଇ, ସିଂହାସନ ଦଖଲ ପାଇଁ ମୈଦାନକୁ ଓହ୍ଲାଇବେ ରଥୀ ଓ ମହାରଥୀ

165

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯୁଦ୍ଧ ପାଇଁ ତାରିଖ ଘୋଷଣା ହେବା ସହ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଏପ୍ରିଲ ୧୧ରୁ ମେ’ ୧୯ । ପୂରା ଦେଶରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ନିର୍ବାଚନ ମୈଦାନରେ ହେବ ଘମାଘୋଟ ଲଢେଇ । ରାଜ୍ୟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିବ । ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜକୁ ଠିକ୍ ମାସକ ପରେ କ୍ଷମତା ସିଂହାସନରେ ବସିବା ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ମଧ୍ୟରେ ହେବ ମହାଲଢେଇ । କିଏ ଏହି ସିଂହାସନରେ ବସିବ ତାହାର ନିର୍ଣ୍ଣୟ ତ ଜନତା ଜନାର୍ଦ୍ଦନ କରିବେ । ତେବେ ମାସକ ମଧ୍ୟରେ କେଉଁ ଯୋଦ୍ଧାଙ୍କୁ ଯୁଦ୍ଧ ପାଇଁ ଦଳପତି ସିଗନାଲ ଦେବେ ତାହା ଉପରେ ନଜର ରହିବ । ଏହାସହ ହାତରେ ମାତ୍ର ଗୋଟିଏ ମାସ ସମୟ ବାକି ରହିଥିବା ବେଳେ କେଉଁ ରଣନୀତି ସହ ଦଳ ଗୁଡିକ ମୈଦାନକୁ ଓହ୍ଲାଇବେ ତାହା ଉପରେ ମଧ୍ୟ ନଜର ରହିବ ।

ମୁଖ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ଓଡିଶାରେ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାର୍ଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୧୧ରେ ହେବ ମହାଲଢେଇ । ଏହି ହିସାବରେ ଦେଖିଲେ ନିର୍ବାଚନକୁ ମାତ୍ର ଆଉ ୩୧ଟା ଦିନ ବାକି ରହିଛି । ତେଣୁ ଏତେ କମ ସମୟରେ ଯୁଦ୍ଧ ପାଇଁ କିଏ କେଉଁଭଳି ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛି ତାହା ଉପରେ ଭୋଟରଙ୍କ ନଜର ରହିଛି ।

ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ :
ପ୍ରଥମ ପର୍ଯ୍ୟାୟ ଭୋଟ – ଏପ୍ରିଲ ୧୧ରେ ଅନୁଷ୍ଠିତ ହେବ । ଏହି ଦିନ ଓଡ଼ିଶାର ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ – ଏପ୍ରିଲ ୧୮ ତାରିଖରେ ହେବ । ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଭୋଟ ହେବ । ସେହିପରି ତୃତୀୟ ପର୍ଯ୍ୟାୟ ମତଦାନ – ଏପ୍ରିଲ ୨୩ରେ ଅନୁଷ୍ଠିତ ହେବ । ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – ଏପ୍ରିଲ ୨୯ରେ ଭୋଟ । ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ପାଇଁ ମତଦାନ ହେବ ।

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବା ସହ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ନିର୍ବାଚନ କମିଶନ । ସୋସିଆଲ ମିଡିଆରେ ମଧ୍ୟ ଏହି ଆଚରଣ ବିଧି ମଧ୍ୟ ଲାଗୁ କରାଯିବ । ଗଣତନ୍ତ୍ରର ଏହି ମହାପର୍ବରେ ୯୦ କୋଟି ଭୋଟର ମତଦାନ କରିବେ । ୧୦ ଲକ୍ଷ ବୁଥରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ମତଦାତା । ସବୁ ନିର୍ବାଚନ କେନ୍ଦ୍ରରେ ଇଭିଏମ୍ ମେସିନ୍ ସହ ଭିଭିପାଟ୍ ବ୍ୟବହାର କରାଯିବ । ଇଭିଏମରେ ନିର୍ବାଚନ ଚିହ୍ନ ସହ ସବୁ ପ୍ରାର୍ଥୀଙ୍କ ଫଟୋ ରହିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।