କଂଗ୍ରେସ ଓ ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ନିର୍ବାଚନ ଫଳାଫଳ ? ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ବାଜି ଲାଗିଛି ରାହୁଲଙ୍କ ନେତ୍ୱତ୍ୱ ।

160

ପ୍ରତିଦ୍ୱନ୍ଦୀ ରାଜନୈତିକ ଦଳ ବିଜେପି ଓ ସୋସିଆଲ ମିଡିଆରେ ‘ପପ୍ପୁ’ କହି, ଜଣେ ଅପରିପକ୍ୱ ରାଜନେତାର ଛବି ସୃଷ୍ଟି କରାଯାଇଥିବା ରାହୁଲ ଗାନ୍ଧୀ ଏବେ କିନ୍ତୁ ଅନେକ ବାଟ ଆସିଗଲେଣି । ଆଉ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ତାଙ୍କର ଦକ୍ଷତା ଉପରେ ମୋହର ମାରିବାର ସମ୍ଭାବନା ରହିଛି ।

ନିର୍ବାଚନ ହୋଇଥିବା ସବୁ ରାଜ୍ୟରେ ପ୍ରଚାରର ମଙ୍ଗ ଧରିଥିଲେ ଏହି ୪୮ ବର୍ଷୀୟ ରାଜନେତା । ଏବଂ ନିଜର ସ୍ୱଭାବ ସୁଲଭ ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ଆଉ ମୋଦିଙ୍କ ବିରୋଧରେ ତାଙ୍କର ସବୁଠାରୁ ବଡ ଅସ୍ତ୍ର ଥିଲା, ରାଫେଲ୍ ଯୁଦ୍ଧ ବିମାନ ଦୁର୍ନୀତି ଓ ବିମୁଦ୍ରାକରଣ ପ୍ରସଙ୍ଗ ।

ନେହେରୁ-ଗାନ୍ଧୀ ପରିବାରର ଏହି ଦାୟାଦ ଭାରତୀୟ ରାଜନୀତିରେ ନିକଟ ଅତୀତରେ କୌଣସି କରିସ୍ମା ଦେଖାଇ ପାରି ନାହାନ୍ତି । ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରିଛନ୍ତି । କିନ୍ତୁ ମୋଦିଙ୍କ ସହ ଲଢିବା ପାଇଁ ସେ ମନ ସ୍ଥିର କରିନେଇଥିବା ଭଳି, ଅନେକ ଅନୁଭବ କରୁଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ମୋଦିଙ୍କ ଭାଷଣ ଆଗରେ ସମ୍ପୂର୍ଣ୍ଣ ନିରସ୍ତ୍ର ହୋଇପଡିଥିବା ଏହି ନେତାଙ୍କୁ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ନୂଆ ଶକ୍ତି ଦେଇପାରେ ବୋଲି ଆକଳନ କରାଯାଇଛି ।

୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ଭଳି ଏକ ବିଶାଳ ଦେଶର ନେତା ବନିବା ସେତେ ସହଜ କଥା ନୁହେଁ । କିଛି ବିଶେଷଜ୍ଞଙ୍କ ମତରେ ମୋଦିଙ୍କ ବିରୋଧରେ କ୍ଷୋଭ କିମ୍ବା ଆଣ୍ଟି-ଇନକମ୍ବେନସି କଂଗ୍ରେସକୁ ଫାଇଦା ଦେଇପାରେ । କିନ୍ତୁ ପ୍ରକୃତ ନେତା ବନିବା ପାଇଁ ରାହୁଲଙ୍କୁ ଆହୁରି ଅନେକ କିଛି କରିବାକୁ ପଡିବ ।