ସୋସିଆଲ ମିଡିଆ ଉପରେ ନିର୍ବାଚନ କମିଶନଙ୍କ କଟକଣା: ନାମାଙ୍କନ ପତ୍ର ଦାଖଲ ବେଳେ ଦେବାକୁ ପଡିବ ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କିତ ତଥ୍ୟ

ବିଜ୍ଞାପନ ଉପରେ ବି କଟକଣା

223

କନକ ବ୍ୟୁରୋ: ରାଜନୈତିକ କ୍ଷେତ୍ରରେ ସୋସିଆଲ ମିଡିଆର ଗୁରୁତ୍ୱ ବେଶ୍ ଅଧିକ । ଅନେକ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମତାମତ କିମ୍ବା ଅଭିଯୋଗ ସେମାନଙ୍କର ସୋସିଆଲ ମିଡିଆ ଆକାଉଂଟରେ ଦେଖିବାକୁ ମିଳେ । ଏମିତିକି ପୋଷ୍ଟ କରାଯାଇଥିବା ବିଭିନ୍ନ ତଥ୍ୟକୁ ଆଧାର କରି ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟ ଆରମ୍ଭ ହୁଏ । ଏଭଳି ସ୍ଥିତିରେ ଆଉ ଖାସ୍ କରି ନିର୍ବାଚନ ସମୟରେ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବା କୁହାଯାଉଛି । କାରଣ ଏହି ସବୁ ସୋସିଆଲ୍ ସାଇଟ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାର କ୍ଷମତା ରଖୁଛି । ଏହାକୁ ଆଖି ଆଗରେ ରଖି ରବିବାର ନିର୍ବାଚନ ତାରିଖ ସ୍ପଷ୍ଟ କରିବା ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ନିର୍ବାଚନ କମିଶନ୍ ।

ଚଳିତଥର ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀଙ୍କୁ ଦେବାକୁ ହେବ ସେମାନଙ୍କ ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କୀତ ତଥ୍ୟ । ପ୍ରଥମଥର ପାଇଁ ଏଭଳି ଏକ ନିୟମ ଆଣିଛନ୍ତି ନିର୍ବାଚନ କମିଶନ୍ । ଫେସବୁକ୍ , ଟ୍ୱିଟର୍, ଗୁଗୁଲ ଭଳି ସୋସିଆଲ୍ ସାଇଟରେ ପୋଷ୍ଟ କରାଯାଉଥିବା ତଥ୍ୟକୁ ମନିଟରିଂ କରାଯିବ । ଆଉ ଏଥିପାଇଁ ଅଫିସରମାନଙ୍କୁ ନିଯୁକ୍ତି ମଧ୍ୟ ଦିଆଯିବ । ଏହି ଅଫିସରମାନେ ସୋସିଆଲ ମିଡିଆରେ ଯେଉଁଭଳି କୈାଣସି ମିଥ୍ୟା ଖବର ପ୍ରଚାରିତ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ସହ ଏହାର ଉଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବାର କ୍ଷମତା ରଖିବେ ।

ଏଥିସହ ନିର୍ବାଚନ କମିଶନଙ୍କ ସହଯୋଗରେ ଇଂଟରନେଟ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ନିର୍ବାଚନ ସମୟରେ ଅନଲାଇନ ପ୍ଲାଟଫର୍ମ ଉପରେ ନଜର ରଖିବା ପାଇଁ କିଛି ନିୟମାବଳୀ ପ୍ରସ୍ତୁତ କରୁଛନ୍ତି । ଏହି ନିୟମ ଅନୁଯାୟୀ ସୋସିଆଲ ସାଇଟରେ ରାଜନୀତି ସମ୍ପର୍କୀତ କୌଣସି ବିଜ୍ଞାପନ ଦେବା ପୂର୍ବରୁ ଏଥିପାଇଁ ଅନୁମତି ଜରୁରୀ । ଏଥିପାଇଁ ଗୁଗୁଲ୍, ଫେସବୁକ୍, ଟ୍ୱିଟର୍ ଏବଂ ୟୁ ଟ୍ୟୁବର ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି । ୨୦୧୪ ସାଧାରଣ ନିର୍ବାଚନରେ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ବେଳେ ୨୦୧୯ ନିର୍ବାଚନରେ ଏହାର ବ୍ୟବହାରକୁ ନେଇ କଟକଣା ଜାରି କରାଯାଇଛି ।