ଉପନିର୍ବାଚନ ହେବ ଅଗ୍ନିପରୀକ୍ଷା ! ସଂକେତ ମିଳିବ, ଓଡିଶାର ମୁଡ୍ କଣ? ବଦଳୁଛି କି ରାଜନୀତିର ପାଣିପାଗ

45

କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏବେ ନଜର ଆଗକୁ ହେବାକୁ ଥିବା ଉପନିର୍ବାଚନ ଉପରେ । ବ୍ୟବସ୍ଥା ଅନୁସାରେ ୬ ମାସ ଭିତରେ ହବେ ଉପ-ନିର୍ବାଚନ । ସାଧାରଣ ନିର୍ବାଚନ ଆହୁରି ୨୦ ମାସ ଥିବା ବେଳେ ରାଜ୍ୟ ରାଜନୀତିରେ ଏବେ ଉପ ନିର୍ବାଚନ ପାଇଁ ତତଲା ପବନ ବହିବା ଆରମ୍ଭ କଲାଣି । କ୍ୟାନସରରେ ପୀଡିତ ହୋଇଥିବା ସୁବଳ ସାହୁଙ୍କ ମଙ୍ଗଳବାର ଦେହାନ୍ତ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା ।

ସୁବଳ ସାହୁ । କଂଗ୍ରେସ ରାଜନୀତିର ଟାଣୁଆ ନତୋ । ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଗାତର ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କହିବାକୁ ଗଲେ, ନିଜ କାର୍ଯ୍ୟଦକ୍ଷତା ଓ ରାଜନୈତିକ ବିଚକ୍ଷଣତାରେ ସେ ବିଜେପୁରକୁ କଂଗ୍ରେସର ଗଡରେ ପରିଣତ କରିଥିଲେ । ୨୦୦୪, ୨୦୦୯ ଓ ୨୦୧୪ ଲଗାତ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେ ।

୨୦୧୪ରେ ଯେତେବେଳେ ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା ବୋହୁଥିଲେ ସେତେବେଳେ ବିଜେଡି ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୪୫୮ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଦବଦବାକୁ ଜାହିର କରିଥିଲେ । ବିଜେପୁରକୁ କଂଗ୍ରେସର ଗଡ ଭାବେ ପରିଣତ କରିଥିଲେ । ହେଲେ ଏବେ ତାଙ୍କ ଦେହାନ୍ତ, କଂଗ୍ରେସ ପାଇଁ ବଡ ରାଜନୈତିକ ଆହ୍ୱାନ ଆଣିଦେଇଛି ।

ବିଜେପୁରରେ ହେବାକୁ ଥିବା ଉପ ନିର୍ବାଚନ ସବୁ ରାଜନ÷÷ତିକ ଦଳଙ୍କ ପାଇଁ ଆହ୍ୱାନ ହେବ । ଖାସ କରି କଂଗ୍ରେସ ପାଇଁ । ନିଜ ଗଡକୁ ବଂଚାଇବାକୁ କଂଗ୍ରେସ ସମର୍ତ ହେଉଛି ନା ନାହିଁ ଏବେ ତା ଉପରେ ନଜର । ଖାସ କରି ଯେତେବେଳେ ନେତୃତ୍ୱ ସଂକଟ ଦେଇ ଦଳ ଗତି କରୁଛି, ସେହି ସମୟରେ ଦଳ ନିଜ ସପକ୍ଷରେ ଏହି ସିଟ ନେଇପାରିବ କି ନାହିଁ, ତାହା ହେବ ବଡ ଚାଲେଂଜ । ଯଦି ଏହାରି ଭିତରେ ପିସିସି ସଭାପତି ବଦଳିଥାନ୍ତି, ତେବେ ବିଜେପୁର ଉପନିର୍ବାଚନ ତାଙ୍କ ପାଇଁ ଆହ୍ୱାନ ନେଇ ଆସିବ । ଏସିଡ ଟେଷ୍ଟରେ ପାର ହେବାକୁ ପଡିପାରେ କଂଗ୍ରେସର ନୁଆ ସଭାପତିଙ୍କୁ । ଯାହା ନିର୍ଣ୍ଣୟ କରିବ, କଂଗ୍ରେସର ରାଜନୈତିକ ଭବିଷ୍ୟତ କୁଆଡେ ଯିବ ।

