ଆଗୁଆ ହେବ କି ନିର୍ବାଚନ ! ନିର୍ବାଚନ କମିଶନ କହିଲେ ଆମେ ପ୍ରସ୍ତୁତ, ଉଷୁମ ହେଲା ରାଜନୈତିକ ପାଣିପାଗ

21

କନକ ବ୍ୟୁରୋ : ସାରା ଦେଶରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ନିର୍ବାଚନ କମିଶନ୍ । ୨୦୧୮ ସେପ୍ଟେମ୍ବର ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ପ୍ରସ୍ତୁତ ଥିବା କହିଛନ୍ତି । ଚର୍ଚ୍ଚା ହେଉଛି କେନ୍ଦ୍ରରୋ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି । ଏପରିକି ଲୋକସଭା ଓ ବିଧାନସଭା ନିର୍ବାଚନ ଅଲଗା ଅଲଗା କରିବା ପରିବର୍ତେ, ଏକାଠି ଗୋଟିଏ ସମୟରେ କରିବା ଉପରେ ଜୋର ଦେଉଛନ୍ତି ।

ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିଶନର ଓ.ପି. ରାୱତ ଗତକାଲି ଭୋପାଳରେ କହିଛନ୍ତି ଯେ, ଆସନ୍ତାବର୍ଷ ସେପ୍ଟେମ୍ବର ସୁଦ୍ଧା ଏକକାଳୀନ ନିର୍ବାଚନ ପାଇଁ କମିଶନ ପ୍ରସ୍ତୁତ ହୋଇଯିବେ । ଏଥିପାଇଁ ଆବଶ୍ୟକ ପଡୁଥିବା ଇଭିଏମ ମେସିନ୍ ଓ ଭିଭିପାଟ୍ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସରକାର ଚାହିଁଲେ ଏନେଇ ଆଇନଗତ ସଂଶୋଧନ କରି ଆଗୁଆ ଓ ଏକକାଳୀନ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇପାରିବେ । ନିର୍ବାଚନ କମିଶନଙ୍କ ଏଭଳି ସୂଚନା ପରେ ଓଡିଶାରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟରେ ପୂର୍ବରୁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହୋଇଆସୁଛି । ତେବେ ଓଡିଶାରେ ୨୦୧୯ରେ ନିର୍ବାଚନ ହେବାକୁ ଥିବାବେଳେ, ଆଗୁଆ ନିର୍ବାଚନ ହେଲେ ପ୍ରସ୍ତୁର ଥିବା କହିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବଜେପି ଓ କଂଗ୍ରେସ ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ୨୦୧୮ରେ ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ୨୦୧୮ ଜାନୁଆରୀ ୨୨ରେ ଶେଷ ହେଉଛି । ହିମାଚଳ ପ୍ରଦେଶରେ ଜାନୁଆରୀ ୭, କର୍ଣ୍ଣଟକରେ ମେ ୨୮, ମେଘାଳୟରେ ମାର୍ଚ୍ଚ ୬, ମିଜୋରାମରେ ଡିସେମ୍ବର ୧୫, ନାଗାଲାଣ୍ଡରେ ମାର୍ଚ୍ଚ ୧୩ ଓ ତ୍ରିପୁରାରେ ମାର୍ଚ୍ଚ ୧୪ରେ ଶେଷ ହେବ ବିଧାନସଭା କାର୍ଯ୍ୟକାଳ । କେବଳ ମିଜୋରାମକୁ ଛାଡିଦେଲେ ଅନ୍ୟ ରାଜ୍ୟଗୁଡିକରେ ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ ଶେଷ ହୋଇଯିବ । ତେଣୁ କେନ୍ଦ୍ର ସରକାର ନିଷ୍ପତି ନେଲେ ଏସବୁ ରାଜ୍ୟ ସହ ୨୦୧୯ରେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ମଧ୍ୟ ଆଗୁଆ ନିର୍ବାଚନ କରାଇ ପାରନ୍ତି । ଏପରିକି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରାଇ ନିର୍ବାଚନୀ ଖର୍ଚ୍ଚ କମ୍ କରିବାକୁ ମଧ୍ୟ ନିଷ୍ପତି ନେଇପାରନ୍ତି ।