ପର ହୋଇଗଲା ଜନ୍ମଦାତ୍ରୀ : ବୋହୂ ମାଡ଼ ମାରି ଗାଲ ଫଟେଇଦେଲା, ସାହାରା ଦେବା ବଦଳରେ ଆହାର କେନ୍ଦ୍ରରେ ଛାଡ଼ିଗଲା କୁଳାଙ୍ଗାର ପୁଅ . . ସହାୟତାର ହାତ ବଢ଼ାଇଲେ ମହିଳା ବିଚାରପତି

1,009

କନକ ବ୍ୟୁରୋ : ପରିଣତ ବୟସରେ ସାହାରା ଖୋଜୁଛି ଜନ୍ମଦାତ୍ରୀ । ମମତାର ମୂଲ ବୁଝିଲାନି ପୁଅ । ଅଲୋଡ଼ା ହୋଇଗଲା ମା’ । ବୃଦ୍ଧା ମା’କୁ ସ୍ତ୍ରୀ ମାଡ଼ ମାରିବା ସମୟରେ ନୀରବଦ୍ରଷ୍ଟା ପାଲଟିଲା ପୁଅ । ଶେଷ ସମୟରେ ଆଶାବାଡ଼ି ସାଜିବା ବଦଳରେ ରାସ୍ତା କଡ଼ରେ ଛାଡ଼ିଗଲା କୁଳାଙ୍ଗାର ପୁଅ । ଆଖିକୁ ଭଲରେ ଦେଖାଯାଉନି, କଥା କହିଲା ବେଳେ ପାଟି ଖନିମାରିଯାଉଛି । ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ପୁଅକୁ ଖୋଜୁଛି ଅସହାୟ ମା’ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବସଷ୍ଟାଣ୍ଡ ନିକଟରେ ଥିବା ଆହାରକେନ୍ଦ୍ର ନିକଟରେ । ଶେଷର ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ସହାୟତାର ହାତ ବଢ଼ାଇଛନ୍ତି ଚାନ୍ଦବାଲି ଏସଡ଼ିଜିଏମ୍ ବିଚାରପତି । ବୃଦ୍ଧାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।

ଭଦ୍ରକ ଚାନ୍ଦବଲି ବ୍ଳକ ମହୁଲିଆ ଗ୍ରାମର କୋଇଲ ପୋଥଳ । ବୟସ ୮୦ ବର୍ଷ । ଘର କଉଠି ଠିକରେ କହିପାରୁନାହାନ୍ତି । ଆଖିକୁ ଦିଶୁନି କି କଥା କହିପାରୁ ନାହାନ୍ତି । ଅଣ୍ଟା ପଡ଼ିଯାଇଛି । ଆଉ ଏପରି ଅବସ୍ଥାରେ ଅନ୍ଧାରରେ ବୁଢ଼ୀ ମା’କୁ ଛାଡ଼ିଗଲା ପୁଅ । ସ୍ତ୍ରୀ ମାଡ଼ ମାରି ମୁହଁ ଫଟେଇ ଦେଇଛି । ନଖାଇ ନପିଇ ଦେହରେ ମାଂସ ପଳେ ବୋଲି ନାହିଁ । ହେଲେ ଏପରି ସମୟରେ ମା’ର ମମତା ଭୁଲି ଅସହାୟ କରି ବସଷ୍ଟାଣ୍ଡ ନିକଟରେ ଥିବା ଆହାରକେନ୍ଦ୍ରରେ ଛାଡ଼ିଗଲା ପୁଅ । ବୁଢ଼ୀ ମା’ର ଆଖିରୁ ଲୁହ ନୁହେଁ ରକ୍ତ ଝରୁଛି । ସବୁ ଅଳି ଅଝଟ ସହି ପୁଅକୁ ଦୁଃଖ କଷ୍ଟରେ ବଡ଼ କରିଥିଲା ଯେ ଏଇ ମୂଲ୍ୟ ଦେଲା ଅନ୍ଧଲଉଡ଼ି । ସାହାରା ତ ଦୂରର କଥା ସ୍ତ୍ରୀ ମାଡ଼ ମାରି ମା’ର ଗାଲ ଫଟେଇ ଦେଇଥିଲେ ବି ବାରଣ କଲାନି । ନିଜେ ନଖାଇ ପୁଅକୁ ଖୁଆଇଥିଲେ ବୋଲି ଏ ବସୟରେ ରାସ୍ତାରେ ଛାଡ଼ିଚାଲି ଗଲା ପୁଅ ।

ପୁଅ ସିନା ପର କରିଦେଲା ହେଲେ ଖବର ପାଇବା ପରେ ତୁରନ୍ତ ଚାନ୍ଦବାଲି ଏସଡ଼ିଜିଏମ୍ କୋର୍ଟର ବିଚାରପତି ସୁନୀତା ରାଉତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବୃଦ୍ଧାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିବା ସହ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହାସହ ବୃଦ୍ଧା ସୁସ୍ଥ ହେବାପରେ ତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନୁ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ବୃଦ୍ଧାଙ୍କ ପୁଅ କହିଛି, ସ୍ତ୍ରୀ ମାଡ଼ ମାରୁଥିବାରୁ ସହିପାରିଲିନି ତେଣୁ କେନ୍ଦ୍ରାପଡ଼ାରୁ ବସ୍ ଯୋଗେ ଆଣି ମା’କୁ ଛାଡ଼ି ଚାଲିଗଲି । ରାସ୍ତାକଡ଼ରେ ମା’କୁ ଛାଡ଼ିଯାଇଥିବା ଏପରି ପୁଅକୁ ଧିକ୍ । ଏଇଠି ପ୍ରଶ୍ନ ଉଠୁଛି କେଉଁ ନ୍ୟାୟରେ ବୃଦ୍ଧାମା’କୁ ରାସ୍ତାକଡ଼ରେ ଛାଡ଼ି ଚାଲିଗଲାପୁଅ ।