ସେହିଭଳି ଏହି ଉପ ନିର୍ବାଚନ ବିଜେପି ପାଇଁ ମଧ୍ୟ ମହତ୍ୱପୁର୍ଣ୍ଣ । କାରଣ ରାଜ୍ୟରେ ରାଜନୈତିକ ଶକ୍ତି ବୃଦ୍ଧି କରି ଆଗାମୀ ଦିନରେ ସରକାର ଗଠନ କରିବାକୁ ଲକ୍ଷ ରଖୁଥିବା ଏହି ଦଳକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି, ତାର ମଧ୍ୟ ଫଇସଲା କରିବ ଏହି ଉପ ନିର୍ବାଚନ । ଗୋଟିଏ ପଟେ ରାଜ୍ୟରେ ୧୨୦ ଆସନ ଜିତିବାର ଦୃଢୋକ୍ତି ଆଉ ଏହି ସମୟରେ ଆସିଛି ଉପ ନିର୍ବାଚନ । ଆଉ ସେପଟେ ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଅଂଚଳରେ ନିଜ ଦବଦବା ଜାହିର କରିଥିଲା ଭାରତୀୟ ଜନତା ପାର୍ଟି । ସେହି ଦୃଷ୍ଟିକୋଣରୁ ଏହା ବିଜେପି ପାଇଁ ମଧ୍ୟ ଏସିଡ ଟେଷ୍ଟ ହେବ । ଯାହା ଆଗାମୀ ଦିନରେ ବିଜେପିର ଦିଶା ଆଉ ଦଶା ନିର୍ଦ୍ଧାରଣ କରିବ ।

ସେହିଭଳି ଶାସକ ବିଜେଡି ପାଇଁ ମଧ୍ୟ ଏହା ଆହ୍ୱାନ ଆଣିବ । କାରଣ ରାଜ୍ୟରେ ଦଳର ଲୋକପ୍ରିୟତା କମୁଥିବା କଥା ଚର୍ଚ୍ଚା ହେଉଛି । ଲଗାତର ଭାବେ ଏହି ଦିଗକୁ ଟାର୍ଗେଟ କରି ଆସୁଛନ୍ତି ଅନ୍ୟ ରାଜନୈତିକ ଦଳ । ତେଣୁ ଶାସକ ଦଳ ନିଜ ଦବଦବା ବଜାୟ ରଖିପାରୁଛି କି ନାହିଁ, ତାହା ମଧ୍ୟ ଏହି ଉପ ନିର୍ବାଚନ ନିର୍ଦ୍ଧାରଣ କରିବ । ବରଗଡରେ ଦଳର ପ୍ରଦର୍ଶନ ପଂଚାୟତ ନିର୍ବାଚନରେ ଠିକ ନଥିଲା । ତେଣୁ ଆଗାମୀ ଦିନରେ ଦଳ ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିବାକୁ ଏହାକୁ ମାଧ୍ୟମ କରିପାରେ ।

ମୋଟାମୋଟି ଦେଖିବାକୁ ଗଲେ ଏହା ସିନା ଗୋଟିଏ ଉପନିର୍ବାଚନ, ହେଲେ ତିନି ରାଜନୈତିକ ଦଳ ପାଇଁ ଏହା ଅଗ୍ନି ପରୀକ୍ଷା । ବିଜେଡି, ବିଜେପି ଓ କଂଗ୍ରେସର ଭାଗ୍ୟ ଏହା ନିର୍ଦ୍ଧାରଣ କରିବ । ଯାହା ସଂକେତ ମଧ୍ୟ ଦେବ ଓଡିଶାର ମୁଡ୍ କଣ ଏବଂ ଆଗାମୀ ଦିନରେ ରାଜ୍ୟ ରାଜନୀତି କୁଆଡେ ଯାଇପାରେ ତାର ସଂକତେ ମଧ୍ୟ ଏହି ଉପ ନିର୍ବାଚନରୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।