ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ନିର୍ବାଚନ କମିଶନଙ୍କ ନୋଟିସ୍ ! ରାଜନୈତିକ ଦଳଗୁଡିକର କଭରେଜ୍ କଲାବେଳେ ଭେଦଭାବରୁ ଦୂରେଇ ରହୁ ଦୂରଦର୍ଶନ

130

କନକ ବ୍ୟୁରୋ : ଦୂରଦର୍ଶନର ନିର୍ବାଚନ କଭରେଜକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନୋଟିସ ପଠାଇଲେ ନିର୍ବାଚନ କମିସନ । ରାଜନୈତିକ ଦଳ ଗୁଡିକର କଭରେଜ କଲାବେଳେ ଦୁରଦର୍ଶନ ଭେଦଭାବରୁ ଦୁରେଇ ରହୁ । ଏନେଇ ଦୁରଦର୍ଶନକୁ ଆଦେଶ ଦେବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନୋଟିସ ପଠାଇଛନ୍ତି ଇସି । ନିର୍ବାଚନ କଭରେଜକୁ ନେଇ ସରକାରୀ ଚ୍ୟାନେଲ ଦୁରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ମାର୍ଚ୍ଚ ୩୧ରେ ବିଜେପିର ‘ମେ ଭି ଚୌକିଦାର’ କ୍ୟାମ୍ପେନର ସିଧାପ୍ରସାରଣ ୮୫ ମିନିଟ ପର୍ଯ୍ୟନ୍ତ କରିଥିଲା ଦୁରଦର୍ଶନ । ଯାହାକୁ ନେଇ ବିରୋଧୀ ଦଳ କଡା ଆପତି ଜାହିର କରି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ ।

ନିର୍ବାଚନ କମିସନ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦୁରଦର୍ଶନର ନ୍ୟୁଜ ଓ ଆଂଚଳିକ ଚ୍ୟାନେଲ ବିଜେପିର ପ୍ରଚାର ଓ ରାଲିର କଭରେଜ ୧୬୦ ଘଂଟା ଦେଖାଇଛନ୍ତି । ସେହିପରି କଂଗ୍ରେସର ରାଲି ଓ ପ୍ରଚାରର କଭରେଜ ମାତ୍ର ୮୦ ଘଂଟା କରିଛି ଦୁରଦର୍ଶନ । ସେପଟେ ନିର୍ବାଚନ ସଂହିତା ଅନୁସାରେ ସମସ୍ତଙ୍କୁ ସମାନ ଅଧିକାର ଓ ସମୟ ମିଳିବା ଉଚିତ ବୋଲି କହିଛନ୍ତି ନିର୍ବାଚନ କମିସନ କାର୍ଯ୍ୟାଳୟର ଉଚ୍ଚ ଅଧିକାରୀ । ଏହାର ସଫେଇ ଦେଇ ଦୁରଦର୍ଶନ କହିଛି, କେନ୍ଦ୍ର ଓ ୧୬ଟି ରାଜ୍ୟରେ ବିଜେପିର ସରକାର ରହିଛି । ତେଣୁ ବିଜେପିର ଅଧିକ କାର୍ଯ୍ୟକ୍ରମ ଓ ରାଲି ହେଉଥିବାରୁ କଭରେଜ ବି ଅଧିକ ହେଉଛି ବୋଲି ସ୍ପଷ୍ଟୀକରଣ ରଖିଛି ଦୁରଦର୍ଶନ । ଚଳିତ ନିର୍ବାଚନରେ ଦୁରଦର୍ଶନକୁ ଛାଡି ଦେଲେ ନମୋ ଟିଭିର କଂଟେଟକୁ ନେଇ ମଧ୍ୟ ହଙ୍ଗାମା ହୋଇଥିଲା ।