ନବୀନଙ୍କ ଭୂମିକା ଉପରେ ନଜର: ଏନଡିଏ ସରକାରଙ୍କୁ ସମର୍ଥନ ଲାଗି ବିଜେଡି ରଖିପାରେ ଏହି ସବୁ ସର୍ତ୍ତ

ଓଡ଼ିଶାକୁ ଯିଏ ସହଯୋଗ କରିବ, ତାକୁ ଦଳ ସମର୍ଥନ ଜଣାଇବାକୁ ଦ୍ବିଧା କରିବ ନାହିଁ

3,141

କନକ ବ୍ୟୁରୋ: ବୁଥ ବାହୁଡା ମତ ସୂଚାଉଛି ଯେ କେନ୍ଦ୍ରରେ ପୁଣି ଏନଡିଏ ସରକାର ଶାସନକୁ ଫେରିବ। ହେଲେ ଅଧିକାଂଶ ରାଜନୈତିକ ଦଳ ଏହାକୁ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି। ବରଂ ପୂର୍ବାନୁମାନ ଭୁଲ୍ ହେବ ବୋଲି ସୂଚାଇ ବିକଳ୍ପ ରାଜନୈତିକ ଶକ୍ତି କେନ୍ଦ୍ରରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ରାଜନୈତିକ ବିଶେଷଜ୍ଞ ଯେଉଁ ପୂର୍ବାନୁମାନ ଲଗାଉଛନ୍ତି, ସେଥିରେ ଏନଡିଏ ସପକ୍ଷରେ ମଧ୍ୟ ସ୍ପଷ୍ଟ ବହୁମତ ନାହିଁ। ଏପରିସ୍ଥଳେ ବିଜେପି ମ୍ୟାଜିକ୍ ନମ୍ବର ହାସଲ ପାଇଁ ଟିଆରଏସ୍, ବିଜେଡି ପ୍ରମୁଖଙ୍କ ସମର୍ଥନ ନେଇପାରେ।

ଏଭଳି ଏକ ଚର୍ଚ୍ଚା ଆସନ୍ତା ୨୩ ତାରିଖରେ କି ରୂପ ନେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। କିନ୍ତୁ କୌତୂହଳର ଏନଡିଏ ସରକାରକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି ପୂର୍ବାନୁମାନ ପରେ ବି ଜାତୀୟ ଗଣମାଧ୍ୟମରେ ଆଞ୍ଚଳିକ ଦଳର ଭୂମିକା ନେଇ ଆଲୋଚନା ଥମୁନି। ବିଜେଡି ଭଳି ରାଜନୈତିକ ଦଳର କେନ୍ଦ୍ରୀୟ ଆଭିମୁଖ୍ୟ ସଂପର୍କରେ ଗଣମାଧ୍ୟମ କଥା ଉଠାଇଲାଣି। ଏଣୁ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଛଳରେ ବିଜେଡି ତାର କେନ୍ଦ୍ର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦଳର ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, ପୂର୍ବରୁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି ଯେ ଓଡ଼ିଶା ପାଇଁ ୨୦୧୯ ନିର୍ବାଚନ ଅପୂର୍ବ ସୁଯୋଗ। ଓଡ଼ିଶାକୁ ଯିଏ ସହଯୋଗ କରିବ, ତାକୁ ଦଳ ସମର୍ଥନ ଜଣାଇବାକୁ ଦ୍ବିଧା କରିବ ନାହିଁ।

ଦଳର ମୁଖପାତ୍ର ଶ୍ରୀ ପଟ୍ଟନାୟକ ସହଯୋଗର ସଂଜ୍ଞା ଖୋଲି ଆହୁରି ପାଦେ ଆଗକୁ ଯାଇଛନ୍ତି। କହିଛନ୍ତି, ଓଡ଼ିଶାକୁ ଗତ ଦିନରେ ଉପା ଓ ଏନଡିଏ ସରକାର ଅବହେଳା କରିଛନ୍ତି। ଦୁଇ ଦଶନ୍ଧିର ଦାବି ଯିଏ ପୂରଣ କରିବ, ଏଥର କିନ୍ତୁ ତାକୁ ସମର୍ଥନ କରିପାରେ ବିଜେଡି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ କଥା ଏହି ସର୍ତ ମଧ୍ୟରୁ ଗୋଟିଏ। କେବଳ ସେତିକି ନୁହେଁ, କୋଇଲା ରୟାଲଟି ଠାରୁ ଆରମ୍ଭକରି ଓଡ଼ିଶା ସରକାର ଯେଉଁ ସବୁ ଦାବି ରଖିଆସିଛନ୍ତି, ତାକୁ ହାସଲ ପାଇଁ ପଦକ୍ଷେପ ନେବା ସରକାରକୁ ଦଳ ସମର୍ଥନ ଦେବାକୁ ଚାହିଁବ। ଅର୍ଥାତ୍, ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ମେଣ୍ଟ ଠାରୁ ସମଦୂରତ୍ବ ରହିବା ନିଷ୍ପତ୍ତିରୁ ବିଜେଡି ଏ ପାଳି ଓହରିଯିବା ସମ୍ଭାବନା ଅଧିକ।

ଉଲ୍ଲେଖ ଥାଉ କି, ଆବଶ୍ୟକ ସଂଖ୍ୟା ଅଭାବ ପୂର୍ବାନମାନ କରି ବିଜେପି ନିର୍ବାଚନ ସମୟର ଆଚରଣରେ ସଂଶୋଧନ ଆଣିଛି। ଓଡ଼ିଶାରେ ଭୋଟ ସମୟର ରାଜ୍ୟ ଓ କେନ୍ଦ୍ର ବିଜେପି ନେତାଙ୍କ ଉଗ୍ରତା ଭୋଟ ପରଦିନ ଠାରୁ ନାହିଁ। ବରଂ ଫନି ବିପର‌୍ୟ୍ୟୟରେ ଦଳ ପ୍ରଶଂସା ଲଦିଛି ଓ ସହଯୋଗର ଚାପରେ ସରକାରଙ୍କୁ ବଳ ଦେଇଛି। ଏପରି କ୍ଷେତ୍ରରେ ୨୩ ତାରିଖରେ ଯଦି ସଂଖ୍ୟାର ଅଭାବ ରହେ, ତେବେ ବିଜେଡି-ବିଜେପି ସଂପର୍କ ପୁଣି ଫେରିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଅବଶ୍ୟ କଂଗ୍ରେସ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଆଲାଚନା ପାଇଁ ଆମନ୍ତ୍ରଣ କରିଛି ଓ ସହଯୋଗର ହାତ ବଢାଇବାକୁ ମଧ୍ୟ ଅନୁରୋଧ କରିଛି।