୫ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

40

କନକ ବ୍ୟୁରୋ:  ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ଦିନ ୩ଟାରେ ଜାତୀୟ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ୧୨ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

ସେହିପରି ୨୦ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମଧ୍ୟପ୍ରଦେଶ ଓ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ଗୋଟିଏ ଦିନକେ ଭୋଟ ଗ୍ରହଣ ହେବ । ଉଭୟ ରାଜ୍ୟରେ ୨୮ ନଭେମ୍ବରରେ ମତ ସାବ୍ୟସ୍ତ କରିବେ ଜନତା । ରାଜସ୍ଥାନ ଓ ତେଲେଙ୍ଗାନାରେ ମଧ୍ୟ ଗୋଟିଏ ଦିନରେ ବିଧାନସଭା ନିର୍ବାଚନ ପାଇଁ ମତଦାନ କରାଯିବ । ଏହି ଦୁଇଟି ରାଜ୍ୟର ଜନତା ୭ ଡିସେମ୍ବରରେ ନିଜ ପସନ୍ଦର ନେତା ଚୟନ କରିବେ । ୪ଟି ଯାକ ରାଜ୍ୟରେ ଗୋଟିଏ ଦିନରେ ଭୋଟ ଗଣତି କରାଯିବ । ୧୧ ଡିସେମ୍ବରରେ ସମସ୍ତ ରାଜ୍ୟରେ ଭୋଟ ଗଣତି ହେବ । ଏବଂ ସେହି ଦିନ ହିଁ ଫଳାଫଳ ଘୋଷଣା କରାଯିବ । ତେବେ ଏହି ସବୁ ରାଜ୍ୟରେ ଆଜି ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ।

ଏବେ ଦେଖନ୍ତୁ କେଉଁ ସିଟ୍ ରହିଛି କେତେ ଭୋଟ୍

ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶର ମୋଟ୍ ସିଟ୍ ସଂଖ୍ୟା ୨୩୦ ରହିଛି । ବିଜେପି ପାଖରେ ୧୬୬ଟି ସିଟ ଥିବା ବେଳେ କଂଗ୍ରେସ ପାଖରେ ୫୭ଟି ସିଟ ରହିଛି । ସେହିପରି ବିଏସପିର ୪ଟି ସିଟ ଥିବା ବେଳେ ଅନ୍ୟାନ୍ୟ ୩ଟି ରହିଛି । ବର୍ତମାନ ଶିବରାଜ ସିଂ ଚୌହ୍ୱାନ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ୨୦୦୫ରୁ ୨୦୦୮ , ଓ ୨୦୦୮ରୁ ୨୦୧୩ ଓ ୨୦୧୩ରୁ ବର୍ତମାନ ଯାଏ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି ।

ଛତିଶଗଡ

ଛତିଶଗଡରେ ମୋଟ ସିଟ ୯୦ ଥିବା ବେଳ ବିଜେପିର ୪୯ଟି ଆସନ ରହିଛି । ସେହିପରି କଂଗ୍ରେସର ୩୯ଟି ସିଟ ରହିଛି । ବିଏସପିର ଗୋଟିଏ ସିଟ ଥିବା ବେଳେ ଅନ୍ୟାନ୍ୟ ଗୋଟିଏ ରହିଛି । ବର୍ତମାନ ରମଣ ସିଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ୨୦୦୩ରୁ ୨୦୦୮ ଓ ୨୦୦୮ ରୁ ୨୦୧୩ ଓ ୨୦୧୩ରୁ ବର୍ତମାନ ଯାଏ ରମଣ ସିଂ ଦାୟିତ୍ୱରେ ଅଛନ୍ତି । ତୃତୀୟ ଥର ପାଇଁ ଲଗାତର ଭାବେ ସେ ଛତିଶଗଡର ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି । ୧୪ ବର୍ଷ ହେଲା ଛତିଶଗଡ ଶାସନ ଡୋରି ତାଙ୍କ ହାତରେ ରହିଛି ।

ରାଜସ୍ଥାନ

ରାଜସ୍ଥାନରେ ମୋଟ ବିଧାନସଭା ସିଟ ୨୦୦ ରହିଛି । ବିଜେପିର ୧୬୦ଟି ସିଟ ଥିବା ବେଳେ କଂଗ୍ରେସର ୨୫ଟି ସିଟ ରହିଛି । ସେହିପରି ବିଏସପିର ୨ଟି ଆସନ ଥିବା ବେଳେ ଅନ୍ୟାନ୍ୟ ୧୦ଟି ସିଟ ରହିଛି । ବସୁନ୍ଧରା ସିଂ ରାଜେ ବର୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ବସୁନ୍ଧରା ରାଜେ ଦ୍ୱିତୀୟ ଥର ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ୨୦୦୩ରୁ ୨୦୦୮ ଯାଏଁ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୩ରୁ ସେ ପୁଣି ଶାସନକୁ ଫେରିଛନ୍ତି ।

ତେଲେଙ୍ଗାନା

ତେଲେଙ୍ଗାନାରେ ମୋଟ ସିଟ ସଂଖ୍ୟା ୧୧୯ ଥିବା ବେଳେ ଟିଆରଏସର ୯୦ ସିଟ ରହିଛି ।କଂଗ୍ରେସର ୧୩ଟି ସିଟ ଥିବା ବେଳେ ବିଜେପିର ୦୫ଟି ସିଟ ରହିଛି । ସେହିପରି ଟିଡିପିର ୩ଟି ସିଟ ଥିବା ଅନ୍ୟାନ୍ୟ ୮ଟି ସିଟ ରହିଛି । ତେଲେଙ୍ଗାନା ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ପାଇବା ପରେ ୨୦୧୪ରୁ ପ୍ରଥମ ମୁଖ୍ୟମନ୍ତ୍ୀ ଭାବେ କେ ଚନ୍ଦ୍ରଶେଖର ରାଓ ଦାୟିତ୍ୱ ସମ୍ବାଳିଛନ୍ତି ।

ମିଜୋରାମ

ମିଜୋରାମର ବିଧାନସଭା ଆସନ ୪୦ଟି ଥିବା ବେଳେ କଂଗ୍ରେସର ୪୦ଟି ଏମଏନଏଫର ୦୫ଟି ସିଟ ରହିଛି । ଏମପିସିର ଗୋଟିଏ ସିଟ ରହିଛି । କଂଗ୍ରେସ ଲାଲ ଥନୱାଲା ୨୦୦୮ରୁ ଆଜି ପର୍ଯ୍ୟନ୍ତ ମିଜୋରାମର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି ।