ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ: ଭୋଟ୍ ସରିବା ପରେ ଇସିଙ୍କୁ ଦେଲେ ତଥ୍ୟ, ପଢନ୍ତୁ କିଏ କରିଛି କେତେ ଖର୍ଚ୍ଚ, କାହାର ବଳିଛି କେତେ ?

3,563

କନକ ବ୍ୟୁରୋ: ନିର୍ବାଚନ ସରିିବାର ମାସକ ମଧ୍ୟରେ ପ୍ରାର୍ଥୀମାନଙ୍କୁ ନିିର୍ବାଚନ କମିଶନଙ୍କ ନିକଟରେ ଖର୍ଚ୍ଚର ହିସାବ ଦେବାକୁ ପଡ଼େ । ବିଧାୟକମାନେ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ରହିଥିବା ବେଳେ ସାଂସଦମାନେ ସର୍ବାଧିକ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ନିର୍ବାଚନ କମିଶନଙ୍କ ଦେଇଥିବା ତଥ୍ୟରୁ କିଛି କୌତୁୁହଳପୂର୍ଣ୍ଣ ତଥ୍ୟ ମିଳିଛି । ବିଜେଡି ତାର ବିଧାୟକ ପ୍ରାର୍ଥୀଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କା ଦେଇଥିବା ବେଳେ ବିଜେପି ତାର ବିଧାୟକ ପ୍ରାର୍ଥୀଙ୍କୁ ପ୍ରାୟ ୧୫ ଲକ୍ଷ ଟଙ୍କା ଦେଇଛି । ହେଲେ କଂଗ୍ରେସ କିଛି ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିବା ବେଳେ ଅନ୍ୟ କିଛିଙ୍କୁ ୨ ଲକ୍ଷ ଟଙ୍କା ଦେଇଥିବା ଦେଖାଯାଇଛି ।

ନବ କିଶୋର ନିର୍ବାଚନ କମିଶନଙ୍କୁ ଦେଇଥିବା ତଥ୍ୟ ମୁତାବକ ତାଙ୍କୁ ଦଳରୁ ୨୦ ଲକ୍ଷ ଟଙ୍କା ମିଳିଛି । ତାଙ୍କୁ ବିଭିନ୍ନ ସଂସ୍ଥା ଓ ଲୋକେ ୫ଲକ୍ଷ ଟଙ୍କା ଦେଇଛନ୍ତି । ସେ ନିଜ ହାତରୁ ମାତ୍ର ୬୧ ହଜାର ୫୦୦ ଟଙ୍କା ଖର୍ଚ୍ଚ କରିଛନ୍ତି । ଏମିତି ମୋଟ ତାଙ୍କୁ ୨୫ ଲକ୍ଷ ୬୧ ହଜାର ୫୦୦ ଟଙ୍କା ମିଳିଥିଲା । ମାତ୍ର ନିର୍ବାଚନରେ ସେ କେବଳ ମାତ୍ର ୧୩ ଲକ୍ଷ ୮୮ ହଜାର ୭୯୬ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ୧୩ ଲକ୍ଷ ୮୮ ହଜାର ଟଙ୍କା ଭିତରେ ରହିଛି- ନିର୍ବାଚନ ର‌୍ୟାଲି ଖର୍ଚ୍ଚ ୧୦ ଲକ୍ଷ ୫ ହଜାର ଟଙ୍କା । ପ୍ରଚାର ପାଇଁ ଗାଡ଼ି ବାବଦରେ ସେ ନିଜେ ଖର୍ଚ୍ଚ କରିଛନ୍ତି ମାତ୍ର ୩୮ ହଜାର ଟଙ୍କା । ଏଜେଂଟ ଓ କର୍ମୀଙ୍କ ବାବଦରେ ଖର୍ଚ୍ଚ କରିଛନ୍ତି ୧ ଲକ୍ଷ ୪୭ ହଜାର ଟଙ୍କା । ଟେଲିଭିଜନ ଓ ଏସଏମ୍ଏସରେ ପ୍ରଚାର ବାବଦରେ ଖର୍ଚ୍ଚ କରିଛନ୍ତି ମାତ୍ର ୪୯ ହଜାର ଟଙ୍କା । ଏମିତି ଦେଖିଲେ, ନବ ଦାସଙ୍କୁ ମିଳିଥିବା ଟଙ୍କାରୁ ପ୍ରାୟ ୧୨ ଲକ୍ଷ ଟଙ୍କା ବଳିଛି ।

