ଯେଉଁଠି ଦିନେ ନେତାଙ୍କ ପାଦ ପଡୁନଥିଲା, ଏବେ ସେଠି ଜମୁଛି ମେଳି । ଚାଲିଛି ନିଆରା ପ୍ରଚାର, ଭୋଟରଙ୍କୁ ମନାଇବାକୁ ହାଟ ଭିତରେ ବୁଲିଲେ ପ୍ରାର୍ଥୀ । 

141

କନକ ବ୍ୟୁରୋ : ହାଟ ଭିତରେ ନେତାଙ୍କ ପ୍ରଚାର । ନିର୍ବାଚନ ପ୍ରଚାର ପାଇଁ କୌଣସି ସୁଯୋଗ ହାତଛଡ଼ା କରିବା ପାଇଁ ଚାହୁଁନାହାନ୍ତି ନେତା । ଯେଉଁ ଅଂଚଳରେ ଦିନେ ସେମାନଙ୍କ ପାଦ ପଡୁନଥିଲା, ସେଠାରେ ଏବେ ନେତାଙ୍କ ଲାଇନ୍ ଲାଗୁଛି । ରାୟଗଡ଼ାର କାଶୀପୁର ଓ ବିଷମ କଟକର ଚାଟିକଣା ସାପ୍ତାହିକ ହାଟରେ ଭୋଟରଙ୍କୁ ମନାଇବା ଲାଗି ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । ଭୋଜିଭାତ,  ନାଚ ଓ ଗୀତ ମାଧ୍ୟମରେ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ନେତା ।

ରାୟଗଡ଼ା ଜିଲ୍ଲା କାଶୀପୁରର ସାପ୍ତାହିକ ହାଟରେ ଜମୁଛି ନିର୍ବାଚନ ପ୍ରଚାର । ଯେଉଁ ହାଟ ଭିତରେ ନେତାଙ୍କ ଦିନେ ଦର୍ଶନ ମିଳେନା, ସେଠି ଏବେ ନେତାଙ୍କ ଗହଳି । କୋରାପୁଟ ଲୋକସଭାର ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ଓ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା କାଶୀପୁର ହାଟକୁ ଆସି ନିର୍ବାଚନୀ ପ୍ରଚାର କରିବା ସହ ଭୋଟରଙ୍କୁ ନିଜ ଆଡକୁ ନେବାକୁ ଉଦ୍ୟମ କରିଛନ୍ତି । ସେହିପରି ରାୟଗଡା ବିଧାନସଭା ଆସନ ପାଇଁ  କଂଗ୍ରେସ ପ୍ରାର୍ଥୀ ଆପୋଲୋ ସ୍ୱାମୀ କାଡ୍ରାକା, ବିଜେଡି ପ୍ରାର୍ଥୀ ଲାଲବିହାରୀ ହିମିରିକାଙ୍କୁ ମଧ୍ୟ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଭୋଜିଭାତ, ନାଚ ଓ ଗୀତ ମାଧ୍ୟମରେ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ନେତା । ଏପରିକି ହାଟ ଭିତରେ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନେ ପରସ୍ପର ସହ ମୁହାଁମୁହିଁ ହେଉଥିବାର ଦୃଶ୍ୟ ମଧ୍ୟ ସାମନାକୁ ଆସୁଛି ।

ସେପଟେ ବିଷମ କଟକ ନିର୍ବାଚନ ମଣ୍ଡଳୀର ଚାଟିକଣା ସାପ୍ତାହିକ ହାଟରେ ମଧ୍ୟ ଦେଖିବାକୁ ମିଳିଥିଲା ନିର୍ବାଚନୀ ମାହୋଲ । ଏଠି ମଧ୍ୟ ପ୍ରଚାର ପାଇଁ ନେତାଙ୍କ ଭିଡ଼ ଜମୁଛି । ସମର୍ଥକମାନଙ୍କ ସହ ହାଟରେ ପହଁଚି ଜୋରସୋରରେ ପ୍ରଚାର କରୁଛନ୍ତି ବିଜେଡି, ବିଜେପି, କଂଗ୍ରେସ ଓ ବିଏସପିର ବିଧାୟକ ପ୍ରାର୍ଥୀ । ଏହି ହାଟକୁ ନିୟମଗିରିର ଡଙ୍ଗରିଆ କନ୍ଧ ଓ ସ୍ଥାନୀୟ ବାସିନ୍ଦା ଆସୁଥିବା ବେଳେ ଭୋଟ ପ୍ରଚାରର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଅଂଚଳ । ଯେଉଁ ନେତାଙ୍କୁ ଦିନେ ହାଟ ଭିତରେ ଦେଖିବା ସ୍ୱପ୍ନ ଥିଲା ସେମାନେ ଏବେ ସାପ୍ତାହିକ ହାଟରେ ମେଳି କରୁଛନ୍ତି । ଲୋକଙ୍କ ଭିଡ଼ ଭିତରୁ ଫାଇଦା ନେବା ପାଇଁ ତତ୍ପର ହୋଇ ଉଠିଛନ୍ତି ପ୍ରାର୍ଥୀ ।