ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର ! ମୁକାବିଲା ପାଇଁ ପ୍ରାର୍ଥୀଙ୍କ ପ୍ରସ୍ତୁତି, ବିପୁଳ ପରିମାରଣ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି ନେତା

134

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ବରଗଡ ଲୋକସଭା ଆସନରେ ଏଥର ହେଉଛି ବଡ ମୁକାବିଲା । ଏଠାରେ ବିଜେଡିରୁ ଲଢୁଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ବିଜେପିରୁ ସୁରେଶ ପୂଜାରୀ ଓ କଂଗ୍ରେସରୁ ପ୍ରଦୀପ ଦେବତା । ଏଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ୧୮ ତାରିଖର ଏହି ଭୋଟ ପାଇଁ ୩ ଦଳର ପ୍ରାର୍ଥୀ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଗତଥର ଏଠାରୁ ବିଜେଡିର ପ୍ରଭାସ ସିଂ ବିଜୟ ଲାଭ କରିିଲେ । ସେ ୩ ଲକ୍ଷ ୮୩ ହଜାରରୁ ଅଧିକ ଭୋଟ ପାଇଥିଲେ ।

ପ୍ରଚାର ମୈଦାନରେ ଅତାବିରା ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ତାଙ୍କୁ ବିପୁଳ ମାତ୍ରାରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ବିକାଶର ମୁଦ୍ଦାକୁ ନେଇ ସେ ଭୋଟରଙ୍କ ପାଖକୁ ଯାଉଛନ୍ତି । ବିଜୁ ଜନତା ଦଳ ପ୍ରତି ଲୋକଙ୍କ ସମର୍ଥନ ଅଛି । ଅଂଚଳରେ ପାନୀୟ ଜଳ ସମସ୍ୟା, ବିଦ୍ୟୁତ ସମସ୍ୟା , ରାସ୍ତାନିର୍ମାଣ ସହ ବିଭିନ୍ନ ଜନହିତକାର କାମ ହୋଇଛି । ତେଣୁ ଏଠାରେ ନିଶ୍ଚିତ ବିଜେଡି ଜିତିବ ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।

ତାଳଚେରରେ ଜମୁଛି ପ୍ରଚାର । ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ । ଚଳିତ ବର୍ଷ ବିପୁଳ ଭୋଟରେ ସେ ବିଜୟୀ ହେବେ ବୋଳି କହିଛନ୍ତି । ଗାଁ ଗାଁ ବୁଲି ବିଭିନ୍ନ ମୁଦ୍ଦା ନେଇ ଲୋକଙ୍କୁ ଭୋଟ ମାଗୁଛନ୍ତି । ଅନ୍ୟପଟେ ତାଳଚେର ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ମନୋଜ ସାହୁ ମଧ୍ୟ ପ୍ରଚାର ଜୋରଦାର କରିଛନ୍ତି । ନିଜ ସମର୍ଥକଙ୍କୁ ସାଂଗରେ ଧରି ସେ ଘରକୁ ଘର ବୁଲି ଭୋଟ ପାଇଁ ନିବଦେନ କରୁଛନ୍ତି ।

ସୁନ୍ଦରଗଡରେ ବି ଜମିଲାଣି ନିର୍ବାଚନୀ ପ୍ରଚାର । ୨୦୧୪ ନିର୍ବାଚନରେ ରାଜ୍ୟର ୨୧ଟି ଆସନ ମଧ୍ୟରୁ ୨୦ଟି ବିଜେଡି ଦଖଲ କରିଥିବାବେଳେ କେବଳ ସୁନ୍ଦରଗଡ ଆସନ ବିଜେପି ଖାତାକୁ ଯାଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ସୁନ୍ଦରଗଡ ଆସନରେ ତ୍ରିମୁଖି ଲଢ଼େଇ ହେବ ବୋଲି ଆକଳନ କରାଯାଉଛି । ବିଜେଡିରୁ ସୁନୀତା ବିଶ୍ୱାଳ, ବିଜେପିରୁ ଜୁଏଲ ଓରାମ ଓ କଂଗ୍ରେସରୁ ଜର୍ଜ ତିର୍କୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ନେତାମାନେ ନିଜ ନିଜ ସମର୍ଥକଙ୍କୁ ଧରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ।

ବାଲେଶ୍ୱରରେ ଜମିଲାଣି ନିର୍ବାଚନ ପ୍ରଚାର । ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ତିନି ପ୍ରମୁଖ ଦଳ ନେତା । ସଦର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ଗଡ ରକ୍ଷା କରିବାକୁ କସରତକୁ ଜୋରଦାର କରିଛନ୍ତି । ଜୀବନ ପ୍ରଦୀପ ଦାସ ପୂର୍ବରୁ ୩ ଥର ବିଧାୟକ ହୋଇ ଚତୁର୍ଥ ଥର ପାଇଁ ନିର୍ବାଚନ ଲଢୁଛନ୍ତି । ସେହିପରି ବିଜେପିରୁ ମଦନମୋହନ ଦତ ଓ କଂଗ୍ରେସ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଗତ ଥର ସେ ବିଜେପି ପ୍ରାର୍ଥୀ ମଦନମୋହନ ଦତଙ୍କୁ ୧୪,୦୦୦ ହଜାର ଭୋଟରେ ହରାଇଥିଲେ ବିଜେଡି ପ୍ରାର୍ଥୀ ଜୀବନପ୍ରଦୀପ ଦାସ । ଗତ ନିିର୍ବାଚନରେ ସ୍ୱାଧିନରୁ ଲଢୁଥିବା ମାନସଙ୍କୁ ଏଥର କଂଗ୍ରେସ ଦେଇଛି ଟିକେଟ । ୨୦୧୪ରେ ଏମାନଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିବା ବେଳେ ୨୦୧୯ରେ ବି ବିଗ୍ ଫାଇଟ୍ ଦେଖିବାକୁ ମିଳିବ ।