ପଂଚାୟତ ଭୋଟ୍ ପୂର୍ବରୁ ଗଡିଲା ମୁଣ୍ଡ ! ୮ଟି ସ୍ଥାନରେ ନିର୍ବାଚନକୁ ବାତିଲ କଲେ ରାଜ୍ୟ ନିର୍ବାଚନ ଆୟୋଗ

35

କନକ ବ୍ୟୁରୋ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ରାଜ୍ୟରେ ଜୋରଦାର ପ୍ରଚାର ଚାଲିଥିବା ବେଳେ ୮ଟି ସ୍ଥାନରେ ନିର୍ବାଚନକୁ ବାତିଲ କରାଯାଇଛି । ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ ହେବା କାରଣରୁ ଏହି ସବୁ ସ୍ଥାନରେ ନିର୍ବାଚନକୁ ବାତିଲ କରାଯାଇଛି । ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଜିଲ୍ଲା ପରିଷଦ ୮ ନଂ ଜୋନ, ସୁନ୍ଦରଗଡ ଜିଲ୍ଲା ବିସ୍ରା ବ୍ଲକ ବଡବାମ୍ବୁଆ ଗ୍ରାମପଂଚାୟତ ଏବଂ କେଉଁଝର ଜିଲ୍ଲା ଟୁକୁଡିହି ଗ୍ରାମପଂଚାୟତ ସରପଂଚ ପଦ ପାଇଁ ହେବାକୁ ଥିବା ନିର୍ବାଚନ ବାତିଲ ହୋଇଛି ।

ସେହିପରି ଜଗତସିଂହପୁର ଜିଲ୍ଲା ବଡଗାଁ ପଂଚାୟତ ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ବାତିଲ କରାଯାଇଛି । ପ୍ରାର୍ଥୀ ମୃତ୍ୟୁକୁ ନେଇ ନିର୍ବାଚନ ବାତିଲ ହୋଇଥିବା ୱାର୍ଡ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଗ୍ରାମପଂଚାୟତର ୱାର୍ଡ ନଂ୨, ଭଦ୍ରକ ଜିଲ୍ଲା ଧୁସୁରି ଗ୍ରାମପଂଚାୟତର ୱାର୍ଡ ନଂ୯, କଟକ ଜିଲ୍ଲା ନିଆଳି ବ୍ଲକ ବାଗଲଗଡ ପଂଚାୟତର ୱାର୍ଡ ନଂ୨୧ ଏବଂ ନବରଙ୍ଗପୁର ଜିଲ୍ଲା ବାମୁନି ଗ୍ରାମପଂଚାୟତର ୱାର୍ଡ ନଂ୮ ରହିଛି ।

ପଂଚାୟତ ନିୟମ ଅନୁଯାୟୀ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଯଦି ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମୃତ୍ୟୁବରଣ କରନ୍ତି ତେବେ ସେ ସ୍ଥାନରେ ନିର୍ବାଚନ ବାତିଲ ହେବାର ନିୟମ ରହିଛି । ବାତିଲ ହୋଇଥିବା ସ୍ଥାନରେ ପରବର୍ତୀ ସମୟରେ ଆଉ ଥରେ ନାମାଙ୍କନ ପ୍ରକ୍ରିୟା ପରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପୂର୍ବରୁ ଚୁଡାନ୍ତ । ତାଲିକାରେ ନାମ ଥିବା ପ୍ରାର୍ଥୀଙ୍କୁ ଆଉ ଥରେ ନାମାଙ୍କନ ପତ୍ର ଦାଖଲ କରିବାକୁ ପଡିବ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-