ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ । ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା ଥିଲେ, ଟିଭି ଓ ଖବରକାଗଜରେ ନିଜେ ପ୍ରାର୍ଥୀ ଦେବେ ବିଜ୍ଞାପନ

ରାଜନୀତିରୁ ଅପରାଧୀକରଣ ଦୂର କରିବାକୁ ଏଥର ନିର୍ବାଚନ କମିଶନ ନେଇଛନ୍ତି ବଡ ପଦକ୍ଷେପ

163

ରାଜନୀତିରୁ ଅପରାଧୀକରଣ ଦୂର କରିବାକୁ ଏଥର ନିର୍ବାଚନ କମିଶନ ନେଇଛନ୍ତି ବଡ ପଦକ୍ଷେପ । ଏଥର ପ୍ରାର୍ଥୀ ହେବାକୁ ଚିନ୍ତା କରିଥିବା ରାଜନେତାଙ୍କ ପାଇଁ ଏହି ଖବର ଜାଣିବାର ଆବଶ୍ୟକତା ବି ରହିଛି । କାରଣ ଏଥର ସମସ୍ତ ପ୍ରାର୍ଥୀ ନିଜ ନାଁରେ ଥିବା ଅପରାଧିକ ମାମଲାର ତଥ୍ୟ ଦେବା ବାଧ୍ୟତାମୂଳକ ହୋଇଛି । ଟିଭି ଓ ଖବରକାଗଜରେ ୩ ଥର ଦେବାକୁ ହେବ ବିଜ୍ଞାପନ । ଏଥର ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା ସହିତ କିଛି ବଡ ଘୋଷଣା ବି କରିଛନ୍ତି । ଆସନ୍ତୁ ନଜର ପକାଇବା କଣ ଏହି ବଡ ଘୋଷଣା ।

ନିର୍ବାଚନ କମିଶନଙ୍କ ବଡ ଘୋଷଣା

– ରାଜନୀତିରୁ ଅପରାଧୀକରଣ ଦୂର ପାଇଁ ବଡ ପଦକ୍ଷେପ
-ପ୍ରାର୍ଥୀଙ୍କୁ ଦେବାକୁ ପଡିବ ନିଜ ଅପରାଧର ତଥ୍ୟ
-ବିଜ୍ଞାପନ ଜରିଆରେ ଜଣାଇବେ ଭୋଟରଙ୍କୁ
-ଟିଭି ଓ ଖବରକାଗଜରେ ଦେବେ ୩ ଥର ବିଜ୍ଞାପନ
– ସମସ୍ତ ପ୍ରାର୍ଥୀଙ୍କୁ ଦେବାକୁ ପଡିବ ପ୍ୟାନ୍ ନମ୍ୱର

ରାଜନୀତିରୁ ଅପରାଧୀକରଣ ଦୂର କରିବାକୁ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ । ଏଥର ନିର୍ବାଚନରେ ଯିଏ ବି ପ୍ରାର୍ଥୀ ହେବେ , ଭୋଟରଙ୍କୁ ଜଣାଇବାକୁ ପଡିବ ନିଜ ନାଁରେ ଥିବା ଅପରାଧିକ ମାମଲାର ତଥ୍ୟ । ନିର୍ବାଚନ କମିଶନ ତାରିଖ ଘୋଷଣା ସହିତ କହିଛନ୍ତି, କୌଣସି ପ୍ରାର୍ଥୀ ଯଦି ନିର୍ବାଚନରେ ଲଢୁଛନ୍ତି , ତେବେ ତାଙ୍କୁ ତାଙ୍କର ନାମରେ ଥିବା ଅପରାଧିକ ସମ୍ପର୍କିତ ତଥ୍ୟ ତାଙ୍କ ନିର୍ବାଚନ କ୍ଷେତ୍ରର ଭୋଟରଙ୍କୁ ଜଣାଇବାକୁ ପଡିବ । ଟିଭି ଓ ଖବରକାଗଜରେ ପ୍ରାର୍ଥୀଙ୍କୁ ଦେବାକୁ ପଡିବ ୩ ଥର ବିଜ୍ଞାପନ । ଯେପରିକି ତାଙ୍କ ନିର୍ବାଚନ ମଣ୍ଡଳିର ଭୋଟର , ପ୍ରାର୍ଥୀଙ୍କ ଅପରାଧ ସମ୍ପର୍କରେ ଜାଣିପାରିବେ । ନୋମିନେସନ୍ ତାରିଖ ପର ଠାରୁ ମତଦାନର ୪୮ ଘଂଟା ପୂର୍ବରୁ ଏହି ବିଜ୍ଞାପନ ଦେବାକୁ ପଡିବ ।

୨୦୧୮ ସେପ୍ଟେମ୍ୱର ୨୫ ରେ ଏନେଇ ସ୍ପଷ୍ଟ କରିଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ ରାୟରେ ସ୍ପଷ୍ଟ କରିଥିଲେ , କୌଣସି ପ୍ରାର୍ଥୀ ଯିଏକି ନିର୍ବାଚନ ଲଢୁଛନ୍ତି ୩ ଥର ବିଜ୍ଞାପନ ଦେଇ , ନିଜ ଅପରାଧ ସମ୍ପର୍କରେ ଜଣାଇବାକୁ ପଡିବ । ସୁପ୍ରିମକୋର୍ଟଙ୍କ ଏହି ରାୟ ଅନୁସାରେ ମୁଖ୍ୟ ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତି ।

ଏହି ସହିତ ଫର୍ମ ୨୬ କୁ ଅଧିକ କଡାକଡି କରାଯାଇଛି । ସମସ୍ତ ପ୍ରାର୍ଥୀଙ୍କୁ ଦେବାକୁ ପଡିବ ପ୍ୟାନ୍ ନମ୍ୱର । ଯଦି କୌଣସି ପ୍ରାର୍ଥୀଙ୍କର ପ୍ୟାନ୍ ନମ୍ୱର ନାହିଁ , ତେବେ ତାଙ୍କୁ ଆବେଦନ କରିବାକୁ ପଡିବ , ଏବଂ ଫର୍ମ ୨୬ରେ ତାହାର ଷ୍ଟାଟସ୍ ସମ୍ପର୍କରେ ଜଣାଇବାକୁ ପଡିବ । ଫର୍ମ ୨୬ ସଠିକ୍ ଭାବେ ପୂରଣ ହୋଇନଥିଲେ ରଦ୍ଦହେବ ନାମାଙ୍କନ ।