ଯେକୌଣସି ମୁହୂର୍ତରେ ନିର୍ବାଚନ ପାଇଁ ପ୍ରସ୍ତୁତ ଓଡିଶା ନିର୍ବାଚନ ଅଧିକାରୀ! ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ସ୍ତରରେ ପହଞ୍ଚିବ ଇଭିଏମ, ଅକ୍ଟୋବରରେ ଆସିବ ଭିଭିପାଟ ମେସିନ୍

66

କନକ ବ୍ୟୁରୋ : ଯେକୌଣସି ସମୟରେ ନିର୍ବାଚନକୁ ଯିବା ପାଇଁ ପ୍ରସ୍ତୁତ ଓଡିଶା ନିର୍ବାଚନ ଅଧିକାରୀ । ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲାରେ ପହଁଚିବ ଇଭିଏମ୍ । ଏହା ସହ ଅକ୍ଟୋବର ମାସ ଭିତରେ ଭିଭିପାଟ୍ ମେସିନ ପହଂଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨୦୧୯ ଜାନୁୟାରୀ ୪ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଆଗୁଆ ଭୋଟ୍ ନେଇ ନିଷ୍ପତି କେନ୍ଦ୍ର ସରକାରଙ୍କ କୋର୍ଟରେ ରହିଥିବା ବେଳେ ଓଡିଶା ନିର୍ବାଚନ ଅଧିକାରୀ ଙ୍କ ପ୍ରସ୍ତୁତି ଏହି ଚର୍ଚାକୁ ପୁଣି ଜୋରଦାର କରିଛି ।

ନିର୍ବାଚନ ପ୍ରସ୍ତୁତି ନେଇ ଚାଲିଥିବା ଜୋରଦାର ପ୍ରସ୍ତୁତି ଏବଂ ଆଗୁଆ ନିର୍ବାଚନ ଚର୍ଚ୍ଚା ଉପରେ ଏକ ପ୍ରକାର ସାମୟିକ ବ୍ରେକ୍ ଲଗାଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁସାରେ ଜାନୁୟାରୀ ୪ ତାରିଖରେ ପ୍ରକାଶ ପାଇବ ଚୁଡାନ୍ତ ଭୋଟର ତାଲିକା । ଅର୍ଥାତ୍ ଭୋଟର୍ ତାଲିକା ପ୍ରକାଶ ପାଇବା ତାରିଖ ଦର୍ଶାଉଛି, ନିର୍ଦ୍ଧାରିତ ସମୟରେ ହୋଇପାରେ ସାଧାରଣ ନିର୍ବାଚନ । ଏହାର ସଂକେତ ମିଳିଛି ଆଜିର ସାମ୍ବାଦିକ ସମ୍ମିଳନୀରୁ । କିନ୍ତୁ ଏହି ପ୍ରେସମିଟରେ ଦିଆଯାଇଥିବା ସୂଚନା ଅନୁସାରେ- ଚଳିତବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଜିଲ୍ଳାସ୍ତରରେ ଇଭିଏମ୍ ମେସିନ୍ ପହଂଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯାହା ହୁଏତ, ଆଗୁଆ ନିର୍ବାଚନର ସମ୍ଭାବନାକୁ ଜାଗ୍ରତ କରୁଛି ।

ଯଦି ସରକାର ଚାହିଁବ ତେବେ ଯେ କୈାଣସି ମୁହୁର୍ତ୍ତରେ ନିର୍ବାଚନ ପାଇଁ ନିଷ୍ପତି ନେଇ ପାରନ୍ତି । ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ହେବା ପୂର୍ବରୁ ଯଦି ଅନ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଏ, ବା ରାଜନୈତିକ ବାଧ୍ୟ ବାଧ୍ୟକତା ସୃଷ୍ଟି ହୁଏ ତେବେ କେନ୍ଦ୍ର ସରକାର ଆଗୁଆ ନିର୍ବାଚନ ପାଇଁ ନିଷ୍ପତି ନେବାରେ କୌଣସି ଅସୁବିଧା ନାହିଁ । ଯେହେତୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ମୋଦି ଜୋର ଦେଉଛନ୍ତି, ତେଣୁ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସହ ନିର୍ବାଚନ କରାଇବାର ସମ୍ଭାବନାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ ।

ନିର୍ବାଚନ ଅଧିକାରୀଙ୍କ ଏହି ପ୍ରେସମିଟରୁ ଏହି ଦୁଇଟି ବାର୍ତା ସ୍ପଷ୍ଟ ହେଉଥିବା ବେଳେ ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି ।
-ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ସ୍ତରରେ ଇଭିଏମ୍ ପହଂଚିବ
-ଅକ୍ଟୋବର ସୁଦ୍ଧା ଭିଭିପାଟ୍ ମେସିନ୍ ଯୋଗାଇ ଦିଆଯିବ
-ଓଡ଼ିଶାକୁ ପ୍ରାୟ ୯୬ ହଜାର ଭିଭିପାଟ୍ ମେସିନ୍ ଆସିବ
– ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସୁରକ୍ଷିତ ରଖାଯିବ
-ସେପଟେମ୍ବର ସୁଦ୍ଧା ସୁରକ୍ଷିତ ରଖିବା ପାଇଁ ଗୋଦାମ ଘର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏହି ସାମ୍ବାଦିକ ସମ୍ମିଳନୀରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତେବେ କେବେ ନିର୍ବାଚନ ହେବ ତାହା କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ।