ଶେଷ ଲଢେଇ ପୂର୍ବରୁ ରୋଚକ ହେଲା ପଶ୍ଚିମବଙ୍ଗ ରାଜନୀତି । ମୁଖ୍ୟ ଶାସନ ସଚିବଙ୍କ ସମେତ ଗୃହ ସଚିବଙ୍କୁ ଛୁଟିରେ ପଠାଇଲେ ନିର୍ବାଚନ କମିଶନ, ଦିନକ ଆଗରୁ ପ୍ରଚାରରେ ଲାଗିଲା ରୋକ୍ ।

376

କନକ ବ୍ୟୁରୋ : ୧୯ ଯୁଦ୍ଧର ଶେଷ ପର୍ଯ୍ୟାୟ ଲଢେଇ ବାକି ରହିଥିବା ବେଳେ ନୂଆମୋଡ ନେଇଛି ପଶ୍ଚିମବଙ୍ଗ ରାଜନୀତି । ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ୍ ସୋ’ ବେଳେ ଯେଉଁ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା, ତାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଶେଷ ପର୍ଯ୍ୟାୟ ନିର୍ବାଚନକୁ ଅବାଧ ଓ ହିଂସାମୁକ୍ତ କରିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଦିନକ ପୂର୍ବରୁ ପ୍ରଚାର ଉପରେ ଲାଗିଛି ରୋକ୍ ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ, ଆସନ୍ତାକାଲି ଅର୍ଥାତ ଗୁରୁବାର ରାତି ୧୦ଟା ପରଠାରୁ କୌଣସି ରାଜନୈତିକ ପ୍ରଚାର ହୋଇପାରିବ ନାହିଁ । ନିର୍ବାଚନ ନିୟମ ଅନୁଯାୟୀ, ୧୭ ତାରିଖ ପ୍ରଚାରର ଶେଷ ଦିନ ଥିବା ବେଳେ, ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ପ୍ରଚାର ଉପରେ ଲାଗିଛି କଟକଣା । ଆଉ ସବୁଠାରୁ ବଡ କଥା ହେଉଛି, ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ସମେତ ଗୃହ ସଚିବଙ୍କୁ ଛୁଟିରେ ପଠାଇଛନ୍ତି ନିର୍ବାଚନ କମିଶନ ।

ନିର୍ବାଚନୀ ପ୍ରଚାର ସମେତ, ସୋସିଆଲ ମିଡିଆ ପ୍ରଚାର ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ । ଅନ୍ୟପଟେ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଙ୍ଗିବା ନେଇ ତୀବ୍ର ସମାଲୋଚନା କରିଛନ୍ତି ନିର୍ବାଚନ କମିସନ୍ । ଆଉ ଥରେ ଏପରି ପ୍ରକାର ହିଂସାକାଣ୍ଡ ଘଟିଲେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ ଅନ୍ତିମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୯ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ରାଜ୍ୟରେ ୯ଟି ଆସନ ପାଇଁ ପାଇଁ ଶୁକ୍ରବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରଚାର ଅବଧି ଥିଲା । କିନ୍ତୁ ହିଂସାକାଣ୍ଡ ଯୋଗୁଁ ପ୍ରଚାର ଅବଧିକୁ ଏକ ଦିନ ପୂର୍ବରୁ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ ।