ନିର୍ବାଚନ ନେଇ କମିସନରେଟ ପୋଲିସର ଆଡ଼ଭାଇଜରି ଜାରି ! ଶୋଭାଯାତ୍ରା ପୂର୍ବରୁ ଆଗୁଆ ସୂଚନା ଦେବାସହ ପ୍ରଚାର ଗାଡ଼ିରେ ୧ ଫୁଟର ଦଳୀୟ ପତାକା ଲଗାଇପାରିବେ ପ୍ରାର୍ଥୀ

123

କନକ ବ୍ୟୁରୋ : ନିର୍ବାଚନୀ ବିଗୁଲ ବାଜି ସାରିଛି । ଟିକେଟ ପାଇବା ପାଇଁ ଜୋରଦାର ଲବି ଚାଲିଛି । ଆଗକୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ବୈଠକ, ରୋଡ଼ସୋ, ରାଲି ଆଦି କରିବେ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଡ଼ଭାଇଜରି ଜାରି କରିଛି କମିସନରେଟ୍ ପୋଲିସ୍ । ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ମାନେ କରିବାକୁ ଥିବା ଶୋଭାଯାତ୍ରାରେ ତଥା ସାଧାରଣ ସଭାରେ କ’ଣ କରିବେ ଓ କ’ଣ ନକରିବେ ସେନେଇ ଗାଇଡ ଲାଇନ ଜାରି କରିଛି କମିସନରେଟ ପୋଲିସ ।

ନିର୍ବାଚନୀ ଶୋଭାଯାତ୍ରାରେ କେତେ ଲୋକ ଓ କେତେ ଗାଡି ବ୍ୟବହାର ହେଉଛି ସେନେଇ ପୋଲିସକୁ ଆଗୁଆ ସୂଚନା ଦେବେ ପ୍ରାର୍ଥୀ । ଦଶଟି ଗାଡିରୁ ଉର୍ଦ୍ଧ୍ୱ ଗାଡି ପ୍ରାର୍ଥୀ ରାଲିରେ ବ୍ୟବହାର କରିପାରିବେନାହି । ପୋଲିସ ଯେଉଁ ରୁଟ ପାଇଁ ଅନୁମତି ଦେବ ସେଇ ରୁଟରେ ପ୍ରାର୍ଥୀଙ୍କ ଗାଡ଼ି ଯିବାଆସିବା କରିବ । ୧୦ରୁ ଅଧିକ ଗାଡି ରାଲିରେ ସାମିଲ ହେଲେ ୧୦୦ ମିଟର ବ୍ୟବଧାନରେ ଗାଡି ରଖିବେ । ଶୋଭାଯାତ୍ରା ହେଉଥିବା ସମୟରେ ରାସ୍ତାର ଅଧା ଭାଗ ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ଛଡାଯିବ । କୌଣସି ରାଲି ରାସ୍ତାର ଅଧାରୁ ଅଧିକ କଭର କରିବେ ନାହି ।

ଶୋଭାଯାତ୍ରାରେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ଶୋଭାଯାତ୍ରା ବେଳେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ୍ଲାଉଡ ସ୍ପିକରର ବ୍ୟବହାର କରାଯିବ । ରୋଡ ସୋ କରୁଥିବା ବେଳେ ସେଥିରେ ସ୍କୁଲ ପିଲାଙ୍କୁ ସାମିଲ କରାଯାଇପାରିବ ନାହି । ସର୍ବାଧିକ ୬ଫୁଟ ଚୋଉଡା ୪ଫୁଟ ଲମ୍ବର ବ୍ୟାନର ବ୍ୟବହାର କରିପାରିବେ ପ୍ରାର୍ଥୀ । ଶୋଭାଯାତ୍ରା କୌଣସି ପ୍ରକାର ବାଡ଼ି ଓ ଲାଠିର ବ୍ୟବହାର କରାଯିବ ନାହିଁ । ଏପରିହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିସନରେଟ୍ ପୋଲିସ୍ ।