 

ସେମିତି ଭୁବନେଶ୍ୱର-ମଧ୍ୟରୁ ଲଢ଼ିଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କଥା ଦେଖାଯାଇପାରେ । ସେ ବିଜେପିରୁ ୧୫ ଲକ୍ଷ ଟଙ୍କା ପାଇଥିବା ବେଳେ ବିଭିନ୍ନ ସୂତ୍ରରୁ ମୋଟ ୧୬ ଲକ୍ଷ ୧୦ ହଜାର ଟଙ୍କା ପାଇଥିବା ଦର୍ଶାଇଛନ୍ତି । ସେ ଖର୍ଚ୍ଚ କରିଛନ୍ତି- ୧୫ ଲକ୍ଷ ୯୯ ହଜାର ୫୦୦ ଟଙ୍କା ।

ଅନ୍ୟପଟରେ ତାଙ୍କର ପ୍ରତିପକ୍ଷ ବିଜେଡିର ଅନନ୍ତ ଜେନା ଦଳରୁ ୨୦ ଲକ୍ଷ ଟଙ୍କା ପାଇଥିବା ବେଳେ ସେ ହାତରୁ ଖର୍ଚ୍ଚ କରିଛନ୍ତି ୫୦ ହଜାର ଟଙ୍କା । ମାତ୍ର ତାଙ୍କର ଖର୍ଚ୍ଚ ହୋଇଛି- ମାତ୍ର ୧୪ ଲକ୍ଷ ୨ ହଜାର ୩୭୦ ଟଙ୍କା । ଅର୍ଥାତ୍ ପ୍ରାୟ ତାଙ୍କର ୬ ଲକ୍ଷ ଟଙ୍କା ବଳିପଡ଼ିଛି ।

ଭୁବନେଶ୍ୱର ସଂସଦୀୟ ଆସନରେ ବିଜେଡି ତାର ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିବା ବେଳେ ବିଜେପି ବା ଭାରତୀୟ ଜନତା ପାର୍ଟି ୪୦ ଲକ୍ଷ ଟଙ୍କା ଦେଇଛି । ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମୋଟ ୪୮ ଲକ୍ଷ ୪ ହଜାର ଟଙ୍କା ପାଇଥିବା ବେଳେ ଖର୍ଚ୍ଚ କରିଛନ୍ତି ୫୭ ଲକ୍ଷ ୩୩ ହଜାର ୪୦୨ ଟଙ୍କା ।

ଅନ୍ୟପଟରେ ତାଙ୍କର ପ୍ରତିପକ୍ଷ ବିଜେଡିର ଅରୂପ ପଟ୍ଟନାୟକ କେବଳ ଦଳରୁ ୫୦ଲକ୍ଷ ଟଙ୍କା ପାଇଥିବା ବେଳେ ତାଙ୍କର ଖର୍ଚ୍ଚ ହୋଇଛି ୫୩ ଲକ୍ଷ ୭୧ ହଜାର ୫୬୦ ଟଙ୍କା । ଭୁବନେଶ୍ୱରର ଏକାମ୍ର ଆସନରେ ଲଢ଼ୁଥିବା କଂଗ୍ରେସର ରଶ୍ମି ମହାପାତ୍ରଙ୍କୁ ଦଳ ୨୦ ଲକ୍ଷ ଟଙ୍କା ଦେଇଥିବା ବେଳେ ଭୁବନେଶ୍ୱର-ମଧ୍ୟରେ ଲଢ଼ୁଥିବା ରାଜୀବ ପଟ୍ଟନାୟକଙ୍କୁ ୨ ଲକ୍ଷ ଟଙ୍କା ଦେଇଛି ।